Odisha Link
Bridging the Missing Links in Odisha

ଡିସେମ୍ବର ୬ରୁ ରାଜ୍ୟ ପୁସ୍ତକ ମହୋତ୍ସବ

ଭୁବନେଶ୍ୱର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଚଳିତ ମାସ ୬ରୁ ୧୫ ତାରିଖ ପର୍ଯ୍ୟନ୍ତ ଦ୍ୱିତୀୟ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ ‘ଅକ୍ଷର’ ଅନୁଷ୍ଠିତ ହେବ । ଓଡ଼ିଶା ପୁସ୍ତକ ପ୍ରକାଶକ ଓ ବିକ୍ରେତା ସଂଘ ସମେତ ରାଜଧାନୀ ପୁସ୍ତକ ମେଳା, ଏକାମ୍ର ପୁସ୍ତକ ମହୋତ୍ସବ କମିଟି ଓ କଳିଙ୍ଗ ପୁସ୍ତକ ମେଳା କମିଟି ଇତ୍ୟାଦିଙ୍କ ସହଯୋଗିତାରେ ଆୟୋଜିତ ହେଉଥିବା ଏହି ପୁସ୍ତକ ମହୋତ୍ସବ ହେବ ରାଜ୍ୟର ଏକ ଅଗ୍ରଣୀ ବହିମେଳା । ପ୍ରଦର୍ଶନୀ ପଡ଼ିଆରେ ଏହି ପୁସ୍ତକ ମେଳା ଆୟୋଜନ କରାଯାଇଛି ।

ଏହି ପୁସ୍ତକ ମହୋତ୍ସବ ଉଦ୍ଦେଶ୍ୟରେ ୫୨୦ଟି ଷ୍ଟଲ୍‌ ନିର୍ମାଣ କରାଯାଉଛି । ମେଳାରେ ଓଡ଼ିଶା ବାହାରୁ ଶତାଧିକ ପୁସ୍ତକ ପ୍ରକାଶକ ଓ ବିତରକ ଯୋଗ ଦେଉଛନ୍ତି । ଏହା ସହିତ ରାଜ୍ୟର ସମସ୍ତ ଜଣାଶୁଣା ପ୍ରକାଶନ ସଂସ୍ଥା ମଧ୍ୟ ମେଳାରେ ଅଂଶଗ୍ରହଣ କରିବେ । ପ୍ରତିସନ୍ଧ୍ୟାରେ ମେଳା ପରିସରରେ ସାରସ୍ୱତ ସଭା ଆୟୋଜନ କରାଯାଇଛି । ଏଥିରେ ରାଜ୍ୟ ତଥା ରାଜ୍ୟ ବାହାରର ପ୍ରଥିତଯଶା ସାହିତ୍ୟିକମାନେ ଯୋଗଦେଇ ବକ୍ତବ୍ୟ ରଖିବେ । ପୁସ୍ତକ ମହୋତ୍ସବକୁ ଆକର୍ଷଣୀୟ ଭାବେ ଗଢ଼ିତୋଳିବା ପାଇଁ ବ୍ୟାପକ ପ୍ରଚାର ଓ ପ୍ରସାର, ବିଭିନ୍ନ ଛକମାନଙ୍କରେ ବିଜ୍ଞାପନ ଫଳକ ପ୍ରଦର୍ଶନ ସାଙ୍ଗକୁ ଚିତ୍ତାକର୍ଷକ ଆଲୋକସଜ୍ଜା କରାଯିବ ।

ଏଠାରେ ଉଲ୍ଲେଖେଯୋଗ୍ୟ ଯେ ୨୦୧୭ ଡିସେମ୍ବର ୨୬ରେ ପୁରୀଠାରେ ଅନୁଷ୍ଠିତ କ୍ୟାବିନେଟ୍‌ ବୈଠକରେ ସ୍ଥିରୀକୃତ ୨୦ ଦଫା କାର୍ଯ୍ୟକ୍ରମ ଅନୁସାରେ ରାଜ୍ୟର ପ୍ରତ୍ୟେକ ଜିଲ୍ଲାର ସଦର ମହକୁମା ତଥା ରାଜଧାନୀ ଭୁବନେଶ୍ୱରେ ପ୍ରତିବର୍ଷ ପୁସ୍ତକ ମେଳା ଆୟୋଜନ କରାଯାଉଛି । ପ୍ରଥମ ଓଡ଼ିଶା ପୁସ୍ତକ ମହୋତ୍ସବ ‘ଅକ୍ଷର’ ଗତ ଫେବୃଆରୀ ୨୦ରୁ ୨୮ ତାରିଖ ପର୍ଯ୍ୟନ୍ତ ପ୍ରଦର୍ଶନୀ ପଡ଼ିଆରେ ଅନୁଷ୍ଠିତ ହୋଇଥିଲା ଏବଂ ଏଥିରେ ଓଡ଼ିଶା ତଥା ବିଭିନ୍ନ ରାଜ୍ୟର ପ୍ରତିଷ୍ଠିତ ପୁସ୍ତକ ପ୍ରକାଶକ, ବିତରକ ଓ ବିକ୍ରେତା ଯୋଗ ଦେଇଥିଲେ ।

Comments are closed.