Odisha Link
Bridging the Missing Links in Odisha

ଶିଖ୍‌ ଦଙ୍ଗା ଉପରେ କଣ କହିଲେ ମନମୋହନ ଜାଣନ୍ତୁ …

ନୂଆଦିଲ୍ଲୀ: ୧୯୮୪ ମସିହାର ଶିଖ ବିରୋଧୀ ଦଙ୍ଗା ଉପରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଏକ ବଡ଼ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି, ଯଦି ତତ୍କାଳୀନ ଗୃହମନ୍ତ୍ରୀ ପି. ଭି. ନରସିହ୍ମା ରାଓ ଇନ୍ଦ୍ର କୁମାର ଗୁଜରାଲଙ୍କ ପରାମର୍ଶକୁ ଧ୍ୟାନ ଦେଇଥାନ୍ତେ, ତେବେ ୧୯୮୪ରେ ହୋଇଥିବା ଶିଖ୍‌ ବିରୋଧୀ ଦଙ୍ଗା ଟଳିଯାଇ ଥାନ୍ତା। ପୂର୍ବତନ ପ୍ରଧାନମନ୍ତ୍ରୀ ଗୁଜରାଲଙ୍କ ଜୟନ୍ତୀ ଅବସରରେ ଆୟୋଜିତ ଏକ ସମାରୋହରେ ମନମୋହନ ଯୋଗଦେଇ ଏହା କହିଛନ୍ତି।

ମନମୋହନ କହିଛନ୍ତି ଯେ, ଦିଲ୍ଲୀରେ ଯେତେବେଳେ ୧୯୮୪ ଶିଖ୍‌ ଦଙ୍ଗା ହେଉଥିଲା, ଗୁଜରାଲ ସେତେବେଳର ଗୃହମନ୍ତ୍ରୀ ନରସିହ୍ମା ରାଓଙ୍କ ନିକଟକୁ ଯାଇଥିଲେ ଓ ସ୍ଥିତି ଗମ୍ଭୀର ଥିବା ଜଣାଇବା ସହ ଏହାର ନିୟନ୍ତ୍ରଣ ପାଇଁ ସରକାର ଖୁବ୍‌ଶୀଘ୍ର ସେନାକୁ ଡକାଇବା ଆବଶ୍ୟକ ବୋଲି କହିଥିଲେ। କିନ୍ତୁ ସେ ମସୟରେ ଗୃହମନ୍ତ୍ରୀ ରାଓ ଏହାକୁ ଅଣଦେଖା କରିଥିଲେ। ଯଦି ସେ ଗୁଜରାଲଙ୍କ ପରାମର୍ଶକୁ ମାନି ତ୍ଵରିତ୍ଵ କାର୍ଯ୍ୟାନୁଷ୍ଠାନ ନେଇଥାନ୍ତେ, ତେବେ ୧୯୮୪ ଦଙ୍ଗାକୁ ଏଡ଼ାଇ ଦିଆଯାଇ ପାରିଥାନ୍ତା।

ସୂଚନାଯୋଗ୍ୟ, ୧୯୮୪ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ତାଙ୍କ ଅଙ୍ଗରକ୍ଷୀଙ୍କ ଦ୍ବାରା ହତ୍ୟା କରାଯିବା ପରେ ଦେଶରେ ଶିଖ୍‌ ବିରୋଧୀ ଦଙ୍ଗା ସୃଷ୍ଟି ହୋଇଥିଲା। ଏଥିରେ ୩୩୨୫ ଜଣଙ୍କ ପ୍ରାଣହାନୀ ଘଟିଥିଲା। କେବଳ ଦିଲ୍ଲୀରେ ୨୭୩୩ ଜଣଙ୍କ ମୃତ୍ୟୁ ହୋଇଥିଲା। ଗୃହ ମନ୍ତ୍ରଣାଳୟ ଦ୍ବାରା ନିଯୁକ୍ତ ଜଷ୍ଟିସ ଜି.ପି. ମାଥୁର କମିଟିର ସୁପାରିସ ପରେ ୨୦୧୫ ଫେବୃୟାରୀ ୧୨ରେ ଏସଆଇଟି ଗଠନ କରାଯାଇଥିଲା। ୩ ସଦସ୍ୟ ବିଶିଷ୍ଟ ଏସଆଇଟି ବର୍ତ୍ତମାନ ସୁଦ୍ଧା ଶିଖ୍‌ ବିରୋଧୀ ଦଙ୍ଗା ସମ୍ବନ୍ଧୀୟ ୬୫୦ ମାମଲା ମଧ୍ୟରୁ ୮୦ ମାମଲାକୁ ପୁଣି ଥରେ ଖୋଲିବା ସହ ନିରୀକ୍ଷଣ କରୁଛନ୍ତି।

Comments are closed.