Odisha Link
Bridging the Missing Links in Odisha

ମୁଶରଫଙ୍କୁ ୫ଥର ଫାଶୀ ଦିଆଯିବ: ସ୍ବତନ୍ତ୍ର ଅଦାଲତ

ଇସ୍‌ଲାମାବାଦ: ଇସ୍‌ଲାମାବାଦ ସ୍ବତନ୍ତ୍ର ଅଦାଲତର ଚୂଡ଼ାନ୍ତ ନିର୍ଦେଶାନାମା ଗୁରୁବାର ପ୍ରକାଶ ପାଇଛି। ଏଥିରେ ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ତଥା ସେନାଧ୍ୟକ୍ଷ ପରଭେଜ ମୁଶାରଫ(୭୬)ଙ୍କୁ ୫ଟି ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇ ୫ ଥର ଫାଶୀ ଦିଆଯିବା ପାଇଁ ନିର୍ଦେଶ ଦିଆଯାଇଛି। ଫାଶୀ ପାଇବା ପୂର୍ବରୁ ଯଦି ଅସୁସ୍ଥତା ଅଥବା ତାଙ୍କର ସ୍ବାଭାବିକ ମୃତ୍ୟୁ ଘଟେ ତେବେ ତାଙ୍କ ଶବକୁ ସର୍ବସାଧାରଣ ସ୍ଥାନରେ ବେକରେ ରଶି ଲଗାଇ ଓହଳା ଯିବାକୁ ଅଦାଲତ ନିର୍ଦେଶ ଦେଇଛନ୍ତି। ଗତ ୧୭ ତାରିଖ (ମଙ୍ଗଳବାର)ରେ ମୁଶରଫଙ୍କ ବିରୋଧରେ ଥିବା ଦେଶଦ୍ରୋହ ମାମଲାର ବିଚାର କରି ସ୍ବତନ୍ତ୍ର ଅଦାଲତର ତିନି ଜଣିଆ ପୀଠ ୨-୧ ମତରେ ତାଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଥିଲେ।

ପାକିସ୍ତାନ କୋର୍ଟର ଏଭଳି ରାୟକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଜୋର୍ ଧରିଛି। କୋର୍ଟଙ୍କ ଏହି ରାୟକୁ ପାକିସ୍ତାନ ସେନା ସମେତ ଦେଶର ସମ୍ବିଧାନ ବିଶେଷଜ୍ଞ ନାପସନ୍ଦ କରିଛନ୍ତି। କୋର୍ଟଙ୍କ ଏହି ରାୟ ଅସମ୍ବିଧାନିକ ବୋଲି ପାକିସ୍ତାନ ସେନା ନିଜର ଅସନ୍ତୋଷ ପ୍ରକାଶ କରିଛି।

ବର୍ତ୍ତମାନ ମୁଶରଫ ୟୁନାଇଟେଡ ଆରବ ଏମିରେଟ୍ସ (ୟୁଏଇ)ର ଦୁବାଇସ୍ଥିତ ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ସେ ନିଜକୁ ନିର୍ଦୋଷ କହିବା ସହ ବିରୋଧୀଙ୍କ ଷଡ଼ଯନ୍ତ୍ରର ଶିକାର ହୋଇଥିବା ମତ ଦେଇଛନ୍ତି। ଯଦି ଶୀର୍ଷ ଅଦାଲତ ସ୍ବତନ୍ତ୍ର ଅଦାଲତର ରାୟକୁ ବଳବତ୍ତର ରଖନ୍ତି ତେବେ ପାକିସ୍ତାନ ସମ୍ବିଧାନର ଧାରା-୪୫ ଅନୁଯାୟୀ ଦେଶର ରାଷ୍ଟ୍ରପତି ତାଙ୍କୁ କ୍ଷମା ପ୍ରଦାନ କରି ପାରିବେ।

ସ୍ବତନ୍ତ୍ର ଅଦାଲତର ଏହି ରାୟ ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ କରାଯିବ ବୋଲି ମୁଶରଫଙ୍କ ଓକିଲ କହିଛନ୍ତି। ଏହା ବ୍ୟତୀତ ଏହି ରାୟର ସମୀକ୍ଷା କରାଯିବ ବୋଲି ପାକିସ୍ତାନ ସରକାର ମଧ୍ୟ ଘୋଷଣା କରିଛନ୍ତି। ରାୟ ପ୍ରକାଶ ପାଇବା ପରେ ସବୁଠାରୁ ନିରାଶ କୋଇଛି ପାକିସ୍ତାନୀ ସେନା। ଜଣେ ସେନାଧ୍ୟକ୍ଷଙ୍କୁ ଦେଶଦ୍ରୋହୀ ଭାବେ ଅଭିହିତ କରାଯାଇ ଫାଶୀ ଦଣ୍ଡାଦେଶ ହେବା ସମଗ୍ର ପାକିସ୍ତାନ ସେନାକୁ ଲଜ୍ଜିତ କରିଛି ବୋଲି ସେନା ପ୍ରବକ୍ତା ଆଶିଫ ଗଫୁର କହିଛନ୍ତି। ଏହାଦ୍ବାରା ସେନାର ମନୋବଳ ହ୍ରାସ ପାଇବ। ମୁଶରଫଙ୍କ ପରି ରାଷ୍ଟ୍ରଭକ୍ତ ପାକିସ୍ତାନରେ ଜନ୍ମ ହୋଇ ନାହାନ୍ତି। ସେନାର ଧୈର୍ଯ୍ୟକୁ ଦୁର୍ବଳତା ଭାବିବା ଭୁଲ୍‌। ପୂର୍ବତନ ସେନାଧ୍ୟକ୍ଷ ମୁଶରଫଙ୍କୁ ନିର୍ଦୋଷ ସାବ୍ୟସ୍ତ କରିବା ପାଇଁ ଆମେ ସବୁମତେ ଉଦ୍ୟମ କରିବୁ ବୋଲି ଗଫୁର କହିଛନ୍ତି।

ସୂଚନାଯୋଗ୍ୟ, ଗତ ୨୦୦୭ରେ ମୁସାରଫଙ୍କୁ ବିରୋଧରେ ଦେଶଦ୍ରୋହ ଅଭିଯୋଗ ଆସିବା ପରେ ପାକିସ୍ତାନ କୋର୍ଟ ତାଙ୍କୁ ମୃତ୍ୟୁଦଣ୍ଡ ଶୁଣାଣି କରିଛନ୍ତି। ମୁସାରଫ୍ ବର୍ତ୍ତମାନ ଦୁବାଇରେ ଚିକିତ୍ସିତ ହେଉଛନ୍ତି। ପେଶୱାର ହାଇକୋର୍ଟର ବିଚାରପତି ୱାକର ଅହମ୍ମଦ ସେଠ୍, ସିନ୍ଧ୍ ହାଇକୋର୍ଟର ବିଚାରପତି ନାଜର ଆକବର ଏବଂ ଲାହୋର ହାଇକୋର୍ଟର ବିଚାରପତି ସହିଦ କରିମ୍ ଙ୍କୁ ନେଇ ଗଠିତ ଖଣ୍ଡପୀଠ ମୁସାରଫଙ୍କୁ ବିରୋଧରେ ଏହି ରାୟ ଶୁଣାଇଛନ୍ତି।

Comments are closed.