ଜାତୀୟ ଉପଭୋକ୍ତା ଦିବସର ରାଜ୍ୟସ୍ତରୀୟ ଉତ୍ସବ

ଭୁବନେଶ୍ୱର : ଖାଉଟିମାନଙ୍କ ସୁରକ୍ଷା ଓ ଅଧିକାର ପ୍ରତି ସରକାର ସର୍ବଦା ତତ୍ପର । ଉପଭୋକ୍ତାମାନଙ୍କୁ ଅସାଧୁ ବିକ୍ରେତା, ମୁନାଫାଖୋର ବ୍ୟବସାୟୀ ଓ ସେବାପ୍ରଦାନରେ ଅବହେଳା ପ୍ରଦର୍ଶନ କରୁଥିବା ବ୍ୟକ୍ତିଙ୍କୁ ବିରୁଦ୍ଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଖାଉଟିମାନଙ୍କ ନାଯ୍ୟ ଅଧିକାରକୁ ସାବ୍ୟସ୍ତ କରିବା ପାଇଁ ରାଜ୍ୟ ସରକାର ଯେଉଁ ଲକ୍ଷ୍ୟ ଓ ସଂକଳ୍ପ ରଖିଛନ୍ତି ତାହାକୁ ରୂପାୟନ କରିବା ପାଇଁ ଅଧିକାରୀ ଓ କର୍ମଚାରୀମାନେ ୫‘ଟି’ ଆଧାରରେ କାର୍ଯ୍ୟ କରିବା ପାଇଁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି ।
ପୂର୍ବାହ୍ନରେ ଜୟଦେବ ଭବନଠାରେ ଖାଦ୍ୟଯୋଗାଣ ଓ ଖାଉଟି କଳ୍ୟାଣ ବିଭାଗ ଆନୁକୂଲ୍ୟରେ ଆୟୋଜିତ ଜାତୀୟ ଉପଭୋକ୍ତା ଦିବସର ରାଜ୍ୟସ୍ତରୀୟ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ସ୍ୱାଇଁ କହିଲେ ସଂପ୍ରତି ଡିଜିଟାଲ୍ ଯୁଗରେ ଅନ୍ଲାଇନ୍ ସପିଂ, ଇ-ମାର୍କେଟିଂ ଓ ଟେଲି ସପିଙ୍ଗ ଆଦିରେ ଖାଉଟି ସୁରକ୍ଷା ଓ ବିବାଦ ସଂ ପର୍କରେ ୧୯୮୬ ଆଇନରେ ପଯ୍ୟାପ୍ତ ବ୍ୟବସ୍ଥା ନଥିବା ଦୃଷ୍ଟିରୁ କେନ୍ଦ୍ର ସରକାର ଖାଉଟି ସୁରକ୍ଷା ଆଇନ- ୨୦୧୯ ପ୍ରଣୟନ କରିଛନ୍ତି ।
ତେବେ ସଂଘୀୟ ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ନୂତନ ଖାଉଟି ସୁରକ୍ଷା ଆଇନରେ ଆବଶ୍ୟକୀୟ ସଂଶୋଧନ ଆଣିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କେନ୍ଦ୍ର ସରକାରଙ୍କ ନିକଟରେ ପ୍ରସ୍ତାବ ଦିଆଯାଇଛି । ସୁନାଗହଣା ଆଦି କିଣିବା ଦିଗରେ ଖାଉଟିମାନଙ୍କୁ ସୁରକ୍ଷା ଦେବା ଦିଗରେ ପ୍ରଚଳିତ ଆଇନରେ ପରିବର୍ତ୍ତନ ଆଣିବା ସହ ଜରିମାନା ରାଶିକୁ ବୃଦ୍ଧି କରାଯିବା ଉଚିତ ବୋଲି ମନ୍ତ୍ରୀ ସ୍ୱାଇଁ କହିଥିଲେ ।
ଭେଜାଲ ଔଷଧ ଓ ପ୍ରସାଧନ ସାମଗ୍ରୀ, ନକଲି ଗାଡ଼ି ଯନ୍ତ୍ରାଂଶ ନିର୍ମାଣ ଆଦି ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନିମନ୍ତେ ଆଇନରେ ବ୍ୟା ପକ ପରିବର୍ତ୍ତନ ଓ ଯାଞ୍ଚ ବ୍ୟବସ୍ଥା କଡ଼ାକଡ଼ି କରିବା ଉପରେ ମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ଅଣସଂଗଠିତ କ୍ଷେତ୍ରର ଉପଭୋକ୍ତା ଓ ସମାଜର ସବୁଠାରୁ ତଳସ୍ତରରେ ଥିବା ଉପଭୋକ୍ତାମାନଙ୍କୁ ସୁରକ୍ଷା ଦେବା ପାଇଁ ରାଜ୍ୟ ସରକାର ସର୍ବଦା ଚେଷ୍ଟିତ ।
