Odisha Link
Bridging the Missing Links in Odisha

ବିଶ୍ବରେ ସର୍ବାଧିକ ସହୃଦୟ ବ୍ୟକ୍ତି ଆମ ଦେଶରେ

ଶୁଭ୍ରାଂଶୁ ପଣ୍ଡାଙ୍କ ସ୍ତମ୍ଭ ‘ଶୁଭସ୍ବର’

ଉଦାର ଭାରତ

ଗତକାଲି ରାତିରେ ଶୋଇବାକୁ ଯିବା ପୂର୍ବରୁ ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଦେଖି ବେଶ୍‌ ବ୍ୟଥା ଲାଗିଥିଲା। ସେ ଦୃଶ୍ୟରେ ଜଣେ ପିଆଜ ଚାଷୀ କାନ୍ଦି କାନ୍ଦି ନିଜର ଦୁଃଖ ବଖାଣୁଥିଲେ। “ଅନ୍ୟ ସମୟରେ ଦରଦାମ ଠିକ ରହୁଛି। ଠିକ ଅମଳ ବେଳକୁ ବ୍ୟବସାୟୀ କହୁଛି- ବଜାର ମାନ୍ଦା, ଏବେ କିଣି ହେବନି। – ଏମିତି ପରିସ୍ଥିତିରେ ଆମେ ନେହୁରା ହୋଇ ଶାଗମାଛ ଦରରେ ଆମ ପିଆଜ ବ୍ୟବସାୟୀ ହାତକୁ ବଢ଼ାଇ ଦେବାକୁ ବାଧ୍ୟ ହେଉଛୁ। ଏମିତି ହେଲେ, ମୋ ପିଲାଙ୍କୁ କେମିତି ପାଠ ପଢ଼ାଇବି, ମୋ ବୁଢ଼ା ବାପାମା’ଙ୍କ ମୁହଁରେ କେମିତି ଦାନା ଦେବି? ମୁଁ କ’ଣ ଦାନାଦାର ଖାଇ ଆତ୍ମହତ୍ୟା କରିପାରିବି?”

ଚାଷୀଙ୍କର ଏ ପ୍ରଶ୍ନ ମୋତେ ଢେର ଡେରି ଯାଏ ବିନିଦ୍ର ରଖିଥିଲା। ଯେଉଁଠି ମଦ ଦୋକାନ ସଂଖ୍ୟା ବୃଦ୍ଧି କରି ବା ଗଞ୍ଜେଇ ଚାଷକୁ ପ୍ରୋତ୍ସାହିତ କରି ସରକାର ରାଜସ୍ବ ଆଦାୟ ପାଇଁ ଲାଳାୟିତ, ଯେଉଁ ଦେଶରେ ଗଳି ଗଳିରେ ମନ୍ଦିର, ମସ୍‌ଜିଦ୍, ଗୀର୍ଜା ଗଢ଼ିବା ପାଇଁ ଚାଲିଛି କସରତ୍, ଧର୍ମନିରପେକ୍ଷ ବୋଲାଉଥିବା ରାଷ୍ଟ୍ରରେ ଯେଉଁଠି ଧର୍ମୀୟ ମାମଲାରେ ସରକାରଙ୍କର ବେଶି ଆଗ୍ରହ, ଯେଉଁଠି ଜନତାର ଏକ ବିଶାଳ ଗୋଷ୍ଠୀ ନିଜ ପରପିଢ଼ିକୁ ଭାତ-ରୁଟି ବଦଳରେ ଧର୍ମ, ସାଂପ୍ରଦାୟିକତା, ଜାତୀୟତାବାଦ ଓ ଦେଶଭକ୍ତି ଖୁଆଇବାକୁ ବ୍ୟଗ୍ର, ଏବଂ ଯେଉଁ ଦେଶରେ ନିରପେକ୍ଷତା ଓ ଅଧିକାର ଆଳରେ ଦେଶର ସଂସ୍କୃତି ପରମ୍ପରାକୁ ନଷ୍ଟ କରିବା ତଥା ଦେଶର ଆଭ୍ୟନ୍ତରରେ ଅରାଜକତା ସୃଷ୍ଟି କରିବା ଜନ୍ମସିଦ୍ଧ ଅଧିକାର ବୋଲି ଆଉ ଗୋଷ୍ଠୀଏଙ୍କର ମତ ଠିକ ସେତିକି ବେଳେ ସେ ଚାଷୀର କାନ୍ଦକାନ୍ଦ ସ୍ବର ଓ କରୁଣ ମୁହଁ ଦେଖିବା ବେଳେ ଅଲକ୍ଷ୍ୟରେ ମୋତେ କେଉଁଠୁ ଠୋ ଠୋ ଚଟକଣା ଶବ୍ଦ ହି ଶୁଭୁଥିଲା।

