ଦେଲେ ବି ନେବି ନାହିଁ : ଜୟନାରାୟଣ

ଭୁବନେଶ୍ୱର: ‘ ମୋତେ ବିଧାୟକ ଦଳ ନେତା ପଦବୀ ଦେଇନଥିଲେ। ସଭାପତି କାହିଁକି କରିବେ। ମୁଁ ରେସରେ ନାହିଁ, ଯଦି ବି ସଭାପତି ପଦ ଦିଆଯାଏ ମୁଁ ଗ୍ରହଣ କରିବି ନାହିଁ ।’ ଏଭଳି ରୋକଠୋକ କହିଛନ୍ତି ବିଜେପି ବିଧାୟକ ଜୟନାରାୟଣ ମିଶ୍ର। ରାଜ୍ୟ ବିଜେପିର ନୂଆ ସଭାପତି ଚୟନ ପ୍ରସଙ୍ଗରେ ତାଙ୍କୁ ଏହି ପଦବୀ ମିଳିବା ନେଇ ହେଉଥିବା ଚର୍ଚ୍ଚା ପ୍ରସଙ୍ଗରେ ବିଧାୟକ ଶ୍ରୀ ମିଶ୍ର ଏହା କହିଛନ୍ତି। ଏଥିସହ ମୋତେ କାହିଁକି ସଭାପତି ପଦବୀ ମିଳିବ ବୋଲି ନିଜେ ପ୍ରଶ୍ନ କରିବା ସହ ଏଭଳି ଚର୍ଚ୍ଚାକୁ ସେ ଖଣ୍ଡନ କରିଛନ୍ତି।
ସୂଚନା ଅନୁସାରେ ଏବେ ବିଜେପିର ସାଙ୍ଗଠନିକ ନିର୍ବାଚନ ଜାରି ରହିଛି । ଚଳିତ ମାସ ସୁଦ୍ଧା ନୂଆ ସଭାପତି ଚୟନ କରାଯିବ। କାହାକୁ ସଭାପତି କରାଯିବ ତାହାକୁ ନେଇ ବିଜେପିର ବରିଷ୍ଠ ନେତା ଓ ଆରଏସଏସର ବରିଷ୍ଠ ପଦାଧିକାରୀ ମାନସ ମନ୍ଥନ କରୁଛନ୍ତି। ନୂଆ ସଭାପତି ଚୟନ ହେବାକୁ ଯାଉଥିବାରୁ ଦଳର ଅନେକ ନେତାଙ୍କ ନାମକୁ ନେଇ ବିଭିନ୍ନ ଅଳିନ୍ଦରେ ଚର୍ଚ୍ଚା ହେଉଛି।