ସେମାନଙ୍କ ଅଧିକାର ଓ ବିବାଦର ସମାଧାନ ନିମନ୍ତେ ବିଭିନ୍ନ ସ୍ତରରେ ପ୍ରତିଷ୍ଠା କରାଯାଇଥିବା ଖାଉଟି ବିବାଦ ସମାଧାନ ମଂଚ ସଂପର୍କରେ ବ୍ୟାପକ ଜନସଚେତନତା ସୃଷ୍ଟି ନିମନ୍ତେ ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନମାନେ ସକ୍ରିୟ ଭୂମିକା ଗ୍ରହଣ କରିବା ସହିତ ଛାତ୍ରଛାତ୍ରୀମାନେ ଏ ଦିଗରେ ମହତ୍ତ୍ୱ ପୂର୍ଣ୍ଣ ଭୂମିକା ନିର୍ବାହ କରି ପାରିବେ ବୋଲି ମନ୍ତ୍ରୀ ସ୍ୱାଇଁ କହିଥିଲେ ।
ଏଥି ସହିତ ନୂତନ ଖାଉଟି ଆଇନକୁ ଭିତ୍ତିକରି ଉପଭୋକ୍ତାମାନଙ୍କୁ ସମୟୋଚିତ ନ୍ୟାୟ ପ୍ରଦାନ ନିମନ୍ତେ ରାଜ୍ୟ ସରକାର ଖୁବ୍ଶୀଘ୍ର ନିୟମାବଳୀ ପ୍ରଣୟନ କରୁଛନ୍ତି ବୋଲି ମନ୍ତ୍ରୀ ସ୍ୱାଇଁ କହିଥିଲେ । ଉତ୍ସବରେ ଅନ୍ତର୍ଜାତୀୟ ଉପଭୋକ୍ତା ବିଶେଷଜ୍ଞ ତଥା ରାଜ୍ୟ ଖାଉଟି କଲ୍ୟାଣ ଉପଦେଷ୍ଟା ବେଜୋନ କୁମାର ମିଶ୍ର ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଖାଉଟି ସଚେତନତା ହିଁ ଖାଉଟି ସୁରକ୍ଷା ବୋଲି ଅଭିହିତ କରିଥିଲେ ।
ଛାତ୍ରଛାତ୍ରୀମାନଙ୍କୁ ପ୍ରଥମରୁ ହିଁ ଖାଉଟି ଅଧିକାର ଓ ପ୍ରତିକାର ସଂପର୍କରେ ସଚେତନ କରାଇ ପାରିଲେ ଏହାର ସୁଫଳ ସମାଜ ଉପରେ ପଡ଼ିବ ବୋଲି ସେ କହିଥିଲେ । ନିର୍ଦ୍ଦେଶକ ଖାଉଟି ବ୍ୟାପାର ତଥା ଅତିରିକ୍ତ ଶାସନ ସଚିବ ସତ୍ୟନାରାୟଣ ଦାଶ ଉତ୍ସବରେ ପୌରୋହିତ୍ୟ କରି ରାଜ୍ୟରେ କାର୍ଯ୍ୟ କରୁଥିବା ରାଜ୍ୟସ୍ତରୀୟ ଉପଭୋକ୍ତା ବିବାଦ ପ୍ରତିକାର ଆୟୋଗ, ୩୧ ଗୋଟି ଜିଲ୍ଲା ଉପଭୋକ୍ତା ବିବାଦ ପ୍ରତିକାର ମଂଚ, ରାଜ୍ୟ ଉପଭୋକ୍ତା ପରାମର୍ଶ କେନ୍ଦ୍ର ଓ ରାଜ୍ୟ ଉପଭୋକ୍ତା ସଚେତନତା ପ୍ରତିଷ୍ଠାନ ଜରିଆରେ ଖାଉଟିମାନଙ୍କୁ ପ୍ରଦାନ କରାଯାଉଥିବା ସୁବିଧା ସୁଯୋଗ ସଂପର୍କରେ ଆଲୋଚନା କରିଥିଲେ ।
ଉତ୍ସବ ପ୍ରାରମ୍ଭରେ ଯୁଗ୍ମ ଶାସନ ସଚିବ ଚିତ୍ତରଞ୍ଜନ ପ୍ରଧାନ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଓ ଓଡ଼ିଶା ରାଜ୍ୟ ଯୋଗାଣ ନିଗମର ପରିଚାଳନା ନିର୍ଦ୍ଦେଶକ ବିଶ୍ୱଜିତ କେଶରୀ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।ଏହି ଅବସରରେ ବିଭାଗ ପକ୍ଷରୁ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ଖାଉଟି ସଚେତନତା ଓ ସୁରକ୍ଷା ସଂପର୍କରେ ଆୟୋଜିତ ବକ୍ତୃତା ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ଓ ମାନ ପତ୍ର ପ୍ରଦାନ କରାଯାଇଥିଲା ।
ଏହି ଅବସରରେ ‘ଦି ଆଓ୍ୱେର କନଜ୍ୟୁମର’ ପୁସ୍ତକକୁ ମନ୍ତ୍ରୀ ସ୍ୱାଇଁ ଉନ୍ମୋଚନ କରିଥିଲେ । ଶେଷରେ ବିଭାଗ ପକ୍ଷରୁ ଖାଉଟି ସୁରକ୍ଷା ଓ ସଚେତନତା ସଂପର୍କରେ ଏକ କ୍ଷୁଦ୍ର ନାଟିକା ମଂଚସ୍ଥ କରାଯାଇଥିଲା
Comments are closed.