ମଦୁଆ ଡ୍ରାଇଭରଙ୍କୁ ନିସ୍ତାର ନାହିଁ

ଭୁବନେଶ୍ବର: ପୁଣି ରାଜ୍ୟର ବିଭିନ୍ନ ସ୍ଥାନରେ ଚଢ଼ାଉ ଆରମ୍ଭ ହୋଇଛି। ୨୪ ଘଣ୍ଟା ଭିତରେ ଗିରଫ ହୋଇଛନ୍ତି ୧୬୦ ନିଶାଗ୍ରସ୍ତ ଗାଡ଼ି ଚାଳକ। ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୨୭ ଜଣ ଗିରଫ ହୋଇଥିବା ବେଳେ ମୟୁରଭଞ୍ଜରେ ୨୪, ଯାଜପୁର ୧୭ ଏବଂ ଅନୁଗୁଳ ଜିଲ୍ଲାରେ ୧୫ ଜଣ ଗିରଫ ହୋଇଛନ୍ତି । ମଦୁଆ ଡ୍ରାଇଭରଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ସୂଚନାଦେଇଛନ୍ତି ଅନ୍ତରିଣ ଡିଜି ସତ୍ୟଜିତ୍ ମହାନ୍ତି।
ସେପଟେ ଆଜି ୧୦ ହଜାର ଟଙ୍କା ଫାଇନ ଦେଲେ ମଦ୍ୟପ ଡ୍ରାଇଭର। ନୂଆ ମୋଟର ଯାନ ଆଇନ ଅନୁସାରେ ମଦ୍ୟପ ଯୁବକ ଜଣକ ୧୦ ହଜାର ଗଣିଛନ୍ତି। ବାଙ୍କୀ ଜାତମୁଣ୍ଡିଆ ଛକରେ କଟକ ଆରଟିଓ ଓ ପୁଲିସ ପକ୍ଷରୁ ଗାଡି ଯାଞ୍ଚ ଥିଲା। ଗାଡି ଯାଞ୍ଚ ବେଳେ ମଦ୍ୟପ ଯୁବକଙ୍କୁ ଆରଟିଓ ଓ ବାଙ୍କୀ ପୁଲିସ ଧରିବା ସହ ୧୦ ହଜାର ଟଙ୍କାର ଫାଇନ ପକାଇଥିଲେ।
ଡିସେମ୍ବର ୧ରୁ ନୂଆ ମୋଟର ଯାନ ଆଇନ କଡାକଡି ହେବାକୁ ଥିବା ବେଳେ ଆରଟିଓ ଅଫିସରେ ଅସମ୍ଭାଳ ଭିଡକୁ ଦୃଷ୍ଟିରେ ରଖି ଆଉ ୩ ମାସ ପାଇଁ କଟକଣା କୋହଳ କରାଯାଇଛି । ତେବେ ଗାଡି କାଗଜପତ୍ର ଯାଞ୍ଚ ଛାଡିଥିଲେ ଆଉ ସମସ୍ତ ଟ୍ରାଫିକ ନିୟମ କାଲିଠୁ କଡାକଡି କରାଯିବ । ମଦ ପିଇ ଗାଡି ଚଳାଉଥିଲେ, ହେଲମେଟ ନ ପିନ୍ଧି ଗାଡି ଚଳାଉଥିଲେ କି ଟ୍ରାଫିକ ନିୟମ ନମାନିଲେ ମୋଟା ଅଙ୍କର ଫାଇନ ଦେବାକୁ ପଡିବ ।