Odisha Link
Bridging the Missing Links in Odisha

ଶିବସେନା ଟାର୍ଗେଟରେ ଫଡନାଭିସ୍‌, ଏପରି କହିଲା…

ମୁମ୍ବାଇ: ମହାରାଷ୍ଟ୍ରରେ ଜାରି ହୋଇଛି ରାଷ୍ଟ୍ରପତି ଶାସନ। ହେଲେ ସରିନାହିଁ ବୟାନବାଜି ରାଜନୀତି। ଆଜି ଶିବସେନା ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଲାଗୁ ହେବା ପଛରେ ବିଜେପି ଓ ରାଜ୍ୟପାଳଙ୍କ ଭୂମିକା ରହିଥିବା ନେଇ ଅଭିଯୋଗ କରିଛି। ରାଜ୍ୟପାଳ ଜାଣିଶୁଣି ତାଙ୍କୁ ମିଳିଥିବା ନିର୍ଦ୍ଦେଶ ଅନୁସାରେ ରାଷ୍ଟ୍ରପତି ଶାସନ ଲାଗୁ କରିଛନ୍ତି। ଏଥିସହ ସେ ସରକାର ଗଠନ ପାଇଁ ସବୁ ଦଳକୁ ୬ ମାସର ସମୟ ଦେଇଛନ୍ତି ବୋଲି ଶିବସେନା ତାଚ୍ଛଲ୍ୟ କରି କହିଛି।

ଦଳର ମୁଖପତ୍ର ସାମନାରେ କୁହାଯାଇଛି ଯେ “ଦେବେନ୍ଦ୍ର ଫଡନାଭିସ ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଲାଗୁ ହେବା ପରେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। କାରଣ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ କରାଯାଇ ବିଜେପି ପରୋକ୍ଷରେ ମହାରାଷ୍ଟ୍ରକୁ ନିଜ ହାତ ମୁଠାରେ ରଖିଛି। ମହାରାଷ୍ଟ୍ରରେ ଯାହା ସବୁ ଘଟୁଛି, ତା’ ପଛରେ ଗୋଟିଏ ଅଦୃଶ୍ୟ ଶକ୍ତିର ହାତ ରହିଛି ଏବଂ ଏହି ଶକ୍ତିର ନିର୍ଦ୍ଦେଶରେ ହିଁ ସବୁ କିଛି ହେଉଛି। ଆମକୁ ସରକାର ଗଠନ ପାଇଁ ରାଜ୍ୟପାଳ ମାତ୍ର ୨୪ ଘଣ୍ଟାର ସମୟ ଦେଇଥିଲେ। ଆମେ ଅଧିକ ସମୟ ମାଗିବାରୁ ରାଜ୍ୟପାଳ ପ୍ରୋଟୋକଲ ଅନୁସାରେ କାର୍ଯ୍ୟ ନ କରି ରାଜ୍ୟରେ ରାଷ୍ଟ୍ରପତି ଶାସନ ପାଇଁ ସୁପାରିଶ କରିଥିଲେ।

ରାଜ୍ୟପାଳ ହେବା ପୂର୍ବରୁ ଭଗତ ସିଂହ କୋଶିୟାରୀ ଆରଏସ୍‌ଏସ୍‌ କର୍ମୀ ଥିଲେ। ସେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି। ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଲାଗୁ ହେବା ପରେ ଫଡନାଭିସ ଏହାକୁ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି। ହେଲେ ସେ ଏହାକୁ ଆଦୌ ନିନ୍ଦା କରିନାହାନ୍ତି। ଯଦି ପ୍ରକୃତରେ ଫଡନାଭିସ ଦୁଃଖିତ ତା’ହେଲେ ରାଷ୍ଟ୍ରପତି ଶାସନକୁ ନିନ୍ଦା କରନ୍ତୁ।”

Comments are closed.