Odisha Link
Bridging the Missing Links in Odisha

ନାଗରିକ ସଂଶୋଧନ ବିଲକୁ କ୍ୟାବିନେଟ ମଞ୍ଜୁରୀ

ନୂଆଦିଲ୍ଲୀ: ଆଜି କ୍ୟାବିନେଟ ବୈଠକରେ ନାଗରିକ ସଂଶୋଧନ ବିଲକୁ ମଞ୍ଜୁରୀ ମିଳିଛି। କ୍ୟାବିନେଟ ମଞ୍ଜୁରୀ ଦେଇ ସାରିଥିବାରୁ ଆସନ୍ତା ସପ୍ତାହରେ ସଂସଦର ଉଭୟ ଗୃହ ଲୋକସଭା ଓ ରାଜ୍ୟସଭାରେ ଏହି ବିଧେୟକ ଆଗତ କରିପାରନ୍ତି ସରକାର। ସଂସଦର ଶୀତକାଳୀନ ଅଧିବେଶନ ଡିସେମ୍ୱର ୧୩ରେ ଶେଷ ହେଉଛି। ଏହାରି ଭିତରେ ନାଗରିକ ସଂଶୋଧନ ବିଧେୟକକୁ କେନ୍ଦ୍ର ସରକାର ଉଭୟ ଲୋକସଭା ଏବଂ ରାଜ୍ୟସଭାରେ ଗୃହୀତ କରିବାକୁ ଯୋଜନା ରଖିଥିବା ସୂଚନା ରହିଛି।

ଅନ୍ୟପଟେ ନାଗରିକ ସଂଶୋଧିତ ବିଲ୍‌କୁ ଗୃହୀତ କରିବା ମୋଦି ସରକାରଙ୍କ ପାଇଁ ଚ୍ୟାଲେଞ୍ଜ ହେବ। କଂଗ୍ରେସ, ଏଆଇଏମଆଇଏମ ଓ ଅନ୍ୟାନ୍ୟ ଦଳମାନେ ଏହାକୁ ବିରୋଧ କରିବ ବୋଲି ଦଳୀୟ ନେତାମାନେ ଆଗୁଆ କହି ସାରିଛନ୍ତି। ଧର୍ମ ଆଧାରରେ ସରକାର ନାଗରିକତ୍ୱ ପ୍ରଦାନ କରିବାକୁ ଯାଉଛନ୍ତି ବୋଲି ବିରୋଧୀ କହିଛନ୍ତି। ତେବେ ଧର୍ମକୁ ଆଖି ଆଗରେ ରଖି ଏହି ବିଧେୟକ ଆସୁନାହିଁ ବୋଲି ପୂର୍ବରୁ ସରକାର କହି ସାରିଛନ୍ତି।

ସୂଚନା ମୁତାବିକ, ଏନଆରସି ୧୯୫୫ ଅଧିନିୟମ ଅନୁଯାୟୀ କୌଣସି ପାସପୋର୍ଟ ଓ ଭିସା ବିନା ଆସି ଭାରତରେ ଅଧିକ ଦିନ ରହିଯାଇଥିଲେ ସେମାନଙ୍କୁ ଅନୁପ୍ରବେଶକାରୀ ବୋଲି ଗଣାଯିବ। ଲୋକସଭାରେ ଶାସକ ଦଳର ସଂଖ୍ୟା ଗରିଷ୍ଠତା ଥିବାରୁ ବିଧେୟକ ଗୃହୀତ ହେବା ଏକ ପ୍ରକାର ସୁନିଶ୍ଚିତ। ହେଲେ ରାଜ୍ୟସଭାରେ ଏହି ସଂଶୋଧିତ ବିଲକୁ କଡ଼ା ଚ୍ୟାଲେଞ୍ଜ ହେବ। ପୂର୍ବରୁ ମଧ୍ୟ ଏହି ବିଧେୟକକୁ ନେଇ କୋର୍ଟରେ ମାମଲା ଦାୟର ହୋଇସାରିଛି।

Comments are closed.