Odisha Link
Bridging the Missing Links in Odisha

ଟୋକନ୍ ତାତି: ଗୃହ ସ୍ବାଭାବିକ ପାଇଁ ବାଚସ୍ପତି ଡାକିଲେ ସର୍ବଦଳୀୟ ବୈଠକ

ଭୁବନେଶ୍ବର: ବିଧାନସଭା ଶୀତ ଅଧିବେଶନର ଆଜି ଅଷ୍ଟମ ଦିନ। ଆଜି ବି ଚାଲିପାରିଲାନି ପ୍ରଶ୍ନକାଳ। ଶୂନ୍ୟକାଳରେ ମଧ୍ୟ ଟୋକନ ବ୍ୟବସ୍ଥା ପ୍ରତ୍ୟାହାର ଦାବି କରି ଉଭୟ କଂଗ୍ରେସ ଓ ବିଜେପି ସଦସ୍ୟ ହଟ୍ଟଗୋଳ କରିଥିଲେ। ଫଳରେ ବାଚସ୍ପତି ଗୃହକୁ ଦିନ ୧୨ଟା ୩୦ ପର୍ଯ୍ୟନ୍ତ ମୁଲତବୀ କରିଛନ୍ତି। ଗୃହ କାର୍ଯ୍ୟ ସ୍ବାଭାବିକ କରିବା ପାଇଁ ସର୍ବଦଳୀୟ ବୈଠକ ଡାକିଛନ୍ତି ବାଚସ୍ପତି।
ଗୃହ କାର୍ଯ୍ୟ ଆରମ୍ଭରୁ ଧାନର ଅଭାବୀ ବିକ୍ରି ପ୍ରସଙ୍ଗ ଉଠାଇ ଗୃହରେ କଂଗ୍ରେସ ସଦସ୍ୟମାନେ ହୋହଲ୍ଲା କରିଥିଲେ। ସରକାର ଟୋକନ ବ୍ୟବସ୍ଥାକୁ ତୁରନ୍ତ ପ୍ରତ୍ୟାହାର ଦାବି କରି କଂଗ୍ରେସ ସଦସ୍ୟ ଗୃହର ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିଥିଲେ। ପ୍ରଶ୍ନକାଳ ବାତିଲ କରି ଏ ପ୍ରସଙ୍ଗରେ ଆଲୋଚନା ହେଉ ବୋଲି ଦାବି କରିଥିଲେ। କଂଗ୍ରସ ସଦସ୍ୟ ବାଚସ୍ପତିଙ୍କ ପୋଡିୟମ ଉପରକୁ ଚଢିବାକୁ ଉଦ୍ୟମ କରିବା ସହ ବାଚସ୍ପତି ଏନେଇ ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେବାକୁ ଦାବି କରିଥିଲେ। ଫଳରେ ବାଚସ୍ପତି ଗୃହକାର୍ଯ୍ୟକୁ ଦିନ ସାଢେ ୧୧ଟା ଯାଏଁ ମୁଲତବି ଘୋଷଣା କରିଥିଲେ।
ସୂଚନା ଅନୁସାରେ ପୂର୍ବରୁ ଧାନକିଣା ପାଇଁ ଟୋକନ୍ ବ୍ୟବସ୍ଥାକୁ ପଶ୍ଚିମ ଓଡିଶାର ଚାଷୀ ବିରୋଧ କରିଥିଲେ। ପଶ୍ଚିମ ଓଡିଶାର ୪ ବିଧାୟକଙ୍କ ବାସଭବନ ଘେରିଥିଲେ ଚାଷୀ। ଧାନ ବିକ୍ରି ପାଇଁ ସରକାର କରିଥିବା ଟୋକନ୍ ବ୍ୟବସ୍ଥା ନିଷ୍ପତ୍ତିକୁ ବିରୋଧ କରି ଆନ୍ଦୋଳନ ଚଳାଇଛନ୍ତି ପଶ୍ଚିମ ଓଡିଶାର ଶହ ଶହ ଚାଷୀ। ଗତକାଲି ବରଗଡ ଜିଲ୍ଲା ଅତାବିରା ବନ୍ଦ ଡାକରା ଦେଇଥିଲେ ଚାଷୀ। ମାତ୍ର ଟୋକନ ବ୍ୟବସ୍ଥା ପ୍ରତ୍ୟାହର ହେବନି, ଏହା ଅଛି ଓ ରହିବ ବୋଲି ଗତକାଲି ଗୃହରେ ସୂଚନା ଦେଇଥିଲେ ଖାଦ୍ୟଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ । ମନ୍ତ୍ରୀ କହିଥିଲେ ଯେ, ଏହା ସ୍ଵଚ୍ଛ, ନିର୍ମଳ ଓ ନୂଆ ପଦ୍ଧତି। ଚାଷୀଙ୍କୁ ଅନୁରୋଧ ଏହିକୁ ସମସ୍ତେ ଆପଣାନ୍ତୁ। ଏହାଦ୍ବାରା ଉଚିତ୍ ମୂଲ୍ୟ ଓ ଅଧିକାର ପାଇବେ ଚାଷୀ। ଯଦି ଏହାକୁ ଆହୁରି ଭଲ କରିବା ପାଇଁ କିଛି ନୂଆ ମତାମତ ଚାଷୀ ଦେବେ ତେବେ ତାକୁ ରାଜ୍ୟ ସରକାର ଗ୍ରହଣ କରିବେ ବୋଲି ମନ୍ତ୍ରୀ କହିଥିଲେ।

Comments are closed.