Odisha Link
Bridging the Missing Links in Odisha

ମେଣ୍ଟ ସରକାର ହେଲେ ବିଜେପିର ଲାଭ: ସଞ୍ଜୟ

ମୁମ୍ୱାଇ: ମହାରାଷ୍ଟ୍ରରେ ଶିବସେନା, ଏନସିପି ଓ କଂଗ୍ରେସ ମିଶି ସରକାର ଗଢ଼ିବାକୁ ଯାଉଛନ୍ତି। ଯାହା ଏବେ ମହାରାଷ୍ଟ୍ର ରାଜନୀତିରେ ଚର୍ଚ୍ଚାର ବିଷୟ। ହେଲେ ଏହାକୁ ଗ୍ରହଣ କରିପାରୁନାହାନ୍ତି ମହାରାଷ୍ଟ୍ରର ପୂର୍ବତନ କଂଗ୍ରେସ ସଭାପତି ସଞ୍ଜୟ ନିରୂପମ। ସେ କହିଛନ୍ତି ଯେ, ତିନି ଦଳ ମିଶି କେତେ ଦିନ ପର୍ଯ୍ୟନ୍ତ ଏକାଠି ହୋଇ ସରକାର ଗଢ଼ିବେ? ଏଠି ବିଜେପି କାହା ସହିତ ମିଶି ସରକାର ଗଢ଼ୁ, ନହେଲେ ନିର୍ବାଚନ ହେଉ, ସବୁଥିରେ ବିଜେପି ଫାଇଦାରେ ରହିବ। କଂଗ୍ରେସ ହିଁ କ୍ଷତିରେ ରହିବ ବୋଲି ସଞ୍ଜୟ ନିରୂପମ କହିଛନ୍ତି।

ଏଥିସହିତ ସେ କହିଛନ୍ତି ଯେ, ଏହି ମେଣ୍ଟ ସରକାରର ଅସଲ ଉଦ୍ଦେଶ୍ୟ ବିଜେପିକୁ କ୍ଷମତାରୁ ଦୂରେଇ ରଖିବା ପାଇଁ। ହେଲେ ଏହି ମେଣ୍ଟ ଦ୍ୱାରା ଭବିଷ୍ୟତରେ ବିଜେପି ହିଁ ଲାଭବାନ ହେବ। କଂଗ୍ରେସ ସବୁଠାରୁ କ୍ଷତିରେ ରହିବ ବୋଲି ୫୪ ବର୍ଷୀୟ ଏହି କଂଗ୍ରେସ ନେତା ଆଜି ଟୁଇଟ୍ କରି କହିଛନ୍ତି।

ଏହା ପୂର୍ବରୁ ମଧ୍ୟ ସଞ୍ଜୟ କହିଥିଲେ, ଶିବସେନା ସହିତ ମିଶି କଂଗ୍ରେସ ସରକାର କଲେ ଭବିଷ୍ୟତରେ ଏହି ସର୍ବ ପୁରାତନ ଦଳ ରାଜ୍ୟରେ ନିଜର ଅସ୍ତିତ୍ୱ ହରାଇବ। ଉଦାହରଣ ଦେବାକୁ ଯାଇ ଉତ୍ତର ପ୍ରଦେଶରେ କଂଗ୍ରେସ-ବିଏସପି ସରକାର କଥା କହିଥିଲେ ନିରୂପମ । ସୂଚନାଯୋଗ୍ୟ, ୟୁପିରେ ଏହି ସରକାର ପରେ କଂଗ୍ରେସ ଏକ ପ୍ରକାର ଅସ୍ତିତ୍ୱ ହରାଇଛି।

Comments are closed.