Odisha Link
Bridging the Missing Links in Odisha

ଆସନ୍ତାକାଲି ଫ୍ଲୋର ଟେଷ୍ଟ: କ’ଣ କହିଲେ ନେତା, ଜାଣନ୍ତୁ

ନୂଆଦିଲ୍ଲୀ: ନିର୍ଣ୍ଣାୟକ ମୋଡ଼ରେ ମହାରାଷ୍ଟ୍ର ମହାରାଷ୍ଟ୍ର ପାଓ୍ବାର ପ୍ଲେ। ଆସନ୍ତାକାଲିକୁ ସମସ୍ତଙ୍କ ଅପେକ୍ଷା କାରଣ କିଏ ଗଢ଼ିବ ସରକାର ତାହା ପୂରା ସ୍ପଷ୍ଟ ହୋଇଯିବ। ଆସନ୍ତକାଲି ସନ୍ଧ୍ୟା ୫ଟା ସୁଦ୍ଧା ଆସ୍ଥା ଭୋଟର ପରୀକ୍ଷା ଦେବାକୁ ଆଜି ସୁପ୍ରିମକୋର୍ଟ ନାଟକୀୟ ଢଙ୍ଗରେ କ୍ଷମତା ଦଖଲ କରିଥିବା ବିଜେପି ନେତୃତ୍ୱାଧୀନ ଦେବେନ୍ଦ୍ର ଫଡ଼ନାଭିସ ସରକାରଙ୍କୁ କହିଛନ୍ତି।

କଂଗ୍ରେସ-ଶିବସେନା ଓ ଏନସିପି ତୁରନ୍ତ ଆସ୍ଥା ଭୋଟ କରିବାକୁ ଦାବି କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।ଏହାର ଶୁଣାଣି କରି ସୁପ୍ରିମକୋର୍ଟ ଆଜି ଏହି ନିର୍ଦ୍ଦେଶ ଦେଇଛନ୍ତି। ତେବେ ଏହି ରାୟ ପରେ ସବୁଠାରୁ ଅଧିକ ଉତ୍ସାହିତ ହୋଇଛନ୍ତି କଂଗ୍ରେସ-ଏନସିପି ଓ ଶିବସେନା। ବିଜେପି ମଧ୍ୟ ଆସ୍ଥା ଭୋଟରେ ଜିତିବ ବୋଲି ଦମ୍ଭୋକ୍ତି କରିଛି। ତେବେ ଏହି ରାୟ ପରେ କିଏ କ’ଣ କହିଛନ୍ତି ଆସନ୍ତୁ ଜାଣିବା।

ଶରଦ ପାଓ୍ବାର: ଏନସିପି ମୁଖ୍ୟ ଶରଦ ପାୱାର କହିଛନ୍ତି ଯେ, ସାମ୍ବିଧାନିକ ପରମ୍ପରା ଓ ଗଣତନ୍ତ୍ରର ମୂଲ୍ୟବୋଧକୁ ବୁଝିଥିବାରୁ ମୁଁ ସୁପ୍ରିମକୋର୍ଟଙ୍କୁ ସମ୍ମାନ ଜଣାଉଛି। ମହାରାଷ୍ଟ୍ର ରାୟ ସମ୍ବିଧାନ ଦିବସ ଦିନ ଆସିଥିବାରୁ ଏହା ଅଧିକ ଆନନ୍ଦ ଦେଉଛି। ଏହା ଭାରତରତ୍ନ ଆମ୍ବେଦକରଙ୍କୁ ଉପଯୁକ୍ତ ଶ୍ରଦ୍ଧାଞ୍ଜଳି।

ଚନ୍ଦ୍ରକାନ୍ତ ପାଟିଲ: ସୁପ୍ରିମକୋର୍ଟଙ୍କ ରାୟ ପରେ ବିଜେପି ମହାରାଷ୍ଟ୍ର ମୁଖ୍ୟ ଚନ୍ଦ୍ରକାନ୍ତ ପାଟିଲ କହିଛନ୍ତି ଯେ, ଆମେ କୋର୍ଟଙ୍କ ରାୟକୁ ସମ୍ମାନ କରୁଛୁ। ଆମେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବାକୁ ପ୍ରସ୍ତୁତ। ଆମେ ବିଧାନସଭାରେ ଆମ ଶକ୍ତିପ୍ରଦର୍ଶନ କରିବୁ।

ସଞ୍ଜୟ ରାଉତ: ଶିବସେନା ନେତା ସଞ୍ଜୟ ରାଉତ କହିଛନ୍ତି ଯେ, ସତ୍ୟର ବିଜୟ ହୋଇଛି। ସତ୍ୟ ମେବ ଜୟତେ। ସତ୍ୟ କଷ୍ଟ ଦେଇପାରେ ହେଲେ କେବେ ସତ୍ୟକୁ କେହି ହରାଇ ପାରନ୍ତି ନାହିଁ। ଶିବସେନା-କଂଗ୍ରେସ-ଏନସିପି ୩୦ ମିନିଟ୍‌ରେ ହିଁ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବାକୁ ସକ୍ଷମ।

ରାମ ମାଧବ(ବିଜେପି): ଆସନ୍ତାକାଲି ବର୍ତ୍ତମାନ କାର୍ଯ୍ୟ କରୁଥିବା ସରକାର ନିଜର ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବେ। ବର୍ତ୍ତମାନର ସରକାର ହିଁ ରାଜ୍ୟକୁ ୫ ବର୍ଷ ପାଇଁ ଶାସନ କରିବେ। ସଂଖ୍ୟାଗରିଷ୍ଠତାର ପ୍ରମାଣ ବିଧାନସଭାରେ ଦିଆଯାଇ ଥାଏ ହୋଟେଲରେ ନୁହେଁ। ତେଣୁ ଆସନ୍ତାକାଲି ଯାଏ ସମସ୍ତଙ୍କୁ ଅପେକ୍ଷା କରିବାକୁ ପଡ଼ିବ।

ରଣଦୀପ ସୂର୍ଯ୍ୟେୱାଲା(କଂଗ୍ରେସ): ବିଜେପି-ଅଜିତ ପାୱାରଙ୍କ ବେଆଇନ ସରକାରଙ୍କ ଗାଲରେ ସୁପ୍ରିମକୋର୍ଟଙ୍କ ରାୟ ଏକ ଶକ୍ତ ଚାପୁଡ଼ା। ଯେଉଁମାନେ ଆସ୍ଥା ଭୋଟକୁ ଆଡ଼େଇ ଦେଇ କ୍ଷମତା ଦଖଲ କରି ଶାସନ କରିବାକୁ ଚାହୁଁଥିଲେ ସେମାନଙ୍କ ଅସଲ ମୁଖା ଖୋଲି ଯାଇଛି।

ଡି ରାଜା(ସିପିଆଇ): ସୁପ୍ରିମକୋର୍ଟ କ’ଣ ପାଇଁ ଏହି ରାୟ ଦେବାକୁ ୩ ଦିନ ସମୟ ନେଲେ। ରବିବାର ଛୁଟି ଦିନ ଥିଲେ ମଧ୍ୟ ସୁପ୍ରିମକୋର୍ଟ ଖୋଲିଥିଲା। କୋର୍ଟ ଚାହିଁଥିଲେ ସେହିଦିନ ରାୟ ପ୍ରକାଶ କରିପାରି ଥାଆନ୍ତେ। ହେଲେ କ’ଣ ପାଇଁ ସୁପ୍ରିମକୋର୍ଟ ୩ ଦିନ ନେଲେ ସେକଥା ମୁଁ ଭାବୁଛି।

Comments are closed.