Odisha Link
Bridging the Missing Links in Odisha

ନିର୍ଭୟା ଦୋଷୀ ପବନର ନାବାଳକ ଦାବି ଆବେଦନ ଖାରଜ

ନୂଆଦିଲ୍ଲୀ : ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ପବନ ଗୁପ୍ତାର ନାବାଳକ ଦାବି ଆବେଦନକୁ ଖାରଜ କରିଛନ୍ତି ଦିଲ୍ଲୀ ହାଇକୋର୍ଟ। ଏହି ଆବେଦନରେ ପବନ ଦର୍ଶାଇଥିଲା ଯେ ୨୦୧୨, ଡିସେମ୍ବରରେ ଏହି ଅପରାଧ ଘଟାଇବାବେଳେ ସେ ନାବାଳକ ଥିଲେ, ଏଣୁ ତାକୁ ଛାଡ଼ କରାଯାଉ। ପୂର୍ବରୁ ହାଇକୋର୍ଟ ଏହି ଆବେଦନର ଶୁଣାଣି ୨୦୨୦ ଜାନୁୟାରୀ ୨୪ରେ କରିବାକୁ ଧାର୍ଯ୍ୟ କରିଥିଲେ କିନ୍ତୁ କୋର୍ଟ ସେହି ଆଦେଶକୁ ପ୍ରତ୍ୟାହାର କରିନେବା ସହ ଆଜି ମାମଲାର ଶୁଣାଣି କରିବାକୁ ନିଷ୍ପତ୍ତି ନେଇଥିଲେ। ଏଥିସହ ବାରମ୍ବାର ଯୋଗାଯୋଗ କରାଯିବା ସତ୍ତ୍ୱେ ଫୋନ ଉଠାଇନଥିବାରୁ କୋର୍ଟ ପବନର ଓକିଲ ଏ.ପି.ସିଂଙ୍କୁ ୨୫ ହଜାର ଟଙ୍କାର ଜରିମାନା ଲଗାଇଛନ୍ତି ।

ଅପରାଧ ତାରିଖ ୧୬ ଡିସେମ୍ବର ୨୦୧୨ ରେ ପବନ ନାବାଳକ ଥିଲେ, ତେଣୁ ତାଙ୍କ ପ୍ରତି ‘ଜୁଭେନାଇଲ୍ ଜଷ୍ଟିସ୍’ ଆଇନ୍ ଅନୁଯାୟୀ ଦଣ୍ଡବିଧାନ ହେଉ ବୋଲି ଦାବି କରି ବୁଧବାର ଦିନ ଦୋଷୀ ପବନ ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିଲେ। ବୟସ ଜାଣିବାକୁ ତଦନ୍ତକାରୀ ଅଧିକାରୀ ତାଙ୍କର ହାଡ଼ ପରୀକ୍ଷା କରାଇ ନ ଥିବାରୁ ଆଇନ ଅନୁସାରେ, ତାଙ୍କୁ ‘ବେନିଫିଟ୍ ଅଫ୍ ଡାଉଟ୍’ରେ ଛାଡ଼ କରାଯାଉ ବୋଲି ସେ ନିବେଦନ କରିଥିଲେ। ସେ ନାବାଳକ ଥିଲେ କି, ନାହିଁ ସ୍ଥିର କରିବାକୁ ତାଙ୍କର ହାଡ଼ ପରୀକ୍ଷା ପାଇଁ ଆଦେଶ ଦିଆଯାଉ ବୋଲି ସେ ଆବେଦନ ପତ୍ରରେ ଉଲ୍ଲେଖ କରିଥିଲେ ଏବଂ ଏହି ଆବେଦନକୁ ଖାରଜ କରିଛନ୍ତି ଦିଲ୍ଲୀ ହାଇକୋର୍ଟ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ୨୦୧୨ ମସିହା ଡିସେମ୍ବର ୧୬ ତାରିଖରେ ପାରାମେଡ଼ିକାଲ ଛାତ୍ରୀ ନିର୍ଭୟାକୁ ଏକ ଚଳନ୍ତା ବସରେ ଗଣ-ଦୁଷ୍କର୍ମ କରାଯିବା ସହ ଅମାନୁଷିକ ନିର୍ଯ୍ୟାତନା ଦିଆଯାଇଥିଲା । ୬ ଜଣ ବ୍ୟକ୍ତି ଏହି କାଣ୍ଡ ଘଟାଇବା ପରେ ତାକୁ ଚଳନ୍ତା ବସରୁ ଫିଙ୍ଗିଦେଇଥିଲେ । ଗୁରୁତର ଆହତ ଅବସ୍ଥାରେ ଚିକିତ୍ସିତ ହେଉଥିବା ନିର୍ଭୟା, ସେହିବର୍ଷ ଡିସେମ୍ବର ୨୯ରେ ସିଙ୍ଗାପୁରର ମାଉଣ୍ଟ ଏଲିଜାବେଥ ହସପିଟାଲରେ ମୃତ୍ୟୁବରଣ କରିଥିଲେ।

Comments are closed.