Odisha Link
Bridging the Missing Links in Odisha

ନୟାଗଡ଼: ଦଳକୁ ବିଶ୍ବାସ କରୁନାହାନ୍ତି ବିଜେପି ପ୍ରାର୍ଥୀ

ନୟାଗଡ଼: ସବୁଠି ନିର୍ବାଚନୀ ତାତି। ସାରା ରାଜ୍ୟରେ ଆରମ୍ଭ ହୋଇଗଲାଣି ପ୍ରଚାର ପର୍ବ। ସବୁ ଦଳ ନିଜର କଳ, ବଳ ଓ କୌଶଳ ଖଟାଇ ଆରମ୍ଭ କଲେଣି ପ୍ରଚାର। ରାଜ୍ୟର ତିନି ରାଜନୈତିକ ଦଳର ଶୀର୍ଷ ନେତୃତ୍ୱଙ୍କ ହାଇଭୋଲଟେଜ୍‌ ପ୍ରଚାର ଏବେ ଆରମ୍ଭ ହୋଇଗଲାଣି। ଏହାରି ଭିତରେ ତିନି ଦଳର ଷ୍ଟାର ପ୍ରଚାରକ ନିଜ ନିଜ ଦଳର ପ୍ରଚାର ପାଇଁ ଆରମ୍ଭ କରିସାରିଛନ୍ତି ପ୍ରସ୍ତୁତି। ଭୋଟରଙ୍କ ମନ ଜିଣିବାକୁ ସବୁ ପ୍ରକାର ପ୍ରୟାସ କରୁଛନ୍ତି। ଏସବୁ ମଧ୍ୟରେ ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ ମତଦାନ ପାଇଁ ଶେଷ ହୋଇ ସାରିଛି ପ୍ରାର୍ଥୀପତ୍ର ଦାଖଲ। ବର୍ତ୍ତମାନ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କରୁଛନ୍ତି ବିଭିନ୍ନ ଦଳର ପ୍ରାର୍ଥୀ। ହେଲେ ଏସବୁ ମଧ୍ୟରେ ଦଳକୁ ବିଶ୍ବାସ କରୁନାହାନ୍ତି ବିଜେପିର ପ୍ରାର୍ଥୀ।

ନୟାଗଡ଼ ବିଧାନସଭା ଆସନରୁ ଭାରତୀୟ ଜନତା ପାର୍ଟିରୁ ପ୍ରାର୍ଥୀ ହୋଇଥିବା ପ୍ରତ୍ୟୁଷା ରାଜେଶ୍ୱରୀ ସିଂହ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସବୁଠୁ ବଡ଼କଥା ହେଲା ଦୁଇ ଥର ବିଜେପି ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ଥରୁଟିଏ ସ୍ବାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଭରିଛନ୍ତି ପ୍ରତ୍ୟୁଷା। ସେହିଭଳି ଖଣ୍ଡପଡ଼ା ବିଧାସନଭା ଆସନରୁ ଭାରତୀୟ ଜନତା ପାର୍ଟିରୁ ପ୍ରାର୍ଥୀ ହୋଇଥିବା ଦୁଷ୍ମନ୍ତ ସ୍ବାଇଁ ମଧ୍ୟ ଥରୁଟିଏ ବିଜେପି ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଥିବାବେଳେ ଥରୁଟିଏ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।

ସୂଚନାଥାଉକି, ଚଳିତ ନିର୍ବାଚନରେ ଭାରତୀୟ ଜନତା ପାର୍ଟି ବିଭିନ୍ନ ଆସନରେ ପ୍ରାର୍ଥୀ ଘୋଷଣା କରି ସାରିବା ପରେ ପ୍ରାର୍ଥୀ ବଦଳାଇଛି। ଯାହାକୁ ନେଇ ଆଶା ଆଶଙ୍କାରେ ରହୁଛନ୍ତି ବିଜେପି ନେତା। ଯାହାଫଳରେ ଦଳୀୟ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଥିବା ସତ୍ତ୍ବେ ସ୍ବାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରୁଛନ୍ତି ବିଜେପି ପ୍ରାର୍ଥୀ। ଯାହା ସୂଚେଇ ଦେଉଛି ଯେ ବିଜେପିକୁ ତାଙ୍କ ଦଳର ନେତା ହିଁ ବିଶ୍ବାସ କରି ପାରୁନାହାନ୍ତି ବୋଲି ରାଜନୈତିକ ବିଶାରଦ ମାନେ ମତ ରଖିଛନ୍ତି। ଆଉ କିଛି ରାଜନୈତିକ ସମୀକ୍ଷକ ମତ ରଖି କହିଛନ୍ତି ଯେ ନାମାଙ୍କନ ପତ୍ର ଦାଖଲ ସମୟରେ ପ୍ରାୟ ନେତା ଏଭଳି ସ୍ବାଧୀନ ଭାବେ ଗୋଟିଏ ସେଟ୍‌ ନାମାଙ୍କନ ପତ୍ର ଦାଖଲ କରନ୍ତି।

ସୂଚନାଯୋାଗ୍ୟ, ନୟାଗଡ଼ା ଜିଲ୍ଲାରେ ୪ଟି ନିର୍ବାଚନ ମଣ୍ଡଳୀ ରହିଛି। ନୟାଗଡ଼, ରଣପୁର, ଦଶପଲ୍ଲା ଓ ଖଣ୍ଡପଡ଼ା ବିଧାନସଭା ଆସନ ନୟାଗଡ଼ ଜିଲ୍ଲାରେ ରହିଛି। ଜିଲ୍ଲାରେ ଥିବା ୪ଟି ବିଧାନସଭା ଆସନ ୩ଟି ଲୋକସଭା କ୍ଷେତ୍ର ଅଧୀନରେ ଆସୁଛି। ଦଶପଲ୍ଲା ବିଧାନସଭା ଆସନ କନ୍ଧମାଳ ଲୋକସଭା କ୍ଷେତ୍ରରେ ଆସୁଥିବା ବଳେ ଖଣ୍ଡପଡ଼ା ବିଧାନସଭା ଆସନ କଟକ ଲୋକସଭା କ୍ଷେତ୍ରରେ ଆସୁଛି। ସେହିପରି ନୟାଗଡ଼ ଓ ରଣପୁର ବିଧାନସଭା ଆସନ ପୁରୀ ସଂସଦୀୟ କ୍ଷେତ୍ର ଅଧିନରେ ଆସୁଛି। ମେ’ ୨୦ ତାରିଖରେ ଦଶପଲ୍ଲା ଆସନରେ ମତଦାନ ହେବାକୁ ଥିବା ବେଳେ ମେ’ ୨୫ ତାରିଖରେ ନୟାଗଡ଼, ଖଣ୍ଡପଡ଼ା ଓ ରଣପୁର ଆସନରେ ମତଦାନ ହେବ। ଦଶପଲ୍ଲା ଆସନ ପାଇଁ ମତଦାନ ଶେଷ ହୋଇ ସାରିଥିବା ବେଳେ ଆଉ ବାକି ୩ଟି ଆସନ ପାଇଁ ଏବେ ବି ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଜାରି ରହିଛି।

Leave A Reply

Your email address will not be published.