ଜଣେ ସଂସ୍କୃତଜ୍ଞ ମୁସଲିମ୍‌ଙ୍କୁ ବନାରସ୍‌ ହିନ୍ଦୁ ବିଶ୍ବବିଦ୍ୟାଳୟର ସଂସ୍କୃତ ବିଭାଗରେ ନିଯୁକ୍ତି ମିଳିବା ପ୍ରତିବାଦରେ ଦଳେ ଲୋକ ଗତ ୩ ଦିନ ହେଲା ହୋମଯଜ୍ଞ କରି ଧାରଣାରେ ବସିଛନ୍ତି। ସେ ଯେତେ ସଂସ୍କୃତ ପାଠ ପଢ଼ିଲେ ବି ସଂସ୍କୃତ ପଢ଼ାଇବା କେବଳ ହିନ୍ଦୁଙ୍କର ଏକଚାଟିଆ ଅଧିକାର ବୋଲି ବିରୋଧୀଙ୍କ ମତ।ଫିରୋଜ ଖାନ୍‌ ନାମକ ଏହି ବ୍ୟକ୍ତ ଦ୍ବିତୀୟ ଶ୍ରେଣୀରୁ ସଂସ୍କୃତ ପଢ଼ିଛନ୍ତି ଓ ସେ ଭାଷା ପ୍ରତି ଆଗ୍ର ଜନ୍ମିବାରୁ ପରେ ଉଚ୍ଚଶିକ୍ଷା ଲାଭ କରିଛନ୍ତି।

ଦଳ, ଧର୍ମ, ପ୍ରସଙ୍ଗ ନିର୍ବିଶେଷରେ ଆମର ଶାସକ ଗୋଷ୍ଠୀ ଓ ସେମାନଙ୍କ ଦ୍ବାରା ବାରମ୍ବାର ମସ୍ତିଷ୍କ-ଶୋଧିତ ହୋଇ ସାରିଥିବା ଆମର ବିଭାଜିତ ଜନତାଙ୍କର ହାବଭାବ ଦେଖିଲେ ଆମ ଭିତରେ ମଣିଷପଣିଆ, ହୃଦୟବତ୍ତା, କରୁଣା ଓ ଅପର ପ୍ରତି ଉଦାର ଭାବ କ୍ରମଶଃ କମିଆସୁଥିବା ପରି ମନେହେଉଛି। ସାହି ସାହିରେ ଲୋକେ ବିଭାଜିତ, ଶ୍ରେଣୀ ଗୃହରେ ଛାତ୍ର ବିଭାଜିତ, କର୍ମଚାରୀ ବିଭାଜିତ, ସାମ୍ବାଦିକ ବିଭାଜିତ, ସାମଜିକ ଗଣମାଧ୍ୟମରେ ବନ୍ଧୁ ବନ୍ଧୁ ବିଭାଜିତ। ଭିନ୍ନ ମତ ପୋଷଣ କରିବା ଅନ୍ୟାୟ ନୁହେଁ। କିନ୍ତୁ ନିଜର ମତକୁ ଯୋର୍‌ କରି ଅପର ଉପରେ ଲଦିଦେବା ଓ ନିଜ ମତ ସହ ଅସହମତ ଲୋକକୁ ଅସହିଷ୍ଣୁ ହୋଇ ସର୍ବସମ୍ମୁଖରେ ଅପମାନ କରିବା ଏକ ନୂଆ ପରମ୍ପରା ଭାବେ ଉଭା ହୋଇଛି। ବେଦ, ବାଇବଲ୍‌ ବା କୋରାନ୍‌ ଭଳି ବିଭିନ୍ନ ମତବାଦ, ଦଳ ବା ଅନୁଷ୍ଠାନ ଦ୍ବାରା ପ୍ରେରିତ ଜନତାମାନଙ୍କ ପାଇଁ କିଛି ସ୍ଥାୟୀ ସନ୍ଦର୍ଭ ପ୍ରସ୍ତୁତ ହୋଇସାରିଛି। ତାହା ହିଁ ତାଙ୍କ ପାଇଁ ବେଦ ପାଲଟିଛି। ସେହି ସନ୍ଦର୍ଭରେ ବିଶ୍ବାସ କରୁ ନଥିବା ବ୍ୟକ୍ତି ବା ସେହି ସନ୍ଦର୍ଭର କୌଣସି ବ୍ୟାଖ୍ୟାନକୁ ବିରୋଧ କରୁଥିବା ଲୋକ ହଠାତ୍ ବିଶ୍ବାସୀଙ୍କ ଦ୍ବାରା ଦେଶଦ୍ରୋହୀ, ବିକାଶବିରୋଧୀ, ଭକ୍ତ, ଚାମଚା, ପ୍ରେଷ୍ଟିଚ୍ୟୁଟ୍, ଆପ୍ଟାର୍ଡ, ଖାକିଚଡ଼ିବାଲା, ଗୋରୁପଲ, ପାକିସ୍ତାନୀ, ଖାଂଗ୍ରେସୀ, ଗାନ୍ଧିହତ୍ୟାକାରୀ ଭଳି ବହୁ ବିଶେଷଣରେ ଆଭୂଷିତ ହୋଇଥାଆନ୍ତି।

