Odisha Link
Bridging the Missing Links in Odisha

ଖଣ୍ଡପଡ଼ାରେ ୧୮୫ତମ ପଠାଣି ସାମନ୍ତ ଜୟନ୍ତୀ

ନୟାଗଡ଼: ବିଶ୍ବବିଖ୍ୟାତ ଜ୍ୟୋତିର୍ବିଦ୍‌, ଗଣିତଜ୍ଞ, ପଣ୍ଡିତ ସାମନ୍ତ ଚନ୍ଦ୍ରଶେଖରଙ୍କ ୧୮୫ ତମ ଜୟନ୍ତୀ ସମାରୋହ ପାଳିତ ହୋଇଯାଇଛି। ଖଣ୍ଡପଡ଼ା ସ୍ଥିତ ସାମନ୍ତ ସାମନ୍ତ ଚନ୍ଦ୍ରଶେଖର ସ୍ମୃତି ମନ୍ଦିର ଓ ପାଠାଗାର ପରିସରରେ ଆଜି ଅପରାହ୍ଣରେ ଆୟୋଜିତ ଏହି ଭବ୍ୟ ସମାରୋହରେ ଓଡ଼ିଶା ସରକାରଙ୍କ ଇଲେକ୍‌ଟ୍ରନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗର ଉପଦେଷ୍ଟା ତଥା ଖଣ୍ଡପଡ଼ାର ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟକ ମୁୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଜଣାଶୁଣା ଅଭିନେତା ତଥା ପୂର୍ବତନ ସାଂସଦ ସିଦ୍ଧାନ୍ତ ମହାପାତ୍ର ଉତ୍ସବକୁ ଉଦ୍‌ଘାଟନ କରିଥିଲେ।

ପଠାଣି ସାାମନ୍ତ ନାମରେ ଖ୍ୟାତ ଚନ୍ଦ୍ରଶେଖର ସିଂହ ସାମନ୍ତ ହରିଚନ୍ଦନ ମହାପାତ୍ରଙ୍କ ଭଳି ବିଚକ୍ଷଣ ଖଗୋଳ ବିଜ୍ଞାନୀ କେବଳ ଖଣ୍ଡପଡ଼ାର ନୁହନ୍ତି ବରଂ ଓଡ଼ିଶାର ଓ ପ୍ରକାରାନ୍ତରେ ସାରା ଭାରତର ଗୌରବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। ସ୍ମୃତି ମନ୍ଦିରରେ ପାଠାଗାର ଜରାଜୀର୍ଣ୍ଣ ହୋଇ ପଡ଼ିଥିବା ବେଳେ ଏହାର ପୁନରୁଦ୍ଧାର ଆବଶ୍ୟକ ବୋଲି ସେ ମତ ଦେଇଥିଲେ। ଏଥିପାଇଁ ଖଣ୍ଡପଡ଼ାର ପ୍ରତିଟି ପରିବାର ଆଗେଇ ଆସିବା ସହ ସାଧ୍ୟମତେ ସହଯୋଗ କରିବାକୁ ସେ ନିବେଦନ କରିଥିଲେ। ଏ ଅବସରରେ ପ୍ରାଥମିକ ସହଯୋଗ ରାଶି ଭାବେ ଶ୍ରୀ ପଟ୍ଟନାୟକ ନିଜେ ୧୦ ହଜାର ଟଙ୍କା ପ୍ରଦାନ କରି ପାଠାଗାର ପୁନରୁଦ୍ଧାର କାର୍ଯ୍ୟର ଅୟମାରମ୍ଭ କରିଥିଲେ।

ସାମନ୍ତଙ୍କ ସ୍ମୃତି ରକ୍ଷା ଖଣ୍ଡପଡ଼ାରେ ସୀମିତ ନରଖି ଏହାକୁ ରାଜ୍ୟସ୍ତରୀୟ କରିବା ପାଇଁ ଆହ୍ବାନ ଦେଇଥିଲେ ସିଦ୍ଧାନ୍ତ ମହାପାତ୍ର। କୌଣସି ସହଯୋଗ, ଅନୁଦାନର ଅପେକ୍ଷା ନ ରଖି ଖଣ୍ଡପଡ଼ାର ସଚେତନ ନାଗରିକ ଗଣ ନିଜେ ଚେଷ୍ଟା କଲେ ତାହା ସମ୍ଭବ ହେବ ଓ ସରକାରଙ୍କ ଉପରେ ମଧ୍ୟ ଏହା ସକାରାତ୍ମକ ଚାପ ସୃଷ୍ଟି କରିବ ବୋଲି ସେ କହିଥିଲେ।

ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଗବେଷକ ଡକ୍ଟର ଗଣେଶ୍ବର ସ୍ବାଇଁ ପଠାଣି ସାମନ୍ତଙ୍କ ଯାତନାଭରା ଯାତ୍ରା ଓ ନିଷ୍ଠାପର ପରିଶ୍ରମର ନାନାଦି ଉଦାହରଣ ମାଧ୍ୟମରେ ତାଙ୍କର ଜୀବନ ଓ ସଂଘର୍ଷ ଉପରେ ଆଲୋକପାତ କରିଥିଲେ। ବିଶିଷ୍ଠ ଅତିଥି ଭାବରେ ଯୋଗଦେଇ ବୈଜ୍ଞାନିକ ଡ. ସୁଧୀରା ପଣ୍ଡା ପଠାଣି ସାମନ୍ତଙ୍କ ସିଦ୍ଧାନ୍ତର ସର୍ବକାଳୀନ ଆବେଦନ ଓ ପ୍ରାସଙ୍ଗିକତା ବାବଦରେ ନିଜର ସାରଗର୍ଭକ ବକ୍ତବ୍ୟ ରଖିଥିଲେ।

ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ଲେଖକ ଓ ସାମ୍ବାଦିକ ଶୁଭ୍ରାଂଶୁ ପଣ୍ଡା ପଠାଣି ସାମନ୍ତଙ୍କ ଜୀବନ ଦର୍ଶନର ପ୍ରଚାର ପ୍ରସାର ଉପରେ ଗୁରୁତ୍ବାରୋପ କରିଥିଲେ। ନାନାଦି ବାଧାବିଘ୍ନ ଓ ରାଜରୋଷର ଶିକାର ହୋଇ ମଧ୍ୟ ସେ କିଭଳି ନିଜ ସାଧନାରେ ସିଦ୍ଧିଲାଭ କଲେ ଓ ବିଶ୍ବବିଦିତ ହୋଇପାରିଲେ ସେ ବାବଦରେ ନୂଆପିଢ଼ି ଜାଣିବାର ଆବଶ୍ୟକତା ରହିଛି। ସ୍ବର୍ଗତ ପଣ୍ଡିତ ଚନ୍ଦ୍ରଶେଖର ମିଶ୍ର କାବ୍ୟତୀର୍ଥଙ୍କ ଦ୍ବାରା ୧୯୩୨ ମସିହାରେ ଲିଖିତ ସାମନ୍ତଙ୍କ ଏକମାତ୍ର ପୂର୍ଣ୍ଣାଙ୍କ ଜୀବନୀ ପୁସ୍ତକର ପୁନଃପ୍ରକାଶନ ଦାୟିତ୍ବ ତାଙ୍କ ପ୍ରକାଶନ ସଂସ୍ଥା ନେବ ବୋଲି ଶ୍ରୀ ପଣ୍ଡା ପ୍ରତିଶ୍ରୁତି ଦେଇଥିଲେ।

ଏହି ଉତ୍ସବ ସହ ପଠାଣି ସାମନ୍ତଙ୍କ ଲିଖିତ ‘ସିଦ୍ଧାନ୍ତ ଦର୍ପଣ’ ପୁସ୍ତକର ୧୫୦ ତମ ପୂର୍ତ୍ତି ବର୍ଷ ମଧ୍ୟ ପାଳନ କରାଯାଇଥିଲା। ଏହି ସ୍ମୃତିରେ ପଠାଣି ସାମନ୍ତ ସ୍ମୃତି ପାଠାଗାରର ପୁନରୁଦ୍ଧାର କରାଯିବ ବୋଲି ଅନୁଷ୍ଠାନର ସଂପାଦକ ବିନାୟକ ସାହୁ ସଂପାଦକୀୟ ଅଭିଭାଷଣରେ ପ୍ରସ୍ତାବ ରଖିଥିଲେ। ଅନୁଷ୍ଠାନର ସଭାପତି ରତ୍ନାକର ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବକୁ ପରିଚାଳନା କରିଥିଲେ ପ୍ରସିଦ୍ଧ ଅଭିନେତ୍ରୀ ମଧୁମିତା ମହାନ୍ତି। ଧନ୍ୟବାଦ ଅର୍ପଣ କରିଥିଲେ ବରିଷ୍ଠ ସାମ୍ବାଦିକ ବିନାୟକ ମିଶ୍ର (ଜଟି)।

ଏ ଅବସରରେ ବିଭିନ୍ନ ପ୍ରତିଯୋଗିତାରେ ସଫଳ ଛାତ୍ରଛାତ୍ରୀ ଓ ଶିକ୍ଷା କ୍ଷେତ୍ରରେ ଉତ୍କର୍ଷ ଲାଭ କରିଥିବା ଯୁବକଯୁବତୀଙ୍କୁ ଅନୁଷ୍ଠାନ ପକ୍ଷରୁ ପୁରସ୍କୃତ କରାଯାଇଥିଲା। ଉତ୍ସବ ଆରମ୍ଭରେ ଉପସ୍ଥିତ ଛାତ୍ରଛାତ୍ରୀଙ୍କ ପାଇଁ ସାଧାରଣ ଜ୍ଞାନ ପ୍ରଶ୍ନୋତ୍ତରୀ କାର୍ଯ୍ୟକ୍ରମ ସାଙ୍ଗକୁ ବ୍ୟଙ୍ଗକବି ଗିରୀଶ ରଂଜନଙ୍କ ଦ୍ବାରା ମନୋରଂଜନଭିତ୍ତିକ କବିତା ପରିବେଷଣ କରାଯାଇଥିଲା। ସଂଧ୍ୟାରେ ବିନାୟକ ମ୍ୟୁଜିକ୍‌ ପକ୍ଷରୁ ସୀତାଂଶୁ ଶେଖର ରାଉତ ଓ ସାଥୀଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। ଅଧ୍ୟାପକ ଅଜିତ ବସନ୍ତରା ଓ ଅନୁଷ୍ଠାନର ଅନ୍ୟ କର୍ମକର୍ତ୍ତା ଗଣ ଉତ୍ସବ ପରିଚାଳନାରେ ସହାୟତା କରିଥିଲେ।

Comments are closed.