Odisha Link
Bridging the Missing Links in Odisha

ବେଆଇନ୍‌ ଭାବେ ରହୁଥିବା ବାଂଲାଦେଶୀ ଭାରତରୁ ଯିବେ!

ନୂଆଦିଲ୍ଲୀ: ବେଆଇନ୍‌ ଭାବେ ଭାରତରେ ରହୁଥିବା ବାଂଲାଦେଶୀ ନାଗରିକମାନଙ୍କୁ ନିଜ ଦେଶକୁ ଫେରାଇନେବାକୁ ଚାହୁଁଛି ବାଂଲାଦେଶ ସରକାର। ଏନେଇ ସୋମବାର ବାଂଲାଦେଶର ବୈଦେଶିକ ମନ୍ତ୍ରୀ ଏ କେ ଅବ୍‌ଦୁଲ ମୋମେନ କହିଛନ୍ତି। ଏଥିପାଇଁ ମୋମେନ୍‌ ବାଂଲାଦେଶୀ ନାଗରିକମାନଙ୍କ ଏକ ତାଲିକା ଭାରତକୁ ମାଗିଛନ୍ତି। ସୋମବାର ଗଣମାଧ୍ୟମକୁ ସୂଚନା ଦେଇ ମୋମେନ୍‌ କହିଛନ୍ତି, “ଆମେ ଭାରତ ସରକାରଙ୍କୁ ଅନୁରୋଧ କରିଛୁ। ଯଦି ଭାରତରେ କେହି ବାଂଲାଦେଶୀ ବେଆଇନ୍‌ ଭାବେ ରହୁଛନ୍ତି, ତେବେ ଏହାର ଏକ ତାଲିକା ଆମକୁ ଦିଅନ୍ତୁ। ଆମେ ସେମାନଙ୍କୁ ନିଜ ଦେଶକୁ ଆଣିବାକୁ ଚାହୁଁଛୁ। ଏହା ସେମାନଙ୍କ ଅଧିକାର ମଧ୍ୟ।”

ଆସନ୍ତା ଗୁରୁବାରକୁ ବାଂଲାଦେଶର ବୈଦେଶିକ ମନ୍ତ୍ରୀ ଏ କେ ଅବ୍‌ଦୁଲ ମୋମେନ ଭାରତ ଗସ୍ତରେ ଆସିଥାନ୍ତେ। ହେଲେ ଭାରତ ସରକାରଙ୍କ ନାଗରିକତା ସଂଶୋଧନ ଆଇନ୍‌ ଲାଗୁ ହେବା ପରେ ସେ ଏହି ଗସ୍ତକୁ ରଦ୍ଦ କରିଦେଇଥିଲେ। ସୋମବାର ଭାରତରେ ଲାଗୁହୋଇଥିବା ଏନ୍‌ଆରସି ଉପରେ କହିବାକୁ ଯାଇ ମୋନେନ୍‌ କହିଛନ୍ତି, “ଭାରତ ଏବଂ ବାଂଲାଦେଶ ମଧ୍ୟରେ ପୂର୍ବଭଳି ସୁସମ୍ପର୍କ ରହିବ। ଭାରତରେ ଏନ୍‌ଆରସି ଲାଗୁ ହେବା ଏହି ସମ୍ପର୍କରେ କୌଣସି ପ୍ରଭାବ ପକାଇବନାହିଁ।”

ସୂଚନାଯୋଗ୍ୟ, ଦେଶରେ ଲାଗୁ ହୋଇଥିବା ନାଗରିକତା ସଂଶୋଧନ ଆଇନ୍‌କୁ ନେଇ ବର୍ତ୍ତମାନ ସାରା ଦେଶରେ ଝଡ଼। ଉତ୍ତର ପୂର୍ବ ରାଜ୍ୟଗୁଡ଼ିକରୁ ଆରମ୍ଭ ହୋଇଥିବା ପ୍ରତିବାଦ ଏବେ ରାଜଧାନୀ ଦିଲ୍ଲୀ ପର୍ଯ୍ୟନ୍ତ ଗଲାଣି। ଆଇନ୍‌କୁ ଲୋକେ ଜୋର୍‌ଦାର୍‌ ବିରୋଧ କରୁଥିବା ବେଳେ ଏହାକୁ ନେଇ ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଲାଗି ରହିଛି।

Comments are closed.