Odisha Link
Bridging the Missing Links in Odisha

ଦୁଷ୍କର୍ମକାରୀର ଜିଭ ଛିଣ୍ଡାଇ ଦେଲେ ମହିଳା

କୋଣାର୍କ: ନିଜର ଇଜ୍ଜତ ବଞ୍ଚାଇବାକୁ ଯାଇ ଜଣେ ମହିଳା ଯୁବକଙ୍କ ଜିଭ ଛିଣ୍ଡାଇ ଫୋପାଡ଼ି ଦେଇଛନ୍ତି। ଏହାପରେ ପ୍ରାଣ ବିକଳରେ ଯୁବକଜଣକ ଘଟଣାସ୍ଥଳରୁ ପଳାଇଥିବା ବେଳେ ପୁଲିସ୍‌ ପହଞ୍ଚି ଛିଣ୍ଡି ଯାଇଥିବା ଜିଭ ଜବତ କରିଛି। ଏପରି ଘଟଣା କାକଟପୁରସ୍ଥିତ ଏକ ଆଶ୍ରମରେ ଘଟିଛି । ସମଗ୍ର ଅଞ୍ଚଳରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି। ଏନେଇ ମହିଳାଜଣକ ଥାନାର ଦ୍ୱାରସ୍ତ ହୋଇଛନ୍ତି।
ସୂଚନାଯୋଗ୍ୟ, କାକଟପୁର ଥାନାଠାରୁ ମାତ୍ର ପଚାଶ ମିଟର ଦୂରରେ ଅବସ୍ଥିତ କାକଟପୁର ବସ୍‌ ଷ୍ଟାଣ୍ଡ ନିକଟରେ ଏକ ଆଶ୍ରମ ରହିଛି। ଗତକାଲି ବିଳମ୍ବିତ ରାତିରେ ଜଣେ ଦୁର୍ବୃତ୍ତ ଆଶ୍ରମରେ ପହଞ୍ଚି କବାଟ ବାଡ଼େଇଥିଲେ। ଅନ୍ତେବାସିନୀଜଣକ କବାଟ ଖୋଲିବା ପରେ ସେ ମହିଳାଙ୍କ ମୁହଁକୁ ଏକ କପଡ଼ାରେ ବାନ୍ଧି ତାଙ୍କୁ ଦୁଷ୍କର୍ମ ଉଦ୍ୟମ କରିବାକୁ ଚେଷ୍ଟା କରୁଥିଲେ। ଉକ୍ତ ସମୟରେ ମହିଳାଜଣଙ୍କ ନିଜକୁ ରକ୍ଷା କରିବାକୁ ଯାଇ ଦୁର୍ବୁତ୍ତଙ୍କ ଜିଭକୁ କାମୁଡି ଛିଣ୍ଡାଇ ଦେଇଥିଲେ। ଜିଭ ଛିଣ୍ଡି ତଳେ ପଡିବା ପରେ ଦୁର୍ବୁତ୍ତଜଣଙ୍କ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଫେରାର ହୋଇଯାଇଥିଲେ।
ପୀଡ଼ିତାଜଣଙ୍କ କାକଟପୁର ଥାନାରେ ଏତଲା ଦେବା ପରେ କାକଟପୁର ଥାନା ପକ୍ଷରୁ ଛାନଭିନ ଆରମ୍ଭ ହୋଇଛି। ପୁଲିସ୍‌ ଆଶ୍ରମରେ ପହଞ୍ଚି ଛିଣ୍ଡି ପଡ଼ିଥିବା ଜିଭକୁ ଜବତ କରି ଥାନାକୁ ଆଣିଛି। ମହିଳାଙ୍କ ଏତଲାକୁ ଗ୍ରହଣ କରି ପୁଲିସ୍‌ ଅଧିକ ତଦନ୍ତ ଜାରି ରଖିଛି। ଛିଣ୍ଡା ଜିଭକୁ ଡାକ୍ତରୀ ଯାଞ୍ଚ ପରେ ପଦକ୍ଷେପ ନିଆଯିବ ବୋଲି ପୁଲିସ୍‌ ସୂତ୍ରରୁ ଜଣାପଡିଛି।

Comments are closed.