Odisha Link
Bridging the Missing Links in Odisha

ଓଡ଼ିଶାର ଉତ୍କର୍ଷ, ନୁହଁନ୍ତି ସାରା ବିଶ୍ବର ଉତ୍କର୍ଷ: ରାଜ୍ୟପାଳ

ଭୁବନେଶ୍ବର: ଆଜି ଭୁବନେଶ୍ବର ସ୍ଥିତ ଓଡ଼ିଶୀ ଗବେଷଣା କେନ୍ଦ୍ର ସଭାଗୃହରେ ଆୟୋଜିତ ହୋଇଯାଇଛି ୨ୟ ଓଡ଼ିଶା ଉତ୍କର୍ଷ ସମ୍ମାନ। ଏହି ଉତ୍ସବରେ ଓଡ଼ିଶାର ରାଜ୍ୟପାଳ ପ୍ରଫେଶର ଗଣେଶୀ ଲାଲ ଓ ପ୍ରସିଦ୍ଧ କବି ପଦ୍ମବିଭୂଷଣ ସୀତାକାନ୍ତ ମହାପାତ୍ର ଅତିଥି ଭାବେ ଯୋଗ ଦେଇଥିଲେ।

ଏହି ପ୍ରସିଦ୍ଧ ସମ୍ମାନ ସମାରୋହରେ ଓଡ଼ିଶାର ରାଜ୍ୟପାଳ ପ୍ରଫେଶର ଗଣେଶୀ ଲାଲ ଯୋଗଦେଇ କହିଛନ୍ତି ଯେ, ଉତ୍କର୍ଷ ସମ୍ମାନରେ ସମ୍ମାନିତ ବ୍ୟକ୍ତିଗଣ କେବଳ ଓଡ଼ିଶାର ଉତ୍କର୍ଷ ବ୍ୟକ୍ତିତ୍ବ ନୁହନ୍ତି ସାରା ବିଶ୍ବର ଉତ୍କର୍ଷ ଅଟନ୍ତି। ରାଜ୍ୟର ବିଶିଷ୍ଟ ବ୍ୟକ୍ତିଗଣ ନିଜ ନିଜ କ୍ଷେତ୍ରରେ ଉତ୍କର୍ଷ ପାରଦର୍ଶିତା ଦେଖାଇ କେବଳ ରାଜ୍ୟରେ ନୁହେଁ ସାରା ବିଶ୍ବରେ ନିଜର ଉତ୍କର୍ଷର ପରିଚୟ ଦେଇ ପାରିଛନ୍ତି। ଏଭଳି ଏକ ସମ୍ମାନ ସମାରୋହରେ ଯୋଗ ଦେଇ ମୁଁ ନିଜକୁ ସମ୍ମାନିତ ବୋଧ କରୁଛି ବୋଲି ରାଜ୍ୟପାଳ କହିଛନ୍ତି। ଏଥିସହିତ ପ୍ରଫେସର ଗଣେଶୀ ଲାଲ କହିଛନ୍ତି ଯେ, ଓଡ଼ିଶାର ଲୋକଙ୍କ ଅଭିଯୋଗ ନାହିଁକି ଅଭାବ ନାହିଁ। ବିଶେଷ କରି ଜନଜାତି, ବନବାସୀ ପରିବାରମାନଙ୍କୁ ମୁଁ ଯେବେ କିଛି ଆବଶ୍ୟକ ଅଛିକି ବୋଲି ପଚାରିଛି ସେମାନେ କୌଣସି ଆଶା ରଖିନାହାନ୍ତି। ଯେଉଁ ଜାତି ସ୍ବୟଂ ଈଶ୍ବରଙ୍କୁ ଛାତିରେ ଧରି ବୁଲୁଛି ସେ ମୋ ଠାରୁ କାହିଁକି ବା କିଛି ଆଶା କରିବ ବୋଲି ରାଜ୍ରପାଳ କହିଛନ୍ତି।

