Odisha Link
Bridging the Missing Links in Odisha

ସବୁ ପୁସ୍ତିକା ନଷ୍ଟ ପାଇଁ ନିର୍ଦ୍ଦେଶ : ଗଣଶିକ୍ଷା ବିଭାଗ

ଭୁବନେଶ୍ୱର: ଗାନ୍ଧିଜୀଙ୍କ ସମ୍ପର୍କରେ ଭୁଲ ତଥ୍ୟ ସମ୍ବୋଳିତ ପୁସ୍ତିକା ପ୍ରସଙ୍ଗରେ ଏକ ବଡ଼ ଖବର ସାମନାକୁ ଆସିଛି। ସମ୍ପୃକ୍ତ ସମସ୍ତ ପୁସ୍ତିକା ନଷ୍ଟ କରିବାକୁ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ସବୁ ଡିଇଓ, ଡିପିସି ଓ ବିଇଓମାନଙ୍କୁ ପ୍ରକଳ୍ପ ନିର୍ଦ୍ଦେଶକ ଚିଠି କରିଛନ୍ତି। ସବୁ ସଫ୍ଟ କପି ପ୍ରତ୍ୟାହାର ସହ ସବୁ ପାମ୍ପଲେଟ ଓ କପି ନଷ୍ଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ସୂଚନା ଅନୁସାରେ, ବିଧାନସଭା ଶୀତ ଅଧିବେସନର ତୃତୀୟ ଦିନରେ ଅର୍ଥାତ ଶୁକ୍ରବାର ଗାନ୍ଧିଜୀଙ୍କ ମୁ୍ତ୍ୟୁ ଆକସ୍ମିକ ହୋଇଥିବା ଲେଖାକୁ ନେଇ କଡ଼ା ବିରୋଧ କରାଯାଇଥିଲା। ନାଥୁରାମ ପ୍ରସଙ୍ଗରେ ବିଧାନସଭା କମ୍ପିଥିଲା। ଗାନ୍ଧିଜୀଙ୍କ ମୃତୁ୍ୟ ସମ୍ପର୍କିତ ଭୁଲ ତଥ୍ୟକୁ ନେଇ ଗୃହ ସରଗରମ ହୋଇଥିଲା। ତେବେ ଏହାକୁ ନେଇ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ରୁଲିଂ ଦେଇଥିଲେ। ବିଭାଗୀୟ ମନ୍ତ୍ରୀ ଶନିବାର ଗୃହରେ ଉତ୍ତର ରଖିବାକୁ ବାଚସ୍ପତି ଶ୍ରୀ ପାତ୍ର ରୁଲିଂ ଦେଇଥିଲେ।
ତେବେ ଆଜି ଏ ସମ୍ପର୍କରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ବିବୃତି ରଖିଥିଲେ। ଡକ୍ୟୁମେଣ୍ଟରେ ହୋଇଥିବା ତ୍ରୁଟି ଅନିଚ୍ଛାକୃତ ବୋଲି ମନ୍ତ୍ରୀ ଶ୍ରୀ ଦାଶ କହିଥିଲେ। ଏହାଛଡ଼ା ସେ କହିଥିଲେ ଯେ, ଘଟଣାକୁ ବିଭ୍ରାନ୍ତ ଓ ପରିବର୍ତ୍ତନ କରି ଦର୍ଶାଇବା ଉଦେଶ୍ୟ ନଥିଲା। ମାସକ ମଧ୍ୟରେ ପୁନଃମୁଦ୍ରଣ କରି ଲିଫଲେଟ ବଣ୍ଟାଯିବ। ଲିଫଲେଟ ପ୍ରସ୍ତୁତିରେ ସମ୍ପୃକ୍ତ କର୍ମଚାରୀଙ୍କୁ ସେବାନିବୃତ କରାଯିବ। ଏହି ଘଟଣାକୁ ନେଇ ୨ ଜଣ ଅଧିକାରୀଙ୍କୁ ମଧ୍ୟ କୈଫିୟତ ତଲବ କରାଯାଇଥିବା ମନ୍ତ୍ରୀ ଶ୍ରୀ ଦାଶ କହିଥିଲେ ।

Comments are closed.