Odisha Link
Bridging the Missing Links in Odisha

ସାଧାରଣତନ୍ତ୍ର ଦିବସ: ପରେଡରେ ପଦର୍ଶିତ ହେବ ଓଡିଶାର ପ୍ରଜ୍ଞାପନ ମେଢ

ଭୁବନେଶ୍ବର: ଆଗାମୀ ୨୦୨୦ ଜନରାଜ୍ୟ ଦିବସରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ସ୍ତରୀୟ ପରେଡରେ ଓଡ଼ିଶାର ପ୍ରଜ୍ଞାପନ ମେଢ ପ୍ରଦର୍ଶିତ ହେବା ପାଇଁ ଯୋଗ୍ୟ ବିବେଚିତ ହୋଇଛି। ପ୍ରକାଶଥାଉକି ପ୍ରତିବର୍ଷ କେନ୍ଦ୍ର ପ୍ରତିରକ୍ଷା ବିଭାଗ ପକ୍ଷରୁ ସମସ୍ତ ରାଜ୍ୟକୁ ପ୍ରଜ୍ଞାପନ ମେଢ ପ୍ରଦର୍ଶନ ନିମନ୍ତେ ପ୍ରସ୍ତାବ ଆହ୍ୱାନ କରାଯାଇଥାଏ। ତନ୍ମଧ୍ୟରୁ ଅତ୍ୟନ୍ତ ଉଚ୍ଚକୋଟୀର ପ୍ରଜ୍ଞାପନ ମେଢଗୁଡିକ ଜନରାଜ୍ୟ ଦିବସ ପରେଡ୍ରେ ସ୍ଥାନିତ ହୋଇଥାଏ। ଚଳିତ ବର୍ଷ ମଧ୍ୟ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳକୁ ତଦନୁଯାୟୀ ପ୍ରସ୍ତାବ ଦିଆଯାଇଥିଲା। ଏଥିମଧ୍ୟରୁ ଦେଶର ୧୬ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ପ୍ରଜ୍ଞାପନ ମେଢ ଯୋଗ୍ୟ ବିବେଚିତ ହୋଇଛି।

ଖୁସିର କଥା ଯେ, ତନ୍ମଧ୍ୟରେ ଓଡିଶାର ପ୍ରଜ୍ଞାପନ ମେଢ ସ୍ଥାନିତ ହୋଇଛି। ପ୍ରତିରକ୍ଷା ବିଭାଗ ପକ୍ଷରୁ ଜାରି କରାଯାଇଥିବା ୬ ଗୋଟି ବିଷୟବସ୍ତୁ ମଧ୍ୟରୁ ଓଡିଶା ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରସ୍ତୁତ ‘ଓଡିଶାର ସ୍ଥାପତ୍ୟ ଓ ଲୋକ ସଂସ୍କୃତି ଉପରେ ଆଧାରିତ ପର୍ବ ’ ଡିଜାଇନ୍ଟି ଜାତୀୟ ସ୍ତରର ବିଚାରକମଣ୍ଡଳୀଙ୍କୁ ଆକୃଷ୍ଟ କରିଥିଲା। ପଦର୍ଶିତ ହେବାକୁ ଥିବା ପ୍ରଜ୍ଞାପନ ମେଢର ଡିଜାଇନ୍ ପ୍ରସ୍ତୁତ କରୁଛନ୍ତି ବିଶିଷ୍ଟ ଚିତ୍ରଶିଳ୍ପୀ ଗଜେନ୍ଦ୍ର ସାହୁ। ୨୦୨୦ ସାଧାରଣତନ୍ତ୍ର ଦିବସ ପରେଡରେ ପଦର୍ଶିତ ହେବାକୁ ଥିବା ଓଡିଶାର ପ୍ରଜ୍ଞାପନ ମେଢ ଲିଙ୍ଗରାଜ ମନ୍ଦିର ଓ ରୁକୁଣା ରଥ ଉପରେ ନିର୍ମିତ ହୋଇଥିବା କହିଛନ୍ତି ଡିଜାଇନର ଗଜେନ୍ଦ୍ର ସାହୁ। ଓଡିଶା ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସଂପର୍କ ବିଭାଗ ତରଫରୁ ଏହି ଡିଜାଇନ୍କୁ ପ୍ରଜ୍ଞାପନ ମେଢରେ ପୂର୍ଣ୍ଣ ବିକଶିତ କରାଯାଇ ଜନରାଜ୍ୟ ଦିବସରେ ପ୍ରଦର୍ଶିତ କରାଯିବ ବୋଲି ବିଭାଗ ତରଫରୁ ପ୍ରକାଶ ପାଇଛି।

Comments are closed.