ନିଜ ଦେହରେ ନିଆଁ ଲଗାଇଲେ ଛାତ୍ର !

ମୟୁରଭଞ୍ଜ: ସ୍କୁଲ ନ ଯିବା ପାଇଁ ସାନ ଭାଇ ଜିଦ ଧରିଥିଲ କିନ୍ତୁ ବଡ଼ ଭଉଣୀ ଗାଳି ଦେବାରୁ ଦେହରେ ନିଆଁ ଲଗାଇ ଦେଲେ ସାନ ଭାଇ। ଏଭଳି ଏକ ଅଭାବନୀୟ ଘଟଣା ମୟୁରଭଞ୍ଜ ଗୋପବନ୍ଧୁନଗର ବ୍ଲକ୍ ପଶୁଦା ଗାଁର ଭୋଜପଦା ସାହିରେ ଘଟିଛି। ପୂର୍ଣ୍ଣଚନ୍ଦ୍ର ମରାଣ୍ଡିଙ୍କ ପୁତୁରା ନିକଟସ୍ଥ ପଶୁଦା ହାଇସ୍କୁଲରେ ୯ମ ଶ୍ରେଣୀରେ ପାଠପଢ଼େ। ଆଜି ସେ ଦିନ ୧୦ଟା ବେଳେ ସ୍କୁଲ ଯିବ ନାହିଁ ବୋଲି ଜିଦ ଧରି ଥିଲା। ଏହାକୁ ନେଇ ବଡଭଉଣୀ ତାକୁ ତାଗିଦ କରିଥିଲା। ବଡ଼ ଭଉଣୀର ଗାଳିକୁ ସହି ନପାରି ସାନ ଭାଇ ଘର ଭିତରେ ପଶି ନିଜ ଦେହରେ କିରୋସିନ୍ ଢ଼ାଳି ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲା।
ସାହିପଡ଼ିଶା ଏବଂ ସମ୍ପର୍କୀୟ କାଳିଦାଶ ଦେହରେ ନିଆଁ ଲଗାଇ ଦେଉଥିବା ଜାଣିପାରି ଘର କବାଟ ଭାଙ୍ଗି ପୁଅକୁ ଘର ଭିତରୁ ଉଦ୍ଧାର କରିଥିଲେ। ଏହାପରେ ପୁଅକୁ ଗୁରୁତର ଅବସ୍ଥାରେ ପ୍ରଥମେ ବଡ଼ସାହି ଓ ତା’ପରେ ବାରିପଦା ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି। ଗୁରୁତର କାଳିଦାଶର ମୁଣ୍ଡଦେହ ପୋଡି ଯାଇଥିବା ବେଳେ ତାର ଅବସ୍ଥା ଏବେ ବି ସଙ୍କଟାପନ୍ନ ଥିବା କଥା ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି।