Odisha Link
Bridging the Missing Links in Odisha

ବ୍ୟାଙ୍କରୁ ୪୦ ଲକ୍ଷ ଟଙ୍କା ଠକେଇ ଅଭିଯୋଗ

ରାଉରକେଲା: ବ୍ୟାଙ୍କରୁ ୪୦ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ୩ ଜଣ ବ୍ୟାଙ୍କ ମିତ୍ରଙ୍କୁ ଗିରଫ କରିଛି ରାଉରକେଲା ସାଇବର ଥାନା ପୋଲିସ। ସେମାନଙ୍କଠାରୁ ୨ ଲକ୍ଷ ୮୦ହଜାର ଟଙ୍କା ଜବତ କରାଯାଇଛି। ଏହି ଠକେଇ ୨୦୧୮ ମସିହା ସେପ୍ଟେମ୍ବର ୨୧ ତାରିଖରୁ ଅକ୍ଟୋବର ୫ ତାରିଖ ମଧ୍ୟରେ ବନ୍ଧମୁଣ୍ଡା ଏବଂ ବୀରମିତ୍ରପୁର ୟୁନାଇଟେଡ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆରୁ ଠକେଇ ହୋଇଛି ।
ସୂଚନା ଅନୁସାରେ ଗ୍ରାମାଞ୍ଚଳ ଲୋକମାନଙ୍କୁ ବ୍ୟାଙ୍କ ସେବା ଯୋଗାଇ ଦେବାକୁ ବିଭିନ୍ନ ବ୍ୟାଙ୍କ ତରଫରୁ ଏହି ବ୍ୟାଙ୍କ ମିତ୍ର ଯୋଜନା କରାଯାଇଥିଲା । ବ୍ୟାଙ୍କ ତରଫରୁ ଏମାନଙ୍କ ନାମରେ ଆକାଉଣ୍ଟ ଖୋଲାଯାଇ କିଓସ୍କୋ ମାଧ୍ୟମରେ ଏହି ବ୍ୟାଙ୍କ ମିତ୍ରମାନେ ଏକ ମିନି ବ୍ୟାଙ୍କ ସଦୃଶ କାମ କରୁଥିଲେ । ଲୋକଙ୍କ ଟଙ୍କା ଜମା କରିବା ସହ ଟଙ୍କା ବାହାର କରିବା କାମ କରୁଥିଲେ । ଏହାର ସୁଯୋଗ ନେଇ ବ୍ୟାଙ୍କ ସର୍ଭେୟରକୁ ଆକସେସ୍ କରି ଏଭଳି ଠକେଇ ହୋଇଥିଲା । ପ୍ରଥମେ ବନ୍ଧମୁଣ୍ଡା ୟୁନାଇଟେଡ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆର ବ୍ୟାଙ୍କ ମିତ୍ର ସନ୍ତୋଷ ପତି ଏହି ଠକେଇରେ ସଫଳ ହେବା ପରେ ବୀରମିତ୍ରପୁର ୟୁନାଇଟେଡ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ଶାଖାର ଦୁଇ ବନ୍ଧୁଙ୍କୁ ଏହି ଠକେଇ କାମରେ ନିୟୋଜିତ କରି ଲକ୍ଷ ଲକ୍ଷ ଟଙ୍କା ଠକେଇ କରିଥିଲେ । ରାଉରକେଲା ସାଇବର ଥାନାରେ ଅଭିଯୋଗ ହେବାପରେ ପୋଲିସ ଶନିବାର ଦିନ ୩ ଜଣ ବ୍ୟାଙ୍କ ମିତ୍ରଙ୍କୁ ଗିରଫ କରିଛି ।

Comments are closed.