Odisha Link
Bridging the Missing Links in Odisha

ସର୍ବସାଧାରଣଙ୍କ ପାଇଁ ଆସନ୍ତା ୫ରୁ ଖୋଲିବ ରାଜଭବନ ଉଦ୍ୟାନ, ଛାତ୍ରଛାତ୍ରୀଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା

ଭୁବନେଶ୍ବର: ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଚଳିତ ବର୍ଷ ରାଜଭବନ ଉଦ୍ୟାନ ସର୍ବସାଧାରଣ ଓ ଛାତ୍ରଛାତ୍ରୀଙ୍କ ପାଇଁ ଖୋଲିବାକୁ ଆବଶ୍ୟକୀୟ ଅନୁମତି ପ୍ରଦାନ କରିଛନ୍ତି। ଏହି କ୍ରମରେ ସର୍ବସାଧାରଣ ଜାନୁଆରୀ ୫ ତାରିଖରୁ ଜାନୁଆରୀ ୨୦ ତାରିଖ ପର୍ଯ୍ୟନ୍ତ ରବିବାର ଓ ଛୁଟିଦିନ ସହିତ ପ୍ରତ୍ୟହ ଅପରାହ୍ନ ୨.୩୦ଟାରୁ ୫ଟା ମଧ୍ୟରେ ରାଜଭବନ ଉଦ୍ୟାନ ପରିଦର୍ଶନ କରିପାରିବେ। ସେହିପରି ଦଶମ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ନିମନ୍ତେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ବିଦ୍ୟାଳୟ କର୍ତୃପକ୍ଷଙ୍କ ଅନୁରୋଧ ଆଧାରରେ ଛାତ୍ରଛାତ୍ରୀମାନେ ଜାନୁଆରୀ ୬ ତାରିଖରୁ ଜାନୁଆରୀ ୨୧ ତାରିଖ ପର୍ଯ୍ୟନ୍ତ ରବିବାର ବ୍ୟତୀତ ପ୍ରତ୍ୟହ ସକାଳ ୮.୩୦ ରୁ ୧୦ଟା ମଧ୍ୟରେ ଉଦ୍ୟାନ ବୁଲି ଦେଖିପାରିବେ। ଏଥିନିମନ୍ତେ ବିଦ୍ୟାଳୟ କର୍ତୃପକ୍ଷ ରାଜ୍ୟପାଳଙ୍କ ଏଡ଼ିସି କିମ୍ବା ରାଜଭବନ ନିରାପତା ଦାୟିତ୍ୱରେ ଥିବା ଏସିପିଙ୍କୁ ସେମାନେ ଅନୁରୋଧ ପତ୍ର ପ୍ରେରଣ କରିବାକୁ କୁହାଯାଇଛି।

ନିର୍ଦ୍ଧାରିତ ସମୟ ନିର୍ଘଂଟ ମଧ୍ୟରେ ରାଜଭବନ ମଧ୍ୟକୁ ଭିଡ଼ ମୁକ୍ତ ହୋଇ ସହଜରେ ପ୍ରବେଶ କରିବା ପାଇଁ ରାଜଭବନ ପକ୍ଷରୁ ‘ରାଜଭବନ ଓଡ଼ିଶା’ ନାମରେ ଏକ ମୋବାଇଲ୍ ଆପ୍ ପ୍ରସ୍ତୁତ କରାଯାଇଛି ଯାହା ଗୁଗୁଲ୍ ପ୍ଲେଷ୍ଟୋରରେ ଆଣ୍ଡ୍ରଏଡ଼ ଫୋନ୍ ବ୍ୟବହାରକାରୀଙ୍କ ପାଇଁ ଉପଲବ୍ଧ ହେବ। ଏହି ମୋବାଇଲ୍ ଆପ୍ ବ୍ୟବହାର କରି ଆଣ୍ଡ୍ରଏଡ଼ ଫୋନ୍ ବ୍ୟବହାରକାରୀମାନେ କ୍ୟୁଆର କୋଡ଼ ପ୍ରବେଶ ପତ୍ର ସେମାନଙ୍କ ସ୍ମାର୍ଟଫୋନ୍ରେ ପ୍ରସ୍ତୁତ କରିପାରିବେ ଯାହା ରାଜଭବନ ମୁଖ୍ୟ ଫାଟକରେ ସ୍କାନିଂ ଦ୍ୱାରା ଭିଡ଼ମୁକ୍ତ ହୋଇ ପ୍ରବେଶ କରିପାରିବେ। ତଥାପି ରାଜଭବନ ଅଭ୍ୟର୍ଥନା ପ୍ରକୋଷ୍ଠ ନିକଟରେ ରେଜିଷ୍ଟାର ମାଧ୍ୟମରେ ହାତଦ୍ୱାରା ପ୍ରସ୍ତୁତ ପ୍ରବେଶ ପତ୍ର ସର୍ବସାଧାରଣଙ୍କ ନିମନ୍ତେ ଉପଲବ୍ଧ ରହିବ। ରାଜଭବନ ମଧ୍ୟକୁ ଟିଫିନ୍ ବାକ୍ସ, ଖାଦ୍ୟ ପୁଡ଼ିଆ, ପାଣି ବୋତଲ ଏବଂ କ୍ୟାମେରା ନ ଆଣିବାକୁ ସମସ୍ତଙ୍କୁ ଅନୁରୋଧ କରାଯାଇଛି।

ରାଜଭବନ ଉଦ୍ୟାନକୁ ପରିଷ୍କାର ରଖିବା ସହିତ ଦାୟିତ୍ୱରେ ଥିବା ଅଧିକାରୀ ଓ କର୍ମଚାରୀମାନଙ୍କୁ ଦାୟିତ୍ୱ ନିର୍ବାହରେ ସହଯୋଗ କରିବାକୁ ମଧ୍ୟ ଅନୁରୋଧ କରାଯାଇଛି। ରାଜଭବନର ସବୁଜ ଲନ୍, ହରିଣ ଉଦ୍ୟାନ, ସଂଗୀତମୟ ଝରଣା, ଖୋଲା ଆକ୍ୱାରିୟମ୍ ଏବଂ ପକ୍ଷୀ ଏନ୍‌କ୍ଲୋଜର ସର୍ବସାଧାରଣଙ୍କ ପାଇଁ ଆକର୍ଷଣର କେନ୍ଦ୍ର। ଏକ ରଙ୍ଗୀନ ପରିପାଟୀରେ ରାଜଭବନ ଉଦ୍ୟାନ ସବୁ ବୟସର ଜନସାଧାରଣଙ୍କୁ ସ୍ୱାଗତ କରିବା ନିମନ୍ତେ ଆଗ୍ରହର ସହିତ ଅପେକ୍ଷା କରିଛି।

Comments are closed.