Odisha Link
Bridging the Missing Links in Odisha

ଓଡ଼ିଶା ସାର୍ବଜନୀନ ପାଠାଗାର ପରିଷଦ ଗଠନ ହେବ

ଭୁବନେଶ୍ବର: ପାଠାଗାର ଆନ୍ଦୋଳନକୁ ବ୍ୟାପକ କରିବା ଉଦ୍ଦେଶ୍ୟରେ ଖୁବ୍‌ଶୀଘ୍ର ଓଡ଼ିଶା ସାର୍ବଜନୀନ ପାଠାଗାର ପରିଷଦ ଗଠନ କରାଯିବ। ଏଥିରେ ବିଭିନ୍ନ ବର୍ଗର ପ୍ରତିନିଧିତ୍ବ କରିବା ଭଳି ସଦସ୍ୟମାନଙ୍କୁ ରଖାଯିବ ଏବଂ ଜଣେ ଅଧ୍ୟକ୍ଷ ରହିବେ। ଏହି ପରିଷଦ ସାରା ରାଜ୍ୟରେ ରହିଥିବା ସର୍ବସାଧାରଣ ପାଠାଗାରଗୁଡ଼ିକର ଉନ୍ନତିକରଣ, ପ୍ରଚଳିତ ବ୍ୟବସ୍ଥାରେ ସଂସ୍କାର ସହିତ ସେବା ଯୋଗାଣକୁ ସଂପ୍ରସାରିତ କରିବା ପାଇଁ ପରାମର୍ଶ ଦେବ ବୋଲି ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ପ୍ରକାଶ କରିଛନ୍ତି।

ଆଜି ସନ୍ଧ୍ୟାରେ ଲୋକସେବା ଭବନସ୍ଥିତ ନିଜ କାର୍ଯ୍ୟାଳୟରେ ଓଡ଼ିଶା ସୋସାଇଟି ଅଫ୍‌ ଆମେରିକାସ୍‌ (ଓସା) ସଂଗଠନର ପ୍ରତିନିଧି ମଣ୍ଡଳୀଙ୍କ ସହିତ ଆଲୋଚନା ସମୟରେ ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ଉପରୋକ୍ତ ମର୍ମରେ ଓଡ଼ିଶା ସାର୍ବଜନୀନ ପାଠାଗାର ପରିଷଦ ଗଠନ କରାଯିବ ବୋଲି ଉଲ୍ଲେଖ କରିଛନ୍ତି। ଏହା ବ୍ୟତୀତ ପ୍ରତି ଜିଲ୍ଲାରେ ରହିଥିବା ସର୍ବସାଧାରଣ ପାଠାଗାରଗୁଡ଼ିକର ଉନ୍ନତିକରଣ ସାଙ୍ଗକୁ ସେବାର ମାନବୃଦ୍ଧି ନିମନ୍ତେ ଜିଲ୍ଲାସ୍ତରୀୟ ପାଠାଗାର କମିଟିମାନ ଆରମ୍ଭ କରାଯିବ। ଏଠାରେ ଉଲ୍ଲେଖେଯୋଗ୍ୟ ଯେ, ରାଜ୍ୟରେ ୧୭ଟି ଜିଲ୍ଲାରେ ସଂସ୍କୃତି ବିଭାଗର ପାଠାଗାର ରହିଥିବାବେଳେ ଆଉ ୧୩ଟି ଜିଲ୍ଲାରେ ପାଠାଗାର ପ୍ରତିଷ୍ଠା ହେବ। ଜିଲ୍ଲାରେ ରହିଥିବା ସବୁ ସର୍ବସାଧାରଣ ପାଠାଗାରଗୁଡ଼ିକ ମଧ୍ୟରେ ସମନ୍ୱୟ ସ୍ଥାପନ ସାଙ୍ଗକୁ ପାଠାଗାରଗୁଡ଼ିକର ଅଭିବୃଦ୍ଧି ନିମନ୍ତେ ଜିଲ୍ଲାସ୍ତରୀୟ କମିଟିଗୁଡ଼ିକ କାର୍ଯ୍ୟ କରିବେ ବୋଲି ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ସୂଚନା ଦେଇଥିଲେ।

ସର୍ବସାଧାରଣ ପାଠାଗାର ଯୋଜନାକୁ ୫ ‘ଟି’ କାର୍ଯ୍ୟକ୍ରମ ଅନ୍ତର୍ଭୁକ୍ତ କରାଯାଇଛି ଏବଂ ଏଥିରେ ସ୍ୱଚ୍ଛତା ସହିତ ବିଭିନ୍ନ ପରିଚାଳନା ବ୍ୟବସ୍ଥାରେ ଅଂଶୀଦାରମାନଙ୍କ ପ୍ରତ୍ୟକ୍ଷ ସଂପୃକ୍ତିକୁ ନିଶ୍ଚିତ କରାଯାଇଛି। ଖୁବ୍‌ଶୀଘ୍ର ‘ ଓଡ଼ିଶା ପବ୍ଲିକ୍‌ ଲାଇବ୍ରେରୀ ଫଣ୍ଡ’ (ଓଡ଼ିଶା ସର୍ବସାଧାରଣ ପାଠାଗାର ପାଣ୍ଠି) ସୃଷ୍ଟି କରାଯିବ ବୋଲି ମନ୍ତ୍ରୀ ‘ଓସା’ ପ୍ରତିନିଧି ମଣ୍ଡଳୀଙ୍କୁ ଆଲୋଚନାବେଳେ କହିଛନ୍ତି। ଏହି ପାଣ୍ଠି ସୃଷ୍ଟି ହେବା ପରେ ପାଠାଗାରଗୁଡ଼ିକର ଭିତ୍ତିଭୂମି ବିକାଶ ତଥା ପୁସ୍ତକ କ୍ରୟ ଇତ୍ୟାଦି ପାଇଁ ବିଭିନ୍ନ ସୂତ୍ରରୁ ସହାୟତା ବା ଅନୁଦାନ ସଂଗ୍ରହ କରାଯାଇ ପାରିବ। ମନ୍ତ୍ରୀଙ୍କ ସହିତ ସାକ୍ଷାତ ଆଲୋଚନା ସମୟରେ ‘ଓସା’ର ସଭା ପତି କୁକୁ ଦାସଙ୍କ ସମେତ ଅନ୍ୟ କର୍ମକର୍ତ୍ତା ତଥା ସଦସ୍ୟବୃନ୍ଦ ଉପସ୍ଥିତ ଥିଲେ।

Comments are closed.