Odisha Link
Bridging the Missing Links in Odisha

ପ୍ରେମଜନିତ ଆତ୍ମହତ୍ୟା ଯୁବତୀଙ୍କ ଠାରୁ ଯୁବକ ଆଗରେ

ଭୁବନେଶ୍ୱର: ପ୍ରେମ ପାଇଁ ବଳି ବଡୁଛି ନୀରିହ ଜୀବନ। କିଏ ବେକରେ ଓଢ଼ଣୀ ଲଗାଇ ଝୁଲି ପଡ଼ିଲାଣି ତ ଆଉ କିଏ ଟ୍ରେନ୍‌ ଚକା ତଳେ ବେକ ଦେଖାଇ ଦେଲାଣି। ଏପରିକି ବେଳେବେଳେ ପ୍ରେମିକ, ପ୍ରେମିକା ଦୁହେଁ ମିଶି ଆତ୍ମହତ୍ୟା କରୁଛନ୍ତି। ପ୍ରତାରଣା, ଧୋକା ମଧ୍ୟ ଏସବୁର କାରଣ। ଏଭଳି ତଥ୍ୟ ଉପସ୍ଥାପନ କରିଛି ଜାତୀୟ କ୍ରାଇମ ରେକର୍ଡ ବ୍ୟୁରୋ (ଏନ୍‌ସିଆର୍‌ବି)। ରିପୋର୍ଟ ଅନୁଯାୟୀ, ପ୍ରେମ ଜନିତ ଆତ୍ମହତ୍ୟାରେ ଓଡ଼ିଶାର ସ୍ଥାନ ୬ ନମ୍ବରରେ। ପ୍ରଥମ ସ୍ଥାନରେ ପଶ୍ଚିମବଙ୍ଗ ରହିଥିବାବେଳେ ଦ୍ୱିତୀୟରେ ତାମିଲନାଡୁ, ତା’ ପଛକୁ ମଧ୍ୟପ୍ରଦେଶ, ଗୁଜୁରାଟ ଓ ପଞ୍ଚମରେ ମହାରାଷ୍ଟ୍ର ରହିଛି।

ରିପୋର୍ଟରୁ ପ୍ରକାଶ ଯେ, ୨୦୧୬ ମସିହାରେ ଦେଶରେ ପ୍ରେମରେ ଅସଫଳ ହୋଇ ୪୫୭୯ଜଣ ଆତ୍ମହତ୍ୟା କରିଥିଲେ। ସେଥିମଧ୍ୟରୁ ୨୧୩୯ଜଣ ଯୁବତୀ ଥିବା ବେଳେ ଯୁବକଙ୍କ ସଂଖ୍ୟା ଥିଲା ୨୪୪୦। ଏଥି ମଧ୍ୟରୁ ଆମ ରାଜ୍ୟରେ ପ୍ରେମରେ ପ୍ରତାରଣା ଯୋଗୁଁ ୩୪୧ଜଣ ଆତ୍ମହତ୍ୟା କରିଥିଲେ। ସେଥିମଧ୍ୟରୁ ୧୪୪ଜଣ ଯୁବତୀ ଓ ୧୯୭ଜଣ ଯୁବକ ଥିଲେ। ୨୦୧୭ ମସିହାରେ ସାରା ଦେଶରେ ପ୍ରେମ ଜନିତ ଆତ୍ମହତ୍ୟା ସଂଖ୍ୟା ୪୭୮୨ ଥିଲା। ସେଥିମଧ୍ୟରୁ ୨୨୪୫ଜଣ ଯୁବତୀ ଥିବା ବେଳେ ୨୫୩୭ଜଣ ଯୁବକ ଥିଲେ। ସେହିପରି ରାଜ୍ୟରେ ସମୁଦାୟ ୩୮୯ଜଣ ଆତ୍ମହତ୍ୟା କରିଥିଲେ। ଏଥିମଧ୍ୟରୁ ୧୭୪ଜଣ ଯୁବତୀ ଥିବା ବେଳେ ୨୧୫ଜଣ ଯୁବକ ଥିଲେ। ତେବେ ରାଜ୍ୟରେ ଅଧିକାଂଶ ପ୍ରେମ ଜନିତ ଆତ୍ମହତ୍ୟା ମାମଲା ଖୋର୍ଧା, ବାଲେଶ୍ୱର ଓ କେନ୍ଦ୍ରାପଡ଼ା‌ରେ ରୁଜୁ ହୋଇଛି। ସେହିପରି ଅନୈତିକ ସମ୍ପର୍କ ଜନିତ ଆତ୍ମହତ୍ୟା ମାମଲାରେ ଓଡ଼ିଶାର ସ୍ଥାନ ନବମରେ ରହିଛି। ବିବାହ ପରେ ପର ପୁରୁଷ କିମ୍ବା ମହିଳାଙ୍କ ସହ ସମ୍ପର୍କ, ଏହାକୁ ନେଇ ପାଟିତୁଣ୍ଡ ଓ ପରେ ଆତ୍ମହତ୍ୟା ଭଳି ଘଟଣା ମଧ୍ୟ ସାରା ଦେଶରେ ବଢ଼ି ବଢ଼ି ଚାଲିଛି। ଦେଶରେ ୨୦୧୬ ମସିହାରେ ୯୮୩ଜଣ ଏହି କାରଣରୁ ଆତ୍ମହତ୍ୟା କରିଥିଲେ। ସେଥିମଧ୍ୟରୁ ୫୫୮ଜଣ ପୁରୁଷ ଥିବା ବେଳେ ୪୨୫ଜଣ ମହିଳା ଥିଲେ। ଏହି ସମୟରେ ଓଡ଼ିଶାରେ ୩୯ଜଣ ଆତ୍ମହତ୍ୟା କରିଥିଲେ। ଯେଉଁଥିରେ ପୁରୁଷଙ୍କ ସଂଖ୍ୟା ୧୧ ଥିବା ବେଳେ ମହିଳାଙ୍କ ସଂଖ୍ୟା ୨୮। ୨୦୧୭ ମସିହାରେ ସାରା ଦେଶରେ ୧୦୬୪ଜଣ ଏହି କାରଣରୁ ଆତ୍ମହତ୍ୟା କରିଥିବା ବେଳେ ଓଡ଼ିଶାରେ ୪୨ଜଣ ଆତ୍ମହତ୍ୟା କରିଥିଲେ। ଏଥିରେ ପୁରୁଷଙ୍କ ସଂଖ୍ୟା ୧୬ ଥିବା ବେଳେ ମହିଳାଙ୍କ ସଂଖ୍ୟା ଥିଲା ୨୬। ଯାହା କି ଅତ୍ୟନ୍ତ ଚିନ୍ତାର ବିଷୟ।

Comments are closed.