Odisha Link
Bridging the Missing Links in Odisha

ସମ୍ବଲପୁର ଗଣଦୁଷ୍କର୍ମ ଘଟଣାର ୪ ଅଭିଯୁକ୍ତ ଗିରଫ

ସମ୍ବଲପୁର : ହାଇଦ୍ରାବାଦ ଓ ଉନ୍ନାଓ ଗଣଦୁଷ୍କର୍ମ ଘଟଣା ପରେ ସମ୍ବଲପୁର ସହରରେ ଜଣେ ଆଦିବାସୀ ମହିଳାଙ୍କୁ ଅପହରଣ କରାଯାଇ ଅତ୍ୟନ୍ତ ପାଶବିକ ଭାବେ ଗଣଦୁଷ୍କର୍ମ କରାଯାଇଛି। ମହିଳା ଜଣଙ୍କୁ ମୁମୂର୍ଷୁ ଅବସ୍ଥାରେ ରାସ୍ତା କଡ଼ରେ ଫିଙ୍ଗି ଦେଇ ଅଭିଯୁକ୍ତମାନେ ଫେରାର ହୋଇଯାଇଥିଲେ। ପୁଲିସ ମହିଳାଙ୍କୁ ଉଦ୍ଧାର କରିବା ସହ ବୁର୍ଲା ବଡ଼ ଡାକ୍ତରଖାନାରେ ଭର୍ତ୍ତି କରିଛି। ମହିଳାଙ୍କ ସମ୍ବେଦନଶୀଳ ଅଂଗ ସମେତ ବିଭିନ୍ନ ସ୍ଥାନରେ ଗଭୀର ଆଘାତ ଲାଗିଥିବ ଜଣା ପଡିଛି।ଏହି ଘଟଣା ଉପରେ ଏସ୍‌ପି କନୱର ବିଶାଳ ସିଂ ପ୍ରେସ୍‌ ମିଟ୍‌ କରି ସୂଚନା ଦେଇଛନ୍ତି ଯେ, ମାମଲାର ୨୦ ଦିନ ଭିତରେ ଚାର୍ଜସିଟ୍‌ ଦାଖଲ କରାଯିବ। ଏଥି ସହ ଏହି ମାମଲାକୁ ରେଡ୍‌ ଫ୍ଲାଗ୍‌ ଶ୍ରେଣୀଭୁକ୍ତ କରାଯାଇଛି । ଏହି ଘଟଣାରେ ସଂପୃକ୍ତ ୪ ଜଣ ଅଟକ ଥିବା ଅଭିଯୁକ୍ତଙ୍କୁ ଅଇଁଠାପାଲି ପୋଲିସ ଗିରଫ କରିଇବା ବେଳେ ଡିଏସ୍‌ପି ସୁଜାତା ପଣ୍ଡା ଏହି ମାମଲାର ତଦନ୍ତ କରୁଛନ୍ତି। ଅତିରିକ୍ତ ଏସ୍‌ପି ପି.କେ.ମହାପାତ୍ର ଅଇଁଠାପାଲିରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ବୁର୍ଲା ଡାକ୍ତରଖାନାରେ ଏସ୍‌ଡିପିଓ ଶିଶୁ ରଞ୍ଜନ ମହାପାତ୍ର, ବୁର୍ଲା ଥାନା ଅଧିକାରୀ ବି.ବି.ଭୋଇ, କ୍ଷେତରାଜପୁର ଥାନା ଅଧିକାରୀଙ୍କ ସମେତ ପୁଲିସର ଏକ ଟିମ୍‌ ଜଗି ରହିଛନ୍ତି।

ସମ୍ବଲପୁର ଜିଲ୍ଲାର ୩୦ ବର୍ଷୀୟା ମହିଳା ଶନିବାର ତାଙ୍କର ଜଣେ ସମ୍ପର୍କୀୟଙ୍କ ଘରକୁ ଯାଇଥି‌ଲେ। ରାତି ପ୍ରାୟ ସାଢ଼େ ୯ଟା ସମୟରେ ମହିଳା ଜଣଙ୍କ ଗାଁ ମୁଣ୍ଡର ଏକ ଦୋକାନକୁ ଯାଉଥିବା ସମୟରେ ସେହି ଗ୍ରାମର ୨ ଜଣ ଯୁବକ ତାଙ୍କୁ ଉଠାଇ ନେଇଥିଲେ। ପ୍ରାୟ ୧ କିମି ଦୂର ଏକ ନିଛାଟିଆ ସ୍ଥାନକୁ ନେଇଯିବା ପରେ ସେଠାରେ ଆଉ ୨ ଜଣ ଯୁବକ ପହଞ୍ଚିଥିଲେ। ୪ ଜଣ ମିଶି ସେଠାରେ ମହିଳାଙ୍କୁ ଗଣଦୁଷ୍କର୍ମ କରିଥିଲେ। ମହିଳାଜଣକ ବିରୋଧ କରିବାରୁ ତାଙ୍କୁ ସେମାନେ ନିସ୍ତୁକ ମାଡ଼ ମାରିଥିଲେ। ରାତିସାରା ଗଣଦୁଷ୍କର୍ମ ପରେ ଭୋରରୁ ଉକ୍ତ ମହିଳାଙ୍କୁ ଯୁବକମାନେ ଏକ ବାଇକ୍‌ରେ ଅନ୍ୟତ୍ର ନେଉଥିବା ସମୟରେ ରାସ୍ତା ଉପରେ ଖସି ପଡ଼ିଥି‌ଲେ। ଫଳରେ ପୀଡ଼ିତାଙ୍କ ମୁଣ୍ଡ ପଛପଟେ ମଧ୍ୟ ଗଭୀର ଆଘାତ ଲାଗିଥିଲା। ତାଙ୍କୁ ମୃତ ଭାବି ଅଭିଯୁକ୍ତମାନେ ଘଟଣାସ୍ଥଳରୁ ଫେରାର୍‌ ହୋଇଯାଇଥିଲେ।

Comments are closed.