ସମାଜର ପ୍ରଗତି କେବଳ ଅର୍ଥନୈତିକ, ରାଜନୈତିକ ବା ବାହ୍ୟ ବିକାଶରେ ନିହିତ ନଥାଏ। ସଂସ୍କୃତି, ସାହିତ୍ୟ, ପ୍ରଜ୍ଞା ଓ ଐତିହ୍ୟର ଅଭିବୃଦ୍ଧି ମଧ୍ୟ ସମାଜର ଉନ୍ନତିରେ ସାହାଯ୍ୟ କରିଥାଏ। ବୌଦ୍ଏଧିକ ବିକାଶରେ ଆଜିର ସମ୍ମାନିତ ଅତିଥିଗଣଙ୍କ ଯୋଗଦାନ ଅନସ୍ବୀକାର୍ଯ୍ୟ ବୋଲି ପ୍ରସିଦ୍ଧ କବି ପଦ୍ମବିଭୂଷଣ ସୀତାକାନ୍ତ ମହାପାତ୍ର କହିଛନ୍ତି।

ଏହି ଉତ୍ସବରେ ୧୭ ଜଣ ପ୍ରସିଦ୍ଧ ପ୍ରତିଭାଙ୍କ ସମେତ ୩ଟି ଅନୁଷ୍ଠାନକୁ ସମ୍ମାନ ପ୍ରଦାନ କରିଛନ୍ତି ରାଜ୍ୟପାଳ ପ୍ରଫେଶର ଗଣେଶୀ ଲାଲ। ପ୍ରସିଦ୍ଧ କବି ପଦ୍ମବିଭୂଷଣ ସୀତାକାନ୍ତ ମହାପାତ୍ର ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଓଡ଼ିଆ ମିଡିଆ ନିର୍ଦ୍ଦେଶକ ଶୁଭ୍ରାଂଶୁ ପଣ୍ଡା ଅଧ୍ୟକ୍ଷତା କରିଥିଲେ।

ଓଡ଼ିଶା ଉତ୍କର୍ଷ ସମ୍ମାନ ୨୦୧୯ରେ ପୁରସ୍କୃତ ହୋଇଥିବା ୧୭ ଜଣ ପ୍ରାପକ ହେଲେ ସଂଗୀତରେ ପଦ୍ମଶ୍ରୀ ପ୍ରଫୁଲ୍ଲ କର, କଳାରେ ପଦ୍ମଶ୍ରୀ ସୁଦର୍ଶନ ସାହୁ, ନୃତ୍ୟରେ ପଦ୍ମଶ୍ରୀ ଇଲିଆନା ସିତାରିସ୍ତି, ସମାଜସେବାରେ ଶ୍ରୀ ଜଗଦାନନ୍ଦ, ସାହିତ୍ୟରେ ଶ୍ରୀ ହରପ୍ରସାଦ ଦାସ, ନାଟକ କ୍ଷେତ୍ରରେ ଶ୍ରୀ ଅଜିତ ଦାସ, ସିନେମାରେ ଶ୍ରୀମତୀ ମହାଶ୍ବେତା ରାୟ, ଲୋକସେବାରେ ଶ୍ରୀ ଅରୁଣ ବୋଥ୍ରା, କ୍ରୀଡ଼ାରେ ଶ୍ରୀମତୀ ଅନୁରାଧା ବିଶ୍ବାଳ, ସାମ୍ବାଦିକତାରେ ଶ୍ରୀ ସନ୍ଦୀପ ସାହୁ, ଉଦ୍ୟୋଗ କ୍ଷେତ୍ରରେ ଶ୍ରୀ ଜଗଦୀଶ ପ୍ରସାଦ ନାୟକ, ପ୍ରେରଣା କ୍ଷେତ୍ରରେ ଶ୍ରୀ ଅରୁଣ କୁମାର ସାବତ, ସ୍ବାସ୍ଥ୍ୟ କ୍ଷେତ୍ରରେ ଡାକ୍ତର ଅକ୍ଷୟ କୁମାର ରାଉତ, ନେତୃତ୍ବ କ୍ଷେତ୍ରରେ ପ୍ରିୟଦର୍ଶୀ ନାନୁ ପାଣି, ଶିକ୍ଷା କ୍ଷେତ୍ରରେ ଶ୍ରୀମତୀ ସବିତା ପଟ୍ଟନାୟକ, ପ୍ରଯୁକ୍ତି ବିଜ୍ଞାନ କ୍ଷେତ୍ରରେ ଶ୍ରୀ ପ୍ରଶାନ୍ତ ସାହୁ ଓ ସଂପଦ ପରିଚାଳନା କ୍ଷେତ୍ରରେ ଶ୍ରୀ ତ୍ରିନାଥ ଲେଙ୍କା।

