Odisha Link
Bridging the Missing Links in Odisha

ଜାତୀୟସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା ପାଇଁ ୪୩ ଜଣ ମନୋନୀତ

ଭୁବନେଶ୍ବର: ଶିଶୁମାନଙ୍କ ମଧ୍ୟରେ ଥିବା ପ୍ରତିଭାର ପରିପ୍ରକାଶ, ବିଭିନ୍ନ କ୍ଷେତ୍ରରେ ଶିଶୁମାନଙ୍କୁ ପ୍ରୋତ୍ସାହନ ଯୋଗାଇଦେବା ଓ କୃତୀ ଶିଶୁମାନଙ୍କୁ ସମ୍ମାନିତ କରିବା ଉଦ୍ଦେଶ୍ୟରେ ଓଡ଼ିଶା ରାଜ୍ୟ ଶିଶୁ କଲ୍ୟାଣ ପରିଷଦ ଏବଂ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ଆନୁକୂଲ୍ୟରେ ଆଜି ଏକ ସ୍ୱତନ୍ତ୍ର ପୁରସ୍କାର ପ୍ରଦାନ କାର୍ଯ୍ୟକ୍ରମ ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଯାଇଛି।

ଏହି ସମାରୋହରେ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ, ‘ଈଶ୍ୱରଙ୍କ ସର୍ବୋତ୍ତମ ସୃଷ୍ଟି ହେଉଛି ଶିଶୁ। ଶିଶୁର ସୁନ୍ଦର ଭବିଷ୍ୟତ ନିର୍ମାଣ ପାଇଁ ପ୍ରତ୍ୟେକ ଶିଶୁକୁ ବାଲ୍ୟକାଳରୁ ବିଭିନ୍ନ ଦିଗରେ ପ୍ରୋତ୍ସାହିତ କରିବା ଆବଶ୍ୟକ।’ ବିଭାଗୀୟ ପ୍ରମୁଖ ଶାସନ ସଚିବ ଅନୁ ଗର୍ଗ କହିଥିଲେ ରାଜ୍ୟର ଶିଶୁମାନଙ୍କୁ ସବୁକ୍ଷେତ୍ରରେ ସକ୍ଷମ ଏବଂ ସଫଳ କରିବା ଦିଗରେ ଶିଶୁ କଲ୍ୟାଣ ପାଇଁ ବିଭାଗ ଦ୍ୱାରା ଅନେକ ଅଭିନବ କାର୍ଯ୍ୟକ୍ରମ କରାଯାଉଛି। ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା ସୁଶ୍ରୀ ସନ୍ଧ୍ୟାବତୀ ପ୍ରଧାନ, ବିଭାଗର ଉପଦେଷ୍ଟା ସୁଲତା ଦେଓ ପ୍ରମୁଖ ନିଜ ନିଜ ଅଭିଭାଷଣରେ ପିଲାମାନଙ୍କୁ ସୁଯୋଗ ପ୍ରଦାନରେ ଆମ ସମସ୍ତଙ୍କ ଦାୟିତ୍ୱ ଅଛି ବୋଲି କହିଥିଲେ।

ଓଡ଼ିଶା ରାଜ୍ୟ ଶିଶୁ କଲ୍ୟାଣ ପରିଷଦର ସଦସ୍ୟ ସଚିବ କ୍ୱାମାର ସୁଲତାନା ବେଗମ୍‌ ଉପସ୍ଥିତ ସମସ୍ତ ସଭ୍ୟଙ୍କୁ ସ୍ୱାଗତ ଜଣାଇଥିଲେ। ଏହି କାର୍ଯ୍ୟକ୍ରମର ପ୍ରାରମ୍ଭରେ ଲୁଇସ୍‌ ବ୍ରେଲ୍‌ ବିଦ୍ୟାଳୟର ଛୋଟଛୋଟ କଳାକାରଙ୍କ ଦ୍ୱାରା ପ୍ରାରମ୍ଭିକ ସଂଗୀତ ଗାନ କରାଯାଇଥିଲା। ପୂର୍ବରୁ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଗର୍ଗ ଦିବ୍ୟାଙ୍ଗ ଶିଶୁମାନଙ୍କ ସହ ବାର୍ତ୍ତାଳାପ କରିବା ସହ ସେମାନଙ୍କ ଗହଣରେ ସମୟ ବିତାଇଥିଲେ। ଚିତ୍ରାଙ୍କନ ପ୍ରତିଯୋଗିତା-୨୦୧୯ର ଭୁବନେଶ୍ୱରରେ ଅନୁଷ୍ଠିତ ପ୍ରତିଯୋଗିତାର ୧୭ ଜଣ କୃତୀ ପ୍ରତିଯୋଗୀଙ୍କୁ ତଥା ଜାତୀୟ ସ୍ତରୀୟ ପ୍ରତିଯୋଗିତା ପାଇଁ ଶ୍ରେଷ୍ଠ ବିବେଚିତ ୪୩ ଜଣ କୃତୀ ପ୍ରତିଯୋଗୀଙ୍କୁ ପଦକ ଓ ସାର୍ଟିଫିକେଟ୍‌ ଓ
ଚିତ୍ରାଙ୍କନ ଉପକରଣ ପ୍ରଦାନ କରାଯାଇଥିଲା।

୩୦ଟି ଜିଲ୍ଲାର ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ସହଯୋରେ ଚିତ୍ରାଙ୍କନ ପ୍ରତିଯୋଗିତା ପୂର୍ବରୁ ଆୟୋଜିତ ହୋଇଥିଲା। ଶିଶୁ କଲ୍ୟାଣ ପରିଷଦର ଅଧିକାରୀ ଅନୁପମା ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ। ବିଭାଗୀୟ ଅଧିକାରୀ ଓ ପରିଷଦର ସମସ୍ତ କର୍ମକର୍ତ୍ତା ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

Comments are closed.