ରାତିସାରା ଉଜାଗର ରହିଲେ ଶ୍ରୀଜୀଉ

ପୁରୀ: ଆଜି ଅନୁଷ୍ଠିତ ହେଉଛି ସୂର୍ଯ୍ୟପରାଗ। ଏଥିପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି କରାଯାଉଛି। ଫଳରେ ରାତିସାରା ଉଜାଗର ରହିଛନ୍ତି ମହାପ୍ରଭୁ ଜଗନ୍ନାଥ। ଅନ୍ୟପଟେ ଧାଡ଼ିବାନ୍ଧି ହଜାର ହଜାର ଭକ୍ତ ଶ୍ରୀଜୀଉଙ୍କୁ ଦର୍ଶନ କରିଛନ୍ତି। ରାତିସାରା ମହାପ୍ରଭୁ ଭକ୍ତଙ୍କୁ ଦର୍ଶନ ଦେବା ଏକ ବିରଳ ଘଟଣା, ଯାହା ବର୍ଷ ବର୍ଷ ଧରି କେବେ ହୋଇନଥିଲା ବୋଲି ସେବାୟତ କହିଛନ୍ତି।
ଆଜି ସୂର୍ଯ୍ୟଙ୍କୁ ପରାଗ ସ୍ପର୍ଶ କରିବା ପରେ ନୀତିକାନ୍ତି ଆରମ୍ଭ ହେବ। ଶ୍ରୀମନ୍ଦିରରେ ଗ୍ରହଣ ମହାସ୍ନାନ ଅନୁଷ୍ଠିତ ହେବ। ପ୍ରାୟ ୧ ଘଣ୍ଟା ଧରି ଚାଲିବ ମହାପ୍ରଭୁଙ୍କ ଏହି ଗ୍ରହଣ ମହାସ୍ନାନ ନୀତି। ଏହାପରେ ଗ୍ରହଣ ଖଇକରା ଭୋଗ ଅନୁଷ୍ଠିତ ହେବ। ଏହାପରେ ମଙ୍ଗଳ ଆଳତୀ, ମଇଲମ, ତଡ଼ପଲାଗି, ଅବକାଶ, ପହିଲିଭୋଗ, ଗୋପାଳବଲ୍ଲଭ ଓ ସକାଳଧୂପ ଅନୁଷ୍ଠିତ ହେବ।
ସୂଚନାଯୋଗ୍ୟ ଜ୍ୟୋତିଷଶାସ୍ତ୍ର ଅନୁସାରେ, ଏହା ଖଣ୍ଡଗ୍ରାସ, କେତୁଗ୍ରସ୍ତ ସୂର୍ଯ୍ୟପରାଗ। ତେଣୁ ଏହାର ୧୨ ଘଣ୍ଟା ପୂର୍ବରୁ ଅର୍ଥାତ୍ ଗତକାଲି ରାତି ୮ଟା ୨୦ ଠାରୁ ପାକତ୍ୟାଗ ଓ ଦେବନୀତି ନିଷେଧ ରହିଛି। ଆଜି ସକାଳ ୮ଟା ୨୦ ମିନିଟ୍ ୮ ସେକେଣ୍ଡରେ ନୀତିକାନ୍ତି ଆରମ୍ଭ ହେବ।