ଅନୁରୂପ ଭାବେ ତିନୋଟି ଅନୁଷ୍ଠାନ ମଧ୍ୟ ଏହି ତାଲିକାରେ ସାମିଲ ଅଛନ୍ତି। କର୍ପୋରେଟ୍ ସାମାଜିକ ଦାୟିତ୍ବ (ସିଏସ୍ଆର) କ୍ଷେତ୍ରରେ ଜାତୀୟ ଇସ୍ପାତ କମ୍ପାନୀ ନାଲ୍କୋ, ପ୍ରଶିକ୍ଷଣ କ୍ଷେତ୍ରରେ ବାଜିରାଓ ଆଇଏଏସ୍ ଏକାଡେମୀ ଓ ଗୋଷ୍ଠୀ ଉନ୍ନୟନ କ୍ଷେତ୍ରରେ ସାଉଥ୍ ଓଡ଼ିଶା ଭଲ୍ୟୁଣ୍ଟାରୀ ଆକ୍ସନ (ସୋଭା) ଓଡ଼ିଶା ଉତ୍କର୍ଷ ସମ୍ମାନ ୨୦୧୯ ଗ୍ରହଣ କରିଛନ୍ତି।

ରାଜ୍ୟର ଜଣାଶୁଣା ପ୍ରତିଭା ଓ ଅନୁଷ୍ଠାନ ସମେତ ସଫଳ ଓ ନିରବ ସାଧକଙ୍କୁ ଗୋଟିଏ ମଞ୍ଚରେ ଏକାଠି କରି ସେମାନଙ୍କ ଉତ୍କର୍ଷତାର ଜୟଗାନ କରିବା ଏହି ସମ୍ମାନ ସମାରୋହର ଉଦ୍ଦେଶ୍ୟ ବୋଲି ଓଡ଼ିଆ ମିଡିଆ ନିର୍ଦେଶକ ଶ୍ରୀ ପଣ୍ଡା କହିଛନ୍ତି। ଏହି ଅବସରରେ ସମ୍ମାନିତ ବ୍ୟକ୍ତିତ୍ବ ଓ ଅନୁଷ୍ଠାନ ବାବଦରେ ଉଲ୍ଲେଖ ଥାଇ ଏକ ପୁସ୍ତିକା ଉନ୍ମୋଚନ ହୋଇଥିଲା।

କେନ୍ଦ୍ର ସରକାରଙ୍କ ଦ୍ବାରା ଷ୍ଟାର୍ଟଅପ୍ ସ୍ବୀକୃତିପ୍ରାପ୍ତ ଓଡ଼ିଆ ମିଡିଆ ବର୍ଷ ତମାମ୍ ଜାତୀୟ ଓ ରାଜ୍ୟସ୍ତରୀୟ ଏକାଧିକ ଉତ୍ସବ ଆୟୋଜନ କରିଥାଏ। ସେଥିମଧ୍ୟରେ ରହିଛି କୋରାପୁଟ ସାହିତ୍ୟ ଉତ୍ସବ, ଭୁବନେଶ୍ବର ସାହିତ୍ୟ ଉତ୍ସବ, ଭାଷା ଉତ୍ସବ, ଓଡ଼ିଶା ଯୁବ ସମ୍ମାନ, ଓଡ଼ିଶା ଶିକ୍ଷା ସମ୍ମାନ, ଓଡ଼ିଶା ମିଡିଆ କନକ୍ଲେଭ୍ ଓ ପେନ୍ ଇନ୍ ବୁକ୍ସ ଯୁବ ଲେଖକ ସମ୍ମାନ। ଏହି ସମ୍ମାନ ସମାରୋହରେ ବହୁ ସଂଖ୍ୟାରେ ଯୋଗଦେଇଥିବା ଆଗ୍ରହୀ ଜନସାଧାରଣଙ୍କୁ କୃତଜ୍ଞତା ଜଣାଇଛନ୍ତି ଓଡ଼ିଆ ମିଡିଆ ପ୍ରାଇଭେଟ୍ ଲିମିଟେଡ ନିର୍ଦ୍ଦେଶକ ଶୁଭ୍ରାଂଶୁ ପଣ୍ଡା।

Comments are closed.