Odisha Link
Bridging the Missing Links in Odisha

ତଦନ୍ତ ଚାଲିଛି, ରିପୋର୍ଟକୁ ଅପେକ୍ଷା: ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ବର: ଭୁବନେଶ୍ୱର କେୟାର ହସ୍ପିଟାଲ ନାଁରେ ଅଭିଯୋଗ ପରେ ତଦନ୍ତ ନିର୍ଦ୍ଦେଶ ଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ। ସ୍ୱାସ୍ଥ୍ୟମନ୍ତ୍ରୀଙ୍କ କହିବା ମୁତାବକ, ‘ବିରୋଧୀଙ୍କ ଅଭିଯୋଗ ଅନୁସାରେ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ସ୍ୱାସ୍ଥ୍ୟ ବିଭାଗର ଏକ ଟିମ କେୟାର ହସ୍ପିଟାଲରେ ଚଢ଼ାଉ କରିଛନ୍ତି। ତେଣୁ ତଦନ୍ତ କାର୍ଯ୍ୟ ଚାଲିଛି, ଦିନେ ଦୁଇ ଦିନ ଭିତରେ ରିପୋର୍ଟ ଆସିବ ବୋଲି କହିଛନ୍ତି ନବ ଦାସ।
ସେପଟେ ପାକିସ୍ତାନୀ ମାଲିକାନା ନେଇ ଖଣ୍ଡନ କରିଛି କେୟାର ହସ୍ପିଟାଲ। ଆଉ କହିଛି, ପାକିସ୍ତାନର କୌଣସି ବ୍ୟକ୍ତି ବିଶେଷ ଏହି ହସ୍ପିଟାଲ ସହ ସମ୍ପୃକ୍ତ ନୁହଁନ୍ତି। ହସ୍ପିଟାଲଟି ‘ଏଭର କେୟାର ଗ୍ରୁପ୍’ର ପ୍ରେସମିଟରେ ସୂଚନା ଦେଇଛନ୍ତି କେୟାର ହସ୍ପିଟାଲ କର୍ତ୍ତୃପକ୍ଷ। ଏହାପୂର୍ବରୁ ହସ୍ପିଟାଲ ମାଲିକଙ୍କ ପାକିସ୍ତାନ ସହ ଲିଙ୍କ ଅଛି ବୋଲି ଆଜି ବିଧାନସଭାରେ ଅଭିଯୋଗ ଆଣିଥିଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ। ଏପରିକି ଏ ଯାଏଁ ଏହି ହସପିଟାଲକୁ ଏନଓସି ମିଳିନାହିଁ ଆଉ ସଂପୃକ୍ତ ମାଲିକଙ୍କ ନାଁରେ ଅପରାଧିକ ମାମଲା ରହିଛି। କିପରି ଏହା ବିକ୍ରି ହେଲା ବୋଲି ଶୂନ୍ୟକାଳରେ ପ୍ରଶ୍ନ କରିଥିଲେ ବିରୋଧୀ ଦଳ ନେତା। ଯାହାକୁ ନେଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ।
କେଉଁ ପରିସ୍ଥିତିରେ ଅପରାଧୀ ବ୍ୟକ୍ତିଙ୍କୁ ଏହା ବିକ୍ରି କରାଗଲା ବୋଲି ସେନେଇ ଗୃହରେ ଉତ୍ତର ରଖିବାକୁ ଦାବି କରିଥିଲେ ବିରୋଧୀ ଦଳ ନେତା। ଆଉ ବିରୋଧୀ ଦଳ ନେତାଙ୍କ ସ୍ୱରରେ ସ୍ୱର ମିଳାଇ ସ୍ୱାସ୍ଥ୍ୟମନ୍ତ୍ରୀ ଏହାର ଅନୁସନ୍ଧାନ କରି ଉତ୍ତର ରଖିବାକୁ ଦାବି କରିଥିଲେ ତାରାପ୍ରସାଦ ବାହିନୀପତି। ଏହାର କିଛି ସମୟ ପରେ ବିଭାଗୀୟ ମନ୍ତ୍ରୀ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

Comments are closed.