ବିଧାନସଭାରେ କପା ଚାଷୀଙ୍କ କଥା ଉଠାଇଲେ ସୌମ୍ୟରଞ୍ଜନ

ଭୁବନେଶ୍ବର: ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଆଜି ବିଧାନସଭାରେ ଉଠାଇଲେ କପା ଚାଷୀଙ୍କ କଥା। ଆଉ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରି ସୌମ୍ୟ କହିଛନ୍ତି କି, ଧାନ କିଣା ଓ ଟୋକନ୍ ବ୍ୟବସ୍ଥାକୁ ନେଇ ସମସ୍ତେ ଉଦବେଗ ପ୍ରକାଶ କରୁଛନ୍ତି। ଧାନ ଛଡ଼ା ଅନ୍ୟ ଲାଭଜନକ ଫସଲକୁ ପ୍ରୋତ୍ସାହିତ କରାଯିବା ଉଚିତ୍।
ବଡ଼ କଥା ହେଲା, ସୋନପୁର ଜିଲ୍ଲାରେ ୬୦ଭାଗ ଧାନ ଚାଷ ହେଉଥିବା ବେଳେ ୪୦ ଭାଗ କପା ଚାଷ ହେଉଛି। କପାର ସର୍ବନିମ୍ନ ସହାୟକ ମୂଲ୍ୟ ୫ ହଜାର ୫୦୦ଟଙ୍କା ରହିଛି। କିନ୍ତୁ ଚାଷୀ କପା କେମିତି ବିକ୍ରି କରିବ ସେ ନେଇ କେହି ଉଦବେଗ ଓ ଆଗ୍ରହ ପ୍ରକାଶ କରୁନାହାନ୍ତି। ନଭେମ୍ବର ୨୦ରେ ସୋନପୁରରେ କପା ମଣ୍ଡି ଖୋଲିବାକୁ ସରକାର ଘୋଷଣା କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ତାହା କାର୍ଯ୍ୟକାରୀ ହେଇନି। ମନ୍ତ୍ରୀ ଦଲାଲରାଜ୍ ଶେଷ କରିବା କଥା କହୁଛନ୍ତି କିନ୍ତୁ ବର୍ତ୍ତମାନ ମଣ୍ଡି ନଖୋଲିବାରୁ ଦଲାଲ୍ ୪ ହଜାରରୁ ସାମାନ୍ୟ ଅଧିକ ଦରରେ କପା କିଣୁଛନ୍ତି।
ଯଦି ଏଭଳି ପରିସ୍ଥିତି ଲାଗିକି ରହେ ତେବେ ଥଣ୍ଡା କାକର ଯୋଗୁଁ କପା ଚାଷ ଉପରେ ପ୍ରଭାବ ପଡ଼ିବାପରେ ଆଉ ଆର୍ଦ୍ରତା ବୃଦ୍ଧି ପାଇବାରୁ କପାର ମାନ ଓ ଦର ଆହୁରି କମିବ। ତେଣୁ ସରକାର ଧାନଚାଷୀଙ୍କ ସହ ଅନ୍ୟ ଏକ ଲାଭଜନିତ ଫସଲ କପା ଚାଷୀଙ୍କ କ୍ଷେତ୍ରରେ ତୁରନ୍ତ ପଦକ୍ଷେପ ନିଅନ୍ତୁ ବୋଲି ବିଧାନସଭାରେ ଦାବି ଉଠାଇଛନ୍ତି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ।
Comments are closed.