Odisha Link
Bridging the Missing Links in Odisha

ଆତ୍ମରକ୍ଷା ପାଇଁ ଏନ୍‌କାଉଣ୍ଟର: ସିପି

ହାଇଦ୍ରାବାଦ: ଆଜି ସକାଳୁ ଲୋକଙ୍କ ନିଦ ଭାଙ୍ଗିବା ପୂର୍ବରୁ ହାଇଦ୍ରାବାଦ ଡାକ୍ତରାଣୀ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାର ଅଭିଯୋଗରେ ଗିରଫ ୪ ଯୁବକଙ୍କୁ ପୁଲିସ୍‌ ଏନକାଉଣ୍ଟରରେ ମାରି ଦେଇଥିବା ଖବର ଚାରିଆଡ଼େ ଖେଳି ଯାଇଥିଲା। ଏହାକୁ ନେଇ ପୂରା ଦେଶରେ ଆରମ୍ଭ  ହୋଇଯାଇଛି ତର୍କ ବିତର୍କ । ତେବେ ପୁଲିସ୍‌ କାହିଁକି  ଏହି ୪ ଅଭିଯୁକ୍ତଙ୍କୁ ଏନକାଉଣ୍ଟର କଲା ଏକଥା ଖୋଦ ସାଇବରବାଦ ପୁଲିସ କମିଶନର ଭିସି ସଜ୍ଜନର ସାମ୍ବାଦିକ ସମ୍ମିଳନୀ ଡାକି ଖୁଲାସା କରିଛନ୍ତି।

ସେ କହିଛନ୍ତି, ଆମେ ଅଧିକ ତଦନ୍ତ ପାଇଁ ୪ ଅଭିଯୁକ୍ତଙ୍କୁ ଡାକ୍ତରାଣୀଙ୍କ ଶବ ଜବତ ହୋଇଥିବା ସ୍ଥାନକୁ ନେଇଥିଲୁ। ପ୍ରଥମେ ସେମାନେ ଆମ ତଦନ୍ତକୁ ବାଟବଣା କରିବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ୪ ଜଣଙ୍କ ମଧ୍ୟରୁ ୨ ଜଣ ପୁଲିସ୍‌ କର୍ମଚାରୀଙ୍କ ଠାରୁ ବନ୍ଧୁକ ଛଡ଼ାଇ ନେଇ ଗୁଳି ମାଡ଼ କରିଥିଲେ। ଘଟଣାର ମୁଖ୍ୟ ଅଭିଯୁକ୍ତ ମହମ୍ମଦ ଆରିଫ ହିଁ ପ୍ରଥମେ ଗୁଳିମାଡ଼ କରିଥିଲା। ପୁଲିସ୍‌ ମଧ୍ୟ ଆତ୍ମରକ୍ଷା ପାଇଁ ପାଲଟା ଆକ୍ରମଣ କରିଥିଲା।
ସେମାନେ ପୁଲିସ୍‌ ଉପରକୁ ସେଠାରେ ପଡ଼ିଥିବା ପଥର ଓ କାଠ ଫାଳିଆ ମଧ୍ୟ ମାଡ଼ କରିଥିଲେ। ପୁଲିସ୍‌ କର୍ମଚାରୀମାନେ ସେମାନଙ୍କୁ ଆତ୍ମସମର୍ପଣ କରିବାକୁ କହିଥିଲେ। କିନ୍ତୁ ସେମାନେ ଅନ୍ଧାରର ସୁଯୋଗ ନେଇ ଖସି ଯିବାକୁ ଚେଷ୍ଟା କରିଥିଲେ। ପୁଲିସ୍‌ର ପାଲଟା ଆକ୍ରମଣରେ ସେମାନଙ୍କର ମୃତ୍ୟୁ ଘଟିଛି। ଆମେ ଆଇନ ଅନୁସାରେ ଆମ କର୍ତ୍ତବ୍ୟ କରିଛୁ।

ଏହି ଅଭିଯୁକ୍ତ ଦୁଷ୍କର୍ମକାରୀଙ୍କ ସହ ଲଢ଼େଇ ବେଳେ ୨ ଜଣ ପୁଲିସ୍‌ କର୍ମଚାରୀ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ଜଣେ ସବ୍‌ ଇନସପେକ୍ଟର ଓ ଜଣେ କନଷ୍ଟେବଲ ରହିଛନ୍ତି। ହେଲେ ସେମାନଙ୍କ ଦେହରେ ଗୁଳି ବାଜି ନାହିଁ। ପାଖାପାଖି ୪୫ ମିନିଟ୍‌ ଧରି ଏନକାଉଣ୍ଟର ଚାଲିଥିଲା। ଭୋର ୫.୪୫ରୁ ୬.୩୦ ଯାଏ ଏହି ଗୁଳି ବିନିମୟ ଚାଲିଥିଲା। ଏନକାଉଣ୍ଟରରେ ୧୦ ଜଣ ପୁଲିସ୍‌ କର୍ମଚାରୀ ସାମିଲ ଥିଲେ। ସେମାନେ ଘଟଣାସ୍ଥଳରୁ ପୀଡ଼ିତାଙ୍କ ମୋବାଇଲ ଫୋନ ଜବତ କରିଛନ୍ତି। ଅଭିଯୁକ୍ତଙ୍କ ଠାରୁ ମଧ୍ୟ ୨ଟି ବନ୍ଧୁକ ଜବତ ହୋଇଛି।

Comments are closed.