ଏପରିକି ନିଜ ଧର୍ମ, ନିଜ ବିଶ୍ବାସ, ନିଜ ଦଳ, ନିଜ ମତବାଦ ବା ବିଚାର ସହ ସହମତ ନ ଥିବା ଲୋକଟି ଅସୁବିଧାରେ ପଡ଼ିଥିବା ବେଳେ ସହଯୋଗର ହାତ ବଢ଼ାଇବା ପରିବର୍ତ୍ତେ ଲୋକମାନେ ତାଳିମାରି ତାହାକୁ କର୍ମଫଳ ବୋଲି ଆଖ୍ୟା ଦେବାର ପ୍ରମାଣ କିଛି କମ ନାହିଁ। ଅନେକ ସମୟରେ ଏହି ମସ୍ତିଷ୍କ-ଶୋଧିତ ବ୍ୟକ୍ତିମାନେ ଭୟଙ୍କର ଜନ୍ତୁ ଠାରୁ ବି ଅଅଧିକ ହିଂସ୍ର ହେବାର ନଜିର ରହିଛି। କେଉଁଠି ଫ୍ରିଜ୍‌ରେ ଗୋମାଂସ ରଖିବା ପ୍ରତିବାଦରେ କାହାକୁ ଘରୁ ଘୋଷଡ଼ି ଆଣି ହତ୍ୟା କରାଗଲାଣି ତ ଆଉ କେଉଁଠି ଅପର ଗୋଷ୍ଠୀ ଦେଶ ବିରୋଧୀ ଶ୍ଲୋଗାନ୍‌ ଦେଇ ସର୍ବସାଧାରଣ ସ୍ଥାନରେ ହାତରେ ମେଞ୍ଚା ମେଞ୍ଚା ରକ୍ତାକ୍ତ ମାଂସ ଧରି ଜଙ୍ଗଲି ଜନ୍ତୁ ଭଳି ଖାଇଲେଣି। କେଉଁଠି ନିର୍ଦ୍ଦିଷ୍ଠ ସରକାର ବା ନେତାଙ୍କୁ ସମାଲୋଚନା କଲେ ‘ପାକିସ୍ତାନ ଚାଲିଯାଅ’ ବୋଲି ଟାପପରା ଶୁୁଣାଯାଉଥିବା ବେଳେ ଆଉ କେଉଁଠି ସର୍ବସାଧାରଣ ସଭାରେ ଦେଶ ଓ ଦେଶର ନିର୍ବାଚିତ ନେତାଙ୍କ ବିରୋଧରେ ଘୃଣାପୂର୍ଣ୍ଣ ବକ୍ତବ୍ୟ ଦିଆଗଲାଣି। କେଉଁଠି ଗାନ୍ଧିଜୀଙ୍କ ହତ୍ୟାକାରୀକୁ ମହାପୁରୁଷ ଭାବେ ଉଭା କରାଗଲାଣି ତ ଆଉ କେଉଁଠି ଅନୁଗାମୀଙ୍କ ଉପରେ ରାଗ ସୁଝାଇବା ପାଇଁ ମହାପୁରୁଷମାନଙ୍କ ପ୍ରତିମୂର୍ତ୍ତି ଭ‌ଙ୍ଗାଗଲାଣି।

