ପୁରୀରେ ଲଜ୍ଜା : ପୀଡ଼ିତା କହିଲେ ୨ ଜଣ ଦୁଷ୍କର୍ମ କରିଛନ୍ତି, ପାଖରେ ଭିଡିଓ ଅଛି!

ପୁରୀ: ସାରା ଦେଶରେ ହାଇଦ୍ରାବାଦ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଭଳି ସଙ୍ଗୀନ ମାମଲାକୁ ଉଠୁଥିବା ପଡୁଥିବା ବେଳେ ଓଡିଶାରୁ ସାମ୍ନାକୁ ଆସିଛି ଗଣଦୁଷ୍କର୍ମର ଆଉ ଏକ ସାଂଘାତିକ ଅଭିଯୋଗ। ନିମାପଡାରୁ ଉଠାଇ ନେଇ ପୁରୀଠାରେ ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଆଉ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ପୋଲିସ କର୍ମଚାରୀଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି ପୀଡିତା ଜଣକ।
ପୁରୀରେ ଗଣଦୁଷ୍କର୍ମର ଶିକାର ହୋଇଥିବା ମହିଳା ଜଣକ ଗଣମାଧ୍ୟମକୁ କହିଛନ୍ତି ଯେ, ମୁଁ ଭୁବନେଶ୍ବରରେ ରୁହେ। ମୋ ଘର କାକଟପୁରକୁ ଯାଉଥିଲି। ନିମାପଡ଼ା ହୋଟଲରେ ଖାଇବା ବେଳେ ବସ୍ ଫେଲ୍ ହୋଇଯାଇଥିଲେ ବୋଲି ପୀଡ଼ିତା ଜଣକ କହିଛନ୍ତି। ବସ୍ଷ୍ଟାଣ୍ଡରେ ଅପେକ୍ଷା କରିଥିବା ବେଳେ କାରଟି ମୋ ପାଖକୁ ଆସିଥିଲା। ଏବଂ ପରେ କାର୍ରୁ ଜଣେ ପୋଲିସ୍ ପରିଚୟ ଦେଇ ଘରେ ଛାଡ଼ିଦେବାକୁ କହିଥିଲେ। ମୁଁ ମନା କରିବାରୁ ୪ଜଣ ଜବରଦସ୍ତ କାରରେ ଉଠାଇ ନେଇଥିଲେ ବୋଲି ମହିଳା ଜଣଙ୍କ କହିଛନ୍ତି।
ଏଥିସହିତ ପୁରୀକୁ ନେଇ ଗୋଟିଏ କ୍ବାର୍ଟର୍ସରେ ଦୁଷ୍କର୍ମ କରିଥିଲେ । ୨ଜଣ ଦୁଷ୍କର୍ମକରିଥିଲେ ଏବଂ ଅନ୍ୟ ୨ଜଣ ବାହାରୁ କବାଟ ଦେଇଥିଲେ ବୋଲି ପୀଡ଼ିତା ଜଣକ କହିଛନ୍ତି। ଏଥିସହିତ ପୀଡ଼ିତାଙ୍କ ପାଖରେ ଦୁଷ୍କର୍ମ ସମୟର ଭିଡିଓ ଅଛି ବୋଲି ସୂଚନା ମଧ୍ୟ ମିଳିଛି ।