Odisha Link
Bridging the Missing Links in Odisha

ପୃଥ୍ବୀ-୨ର ଦ୍ବୈତ ପରୀକ୍ଷା ସଫଳ

ଚାନ୍ଦିପୁର: ବାଲେଶ୍ବର ଜିଲ୍ଲା ଚାନ୍ଦିପୁରସ୍ଥିତ ଆଇଟିଆର୍‌ ଗତକାଲି କିଛି ସମୟ ବ୍ୟବଧାନରେ ଦୁଇ ଦୁଇଥର ପୃଥ୍ବୀ-୨ ମିଜାଇଲ୍‌ର ବ୍ୟବହାରିକ ସଫଳ ପରୀକ୍ଷା କରାଯାଇଛି। ଆଇଟିଆର୍‌ ୩ ନମ୍ବର ଲଞ୍ଚ୍‌ପ୍ୟାଡ୍‌ରୁ ଏହାର ପ୍ରଥମ ପରୀକ୍ଷା ସଂଧ୍ୟା ପ୍ରାୟ ୭ଟା ୬ ମିନିଟ୍‌ରେ ହୋଇଥିବା ବେଳେ ପରବର୍ତୀ ପରୀକ୍ଷା ୭ଟା ୧୦ ମିନିଟ୍‌ରେ ହୋଇଥିବା ବିଭାଗୀୟ ସୂତ୍ରରୁ ଜଣାପଡ଼ିଛି। ଡିଆର୍‌ଡିଓର ରାଡାର ଏବଂ ଇଲେକ୍‌ଟ୍ରୋ ଅପ୍‌ଟିକାଲ୍‌ ଟ୍ରାକିଂ ସିଷ୍ଟମ ଦ୍ୱାରା ଓଡ଼ିଶା ଉପକୂଳସ୍ଥ ଟେଲିମେଟ୍ରି ଷ୍ଟେସନ୍‌ ସହାୟତାରେ ପୃଥ୍ବୀ-୨ର ଗତିପଥ ଉପରେ ନଜର ରଖାଯାଇଥିଲା।

ପୃଥ୍ବୀ-୨ ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ହୋଇଅଛି। ଏହାକୁ ୨୦୦୩ ମସିହାରୁ ଭାରତୀୟ ସେନାରେ ସାମିଲ କରାଯାଇଛି। ତେବେ ଡିଆର୍‌ଡିଓ ସହଯୋଗରେ ପ୍ରତିରକ୍ଷା ବାହିନୀର ଷ୍ଟ୍ରାଟେଜିକ୍‌ ଫୋର୍ସର କମାଣ୍ଡୋଙ୍କ ପକ୍ଷରୁ ନିୟମିତ ଭାବେ ଏହାର ବ୍ୟାବହାରିକ ଦିଗକୁ ନେଇ ପରୀକ୍ଷା କରାଯାଇଥାଏ। ଭୂପୃଷ୍ଠରୁ ଭୂପୃଷ୍ଠକୁ ଉତ୍‌କ୍ଷେପଣ ହୋଇପାରୁଥିବା ଏହି ମିଜାଇଲ୍‌ ୩୫୦ କିମି ପର୍ଯ୍ୟନ୍ତ ଲକ୍ଷ୍ୟଭେଦ ସହ ୫୦୦ରୁ ୧୦୦୦ କିଲୋଗ୍ରାମ ପର୍ଯ୍ୟନ୍ତ ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରଖିଛି। ଯାହାର ଲମ୍ବ ୯ ମିଟର, ମୋଟେଇ ୧୧୦ ସେମି ଓ ଓଜନ ୪.୬ ଟନ୍‌ ଥିବା କୁହାଯାଇଛି।

Comments are closed.