ଦଳ, ଧର୍ମ, ପ୍ରସଙ୍ଗ ନିର୍ବିଶେଷରେ ଆମର ଶାସକ ଗୋଷ୍ଠୀ ଓ ସେମାନଙ୍କ ଦ୍ବାରା ବାରମ୍ବାର ମସ୍ତିଷ୍କ-ଶୋଧିତ ହୋଇ ସାରିଥିବା ଆମର ବିଭାଜିତ ଜନତାଙ୍କର ହାବଭାବରୁ ଜଣାପଡ଼ୁଛି ସତେ ଯେମିତି କ୍ରମଶଃ ଆମ ଭିତରୁ ମଣିଷପଣିଆ, ହୃଦୟବତ୍ତା, କରୁଣା ଓ  ଉଦାର ଭାବ ଲୋପ ପାଇଯାଉଛି। କିନ୍ତୁ ଏହାକୁ ଭୁଲ ପ୍ରମାଣିତ କରିଛି ଏକ ବିଶ୍ବସ୍ତରୀୟ ସ୍ବାଧୀନ ସର୍ବେକ୍ଷଣ। ଅନେକ ସର୍ଭା ଅନୁସାରେ ବିଭିନ୍ନ ସମୟରେ ଅପରାଧ, ଦାରିଦ୍ର‍୍ୟ, ମହିଳାଙ୍କ ପ୍ରତି ହିଂସା ଆଦି କ୍ଷେତ୍ରରେ ବିଶ୍ବସ୍ତରରେ ଭାରତର ସ୍ଥିତି ଲଜ୍ଜାଜନକ ଥିବା ବେଳେ ନିକଟ ଅତୀତରେ ଉଦାରତାକୁ ନେଇ ହୋଇଥିବା ସର୍ଭେ ରିପୋର୍ଟ ଦେଖି ଜଣେ ଭାରତୀୟ ଭାବେ ଆପଣ ଗର୍ବିତ ହେବେ ଅବଶ୍ୟ।

ଚାରିଟି ଏଡ୍‌ ଫାଉଣ୍ଡେସନ୍‌ (CAF) ପକ୍ଷରୁ ବିଶ୍ବର ବିଭିନ୍ନ ଦେଶର ଉଦାରତାକୁ ନେଇ ହୋଇଥିବା ସର୍ଭେ(୨୦୧୬ ଯାଏଁ)ରେ ଭାରତ ସର୍ବାଗ୍ରେ ରହିଛି। ଭାରତର ଜନତା ଅଜଜଣା ଲୋକକୁ ସହଯୋଗ କରିବା, ଅନ୍ୟ ପାଇଁ ସମୟ ଦେବା ଓ ସେବା କାର୍ଯ୍ୟ ପାଇଁ ଦାନ ଦେବାରେ ବିଶ୍ବର ଅନ୍ୟ ଦେଶର ଅଧିବାସୀଙ୍କ ଠାରୁ ବେଶ୍‌ ଆଗରେ ବୋଲି ଏହି ରିପୋର୍ଟ କହୁଛି।

CAF ଦ୍ବାରା ନିକଟରେ ଛଡ଼ାଯାଇଥିବା ଓ୍ବାର୍ଲଡ ଗିଭିଂ ଇଣ୍ଡେକ୍ସ (WGI) ଅନୁସାରେ ଶତକଡ଼ା ଦୃଷ୍ଟିରୁ ମ୍ୟାମାର୍‌ ସର୍ବାଗ୍ରେ ଓ ତା ପଛକୁ ଆମେରିକା, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ୍, କାନାଡ଼ା ଆଦି ଥିବା ବେଳେ ଭାରତ ୯୧ ତମ ସ୍ଥାନରେ ରହିଛି। ୨୦୧୪ରେ ଭାରତ ୧୦୬ରେ ଥିବା ବେଳେ ୨୦୧୫ରେ ଉତ୍ତମ ସ୍ଥିତିକୁ ଉନ୍ନୀତ ହୋଇଛି। ଜନବହୁଳ ରାଷ୍ଟ୍ର ଚୀନ ସବୁଠୁ ପଛରେ ୧୪୦ ତମ ସ୍ଥାନରେ ରହିଛି।

