Odisha Link
Bridging the Missing Links in Odisha

ସାହାଯ୍ୟ କଲାବେଳେ ଜୀବନ ଗଲା

ଜଳେଶ୍ୱର : ଏମିତି ବି ମୃତ୍ୟୁ ଆସେ। ସ୍କୁଲର ବାର୍ଷିକ ଉତ୍ସବ ନିମନ୍ତ୍ରଣପତ୍ର ବାଣ୍ଟବାକୁ ଯାଉଥିବା ବେଳେ ବାଟରେ ଇଟା ବୋଝେଇ ଗାଡି ଓଲଟି ପଡ଼ିବାରୁ ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କର ଅକାଳ ମୃତ୍ୟୁ ଘଟିଛି। ଗତକାଲି ମଧ୍ୟାହ୍ନ ଭୋଜନ ଛୁଟି ସମୟରେ ଜଳେଶ୍ବର ଟାଉନ୍‌ ହାଇସ୍କୁଲର ଦଶମ ଶ୍ରେଣୀର ଛାତ୍ର ସବ୍ୟସାଚୀ ବେହେରା, ସହପାଠୀ ଅକ୍ଷୟ ହାଜିରା ଓ ସୁବାସ ସାହୁ ତିନିଜଣ ମିଶି ସ୍କୁଲର ବାର୍ଷିକ ଉତ୍ସବ ପାଇଁ ନିମନ୍ତ୍ରଣପତ୍ର ବାଣ୍ଟିବାକୁ ନୂଆବଜାର ଯାଉଥିଲେ। ଏହି ସମୟରେ ଲକ୍ଷ୍ମଣନାଥରୁ ଆସୁଥିବା ଏକ ଇଟା ବୋଝେଇ ଗାଡି ନୂଆବଜାର ରେଳ ଫାଟକ ନିକଟରେ ଛିଡ଼ା ହୋଇଥିଲା। ଅତ୍ୟଧିକ ଲୋଡ୍‌ ଯୋଗୁଁ ଗାଡ଼ି ଆଗକୁ ନ ଯାଇ ପାରିବାରୁ ସବ୍ୟସାଚୀ ଓ ତାଙ୍କ ଦୁଇ ସହପାଠୀଙ୍କୁ ଗାଡ଼ି ଚାଳକ ସହାୟତା ମାଗି ପଛ ଚକାରେ ଇଟାଖଣ୍ଡ ରଖିବାକୁ ଅନୁରୋଧ କରିଥିଲେ। ସବ୍ୟସାଚୀ ଚକା ତଳେ ଇଟା ରଖୁଥିବାବେଳେ ହଠାତ ଗାଡ଼ିଟି ସବ୍ୟସାଚୀଙ୍କ ଉପରେ ଓଲଟି ପଡ଼ିଥିଲା। ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ତାଙ୍କୁ ଗାଡ଼ି ତଳୁ ଉଦ୍ଧାର କରି ଜିକେ ଭଟ୍ଟର ଡାକ୍ତରଖାନା ଏବଂ ସେଠାରୁ ବାଲେଶ୍ବର ବଡ଼ ଡାକ୍ତରଖାନା ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଦୁର୍ଘଟଣାରୁ ଅନ୍ୟ ଦୁଇ ଛାତ୍ର ଅଳ୍ପକେ ବର୍ତ୍ତି ଯାଇଛନ୍ତି।

ସବ୍ୟସାଚୀଙ୍କ ଘର ଶିଖରପୁର ପଞ୍ଚାୟତ ରାଜନଗର ଗାଁରେ। ସେ ତାଙ୍କ ବାପାମା’ଙ୍କର ଏକମାତ୍ର ପୁତ୍ର ଥିଲେ। ପୁଅର ଏଭଳି ଆକସ୍ମିକ ମୃତ୍ୟୁରେ ବାପା ଶମ୍ଭୁନାଥ ବେହେରାଙ୍କ ସମେତ ପରିବାର ଲୋକେ ହତବାକ୍ ହୋଇ ଯାଇଛନ୍ତି। ସବ୍ୟସାଚୀଙ୍କ ଅକାଳ ବିୟୋଗରେ ଟାଉନ ହାଇସ୍କୁଲର ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି।

Comments are closed.