Odisha Link
Bridging the Missing Links in Odisha

ପୁସ୍ତକର ଚିରନ୍ତନ ଆବେଦନ ସର୍ବଦା ସ୍ୱୀକାର୍ଯ୍ୟ

ଭୁବନେଶ୍ବର: ପୁସ୍ତକ ହେଉଛି ବିଶ୍ୱକୁ ଗବାକ୍ଷ। ଏହା ପାଠ କରି ବିଶ୍ୱ ବ୍ରହ୍ମାଣ୍ଡ ଭ୍ରମଣର ଅନୁଭବ ମିଳେ। ପୁସ୍ତକର ଚିରନ୍ତନ ଆବେଦନ ଚିରକାଳ ସ୍ୱୀକାର୍ଯ୍ୟ ବୋଲି ବିଶିଷ୍ଟ କଥାକାର ତଥା ଭିଜିଲାନ୍ସ ଡିଜି ଦେବାଶିଷ ପାଣିଗ୍ରାହୀ ମତବ୍ୟକ୍ତ କରିଛନ୍ତି। ଆଜି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଆୟୋଜିତ ଦ୍ୱିତୀୟ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ ‘ଅକ୍ଷର’ର ୫ମ ସନ୍ଧ୍ୟାରେ ଆୟୋଜିତ ସାରସ୍ୱତ ସମାଗମରେ ଯୋଗଦେଇ ଶ୍ରୀ ପାଣିଗ୍ରାହୀ ଉପରୋକ୍ତ ମର୍ମରେ ପୁସ୍ତକ ମେଳା ଆୟୋଜନକୁ ପ୍ରଶଂସା କରିଛନ୍ତି।

ସ୍ଥାନୀୟ ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ପାଣିଗ୍ରାହୀ ପୁସ୍ତକ ମେଳା ଆୟୋଜନ କେତୋଟି ଆହ୍ୱାନ ସୃଷ୍ଟି କରିଛି ବୋଲି ଦର୍ଶାଇ କିଶୋର ଓ ଯୁବଗୋଷ୍ଠୀଙ୍କ ଅନୁପସ୍ଥିତି, ଓଡ଼ିଆ ସାହିତ୍ୟର ଉତ୍କର୍ଷ ପ୍ରତିଷ୍ଠା ପାଇଁ ଅନୁବାଦର ଅଭାବ ଓ ପୁସ୍ତକ ମେଳାର ବ୍ରାଣ୍ଡିଂ ଉପରେ ଗୁରୁତ୍ୱାରୋପ କରିଥିଲେ। ଆଜିର ସୋସିଆଲ୍‌ ମିଡିଆ ଯୁଗରେ ବହିର ପ୍ରାସଙ୍ଗିକତା ଦର୍ଶାଇ ଶ୍ରୀ ପାଣିଗ୍ରାହୀ କହିଥିଲେ ଯେ ସମକାଳ ପିଢ଼ି ସାହିତ୍ୟ ଚର୍ଚ୍ଚା କରୁଛି ଅଥଚ ପୁସ୍ତକଠାରୁ ଦୂରେଇ ଯାଇଛି । ପୁସ୍ତକ ପଠନର ଆନନ୍ଦ ସବୁବେଳେ ନିଆରା ବୋଲି ଶ୍ରୀ ପାଣିଗ୍ରାହୀ ମତବ୍ୟକ୍ତ କରି ପୁସ୍ତକ ମେଳାକୁ ବେଶି ସଂଖ୍ୟାରେ ତରୁଣ ଗୋଷ୍ଠୀଙ୍କୁ ଆକର୍ଷିତ କରିବା ନିମନ୍ତେ ଉଦ୍ୟମ ହେବା ଆବଶ୍ୟକ ବୋଲି କହିଥିଲେ ।

ବିଶିଷ୍ଟ ସାହିତ୍ୟକ ତଥା ସ୍ତମ୍ଭକାର ଅଧ୍ୟା ପକ ବିଶ୍ୱରଞ୍ଜନ ପୁସ୍ତକକୁ ଶ୍ରେଷ୍ଠ ବନ୍ଧୁ ବୋଲି ଦର୍ଶାଇ ଏହା କେବେ ପାଠକ ସହିତ ବିଶ୍ୱାସଘାତକତା କରେ ନାହିଁ ଓ ପୁସ୍ତକ ପାଠ ହିଁ ତୀର୍ଥଯାତ୍ରା ବୋଲି ଉଲ୍ଲେଖ କରିଥିଲେ। ଗୋଟିଏ ପୁସ୍ତକର ପ୍ରଭାବ ଜୀବନ ପାଇଁ ଭିନ୍ନ ଭିନ୍ନ ପ୍ରେରଣା ପ୍ରଦାନ କରେ ବୋଲି କହି ସେ ଗାନ୍ଧିଜୀ ଓ ଆତତାୟୀ ନାଥୁରାମ ଗଡ୍‌ସେଙ୍କ ପ୍ରିୟ ପୁସ୍ତକ ‘ଗୀତା’ ବୋଲି ପ୍ରକାଶ କରିଥିଲେ। ଭାରତର ରାଞ୍ଚିରେ ଷ୍ଟେଟ୍‌ ବ୍ୟାଙ୍କ ଓ ବ୍ରାଜିଲ୍‌ରେ କଏଦୀମାନଙ୍କୁ ପୁସ୍ତକ ପାଠ ପାଇଁ ଆବସର ଓ ଅନୁଦାନ ମିଳିବା ସଂପର୍କରେ ପ୍ରକାଶ କରି ସେ କହିଥିଲେ ଯେ ପୁସ୍ତକ ମେଳା ଏକ ସାଂସ୍କୃତିକ ଆନ୍ଦୋଳନରେ ପରିଣତ ହୋଇଛି। କାରଣ ଏହା ଆମର ଚେତନାକୁ ପ୍ରେରଣିତ କରେ। ଜର୍ମାନ୍‌ ଗବେଷକ ହିଡେଲ୍‌ବର୍ଗଙ୍କ ଉଦାହରଣ ଦେଇ ସେ କହିଥିଲେ ଯେ ଗୋଟିଏ ପୁସ୍ତକ ମଧ୍ୟ ଜଣେ ମଣିଷକୁ ମହା ପୁରୁଷରେ ପରିଣତ କରି ପାରେ।

ଉେପନ୍ଦ୍ର କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ୫ଟି ପୁସ୍ତକ ଲୋକାର୍ପିତ ହୋଇଥିବାବେଳେ ବିଭାଗୀୟ ଯୁଗ୍ମ ନିର୍ଦ୍ଦେଶିକା ସଂଘମିତ୍ରା ଶତପଥୀ ସ୍ୱାଗତ ଭାଷଣ ଦେଇଥିଲେ। ସୁନୀତା ନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ଶେଷରେ ସୁଚିସ୍ମିତା ମନ୍ତ୍ରୀ ଧନ୍ୟବାଦ ଅର୍ପଣ କରିଥିଲେ। ଏହା ପୂର୍ବରୁ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। କାର୍ଯ୍ୟକ୍ରମରେ ବହୁ ବୁଦ୍ଧିଜୀବୀ, ଗବେଷକ, ଲେଖକ, ପାଠକ ଓ ସଂସ୍କୃତିକର୍ମୀ ଉପସ୍ଥିତ ଥିଲେ।

Comments are closed.