ତେବେ ଜନସଂଖ୍ୟା ଦୃଷ୍ଟିରୁ ଦେଖିଲେ ଭାରତରେ ଉଦାର ଲୋକଙ୍କ ସଂଖ୍ୟା ବିଶ୍ବରେ ସର୍ବାଧିକ। WGI ରିପୋର୍ଟ କହୁଛି ଭାରତରେ ୪୦ କୋଟିରୁ ଅଧିକ ଲୋକ ୨୦୧୫ ମସିହାରେ ଅଜଣା ଲୋକଙ୍କୁ ସହଯୋଗ କରିଛନ୍ତି। ସେହିପରି ୨୦୧୫ରେ ୨୦ କୋଟିରୁ ଅଧିକ ଲୋକ ସ୍ବଇଚ୍ଛାରେ ସେବା ପାଇଁ ଦାନ କରିଛନ୍ତି।

ଭାରତରେ ଦାନଦେବା ଓ ଅନ୍ୟକୁ ସହଯୋଗ କରିବାର ପରଂପରା ରହିଛି ବୋଲି ସିଏଏଫ୍‌ ଇଣ୍ଡିଆ ମୁଖ୍ୟ କାର୍ଯ୍ୟନିର୍ବାହୀ ମୀନାକ୍ଷୀ ବାତ୍ରା କହିଛନ୍ତି। ଦିନକୁ ଦିନ ଭାରତୀୟଙ୍କର ଏ ଦେବା ଆଚରଣ (culture of giving) ବଢ଼ୁଛି। ନେପାଳ ଭୂକମ୍ପ ଓ ତାମିଲନାଡ଼ୁ ବନ୍ୟା ବିତ୍ପାତ ଏହାର ଉଦାହରଣ ବୋଲି ସେ କହିଛନ୍ତି।

ବ୍ରିଟେନ୍‌ର ଏହି ସଂସ୍ଥା ସିଏଏଫ୍‌ ବିଶ୍ବର ୧୪୦ଟି ଦେଶରେ ସର୍ଭେ କରିଛନ୍ତି। ଜନସଂଖ୍ୟା ଦୃଷ୍ଟିରୁ ଭାରତ ସର୍ବାଗ୍ରେ ଥିବା ବେଳେ ଚୀନ ଦ୍ବିତୀୟ ଓ ଆମେରିକା ତୃତୀୟ ସ୍ଥାନରେ ରହିଛି।

ଏ ଆଲେଖର ଆରମ୍ଭରେ ଭାରତର କ୍ରମପରିବର୍ତ୍ତିତ ଜାତୀୟ ଚରିତ୍ର ନେଇ ମୋର (ଅନେକଙ୍କର ବି) ଯେଉଁ ଧାରଣା ଥିଲା ଅସଲରେ ତାହା ଭୁଲ ପ୍ରମାଣିତ ହୋଇଛି। ପ୍ରକୃତ କଥା ହେଲା ଅସହିଷ୍ଣୁ, ହିଂସ୍ର, ଅନୁଦାର ଓ ହୃଦୟହୀନ ବ୍ୟକ୍ତିଙ୍କ ସଂଖ୍ୟା ଆମ ଦେଶରେ ଖୁଉବ୍‌ କମ୍। ତେବେ ସେମାନେ ସଂଗଠିତ ଓ ଏତେ ମାତ୍ରାରେ ନିଜକୁ ବିଜ୍ଞାପିତ କରୁଛନ୍ତି ଯେ ସଚରାଚର ସେହିଭଳି ଲୋକ ରହିଥିବା ଭ୍ରମ ସୃଷ୍ଟି ହେଉଛି। ଭଲ ଲୋକଙ୍କ ସଂଖ୍ୟା ଅଧିକ ହେଲେ ହେଁ ସେମାନେ ସଂଗଠିତ ନୁହନ୍ତି କିମ୍ବା ନିଜର ଭଲପଣର ପ୍ରଚାର କରିବାକୁ ଚାହାନ୍ତିନାହିଁ।

ଉଦାର ଭାରତରେ ଜନଶକ୍ତି ହିଁ ସବୁ ଠୁ ବଡ଼ ଶକ୍ତି ବୋଲି ଅତୀତରେ ବାରମ୍ବାର ପ୍ରମାଣିତ ହୋଇଛି। ଭଲଲୋକମାନେ ସଂଗଠିତ ହୋଇ ହିଂସ୍ର, ଉଗ୍ର ଓ ବୈରଭାବ ରଖୁଥିବା ବ୍ୟକ୍ତିମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ସାମାଜିକ ବାସନ୍ଦ କରିବାର ସମୟ ଆସିଛି।

Comments are closed.