Odisha Link
Bridging the Missing Links in Odisha

ଶିକ୍ଷକତାକୁ ଏକ ବୃତ୍ତି ନଭାବି ବ୍ରତ ଭାବରେ ଗ୍ରହଣ କର: ଅରୁଣ

ଭୁବନେଶ୍ବର: ଶିକ୍ଷା ଦ୍ୱାରା ସମାଜର ନୂତନ ସୁଯୋଗ ଓ ସମ୍ଭାବନା ସୃଷ୍ଟି ହୋଇ ପାରିବ। ତେଣୁ ଶିକ୍ଷକତାକୁ ଏକବୃତ୍ତି ନଭାବି ବ୍ରତ ଭାବରେ ଗ୍ରହଣ କରିବାକୁ ପଡ଼ିବ ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ପ୍ରକାଶ କରିଛନ୍ତି।

ଆଜି କୃଷି ଭବନର ସମ୍ମିଳନୀ କକ୍ଷରେ ରାଜ୍ୟ ସିଲେକ୍‌ସନ୍‌ ବୋର୍ଡ ଦ୍ୱାରା ଚୟନ କରାଯାଇଥିବା ଅନୁଦାନ ପ୍ରାପ୍ତ ବେସରକାରୀ ମହାବିଦ୍ୟାଳୟର ନବନିଯୁକ୍ତ ଅଧ୍ୟାପକ ଅଧ୍ୟାପିକାମାନଙ୍କର ନିଯୁକ୍ତି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଡ. ସାହୁ କହିଲେ ଯେ ଶିକ୍ଷକମାନେ ଛାତ୍ରମାନଙ୍କର ମାର୍ଗଦର୍ଶକ। ତେଣୁ ଶିକ୍ଷକମାନେ ପ୍ରଭାବଶାଳୀ ହେବା ଆବଶ୍ୟକ। ବ୍ୟକ୍ତିଗତ ସଫଳତାକୁ ସମାଜର ବୃହତ୍ତର ସ୍ୱାର୍ଥ ନିମନ୍ତେ ଉପଯୋଗ କରିବାର ମାନସିକତା ରହିଲେ ସଫଳତାର ଶୀର୍ଷରେ ପହଞ୍ଚିହେବ ବୋଲି ମନ୍ତ୍ରୀ ଡ. ସାହୁ କହିଥିଲେ। ଏହି ନିଯୁକ୍ତିକୁ ‘ନୂତନ ବର୍ଷରେ ଉଚ୍ଚଶିକ୍ଷା ବିଭାଗ ତରଫରୁ ପ୍ରଥମ ଭେଟି’ ବୋଲି ମନ୍ତ୍ରୀ ଡ. ସାହୁ କହିଥିଲେ।

ଉଚ୍ଚଶିକ୍ଷାକୁ ଏକ ଉଚ୍ଚତର ସୋପାନରେ ପହଞ୍ଚାଇବା ପାଇଁ ବିଭାଗ ତରଫରୁ ଅନେକଗୁଡ଼ିଏ ସଂସ୍କାରମୂଳକ ପଦକ୍ଷେପ ନିଆଯିବା ସହ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ପ୍ରବର୍ତ୍ତିତ ୫‘ଟି’କୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରାଯା ସଂପୂର୍ଣ୍ଣ ସ୍ୱଚ୍ଛତା ଅବଲମ୍ବପ କରାଯାଉଛି ବୋଲି ମନ୍ତ୍ରୀ ଡ. ସାହୁ କହିଥିଲେ। କାର୍ଯ୍ୟକ୍ରମରେ ଉଚ୍ଚଶିକ୍ଷାର ବିଭାଗ ଶାସନ ସଚିବ ଶାଶ୍ୱତ ମିଶ୍ର ଯୋଗଦେଇ ନବନିଯୁକ୍ତ ଅଧ୍ୟାପକ ଅଧ୍ୟାପିକାମାନଙ୍କୁ ନିଜ ଭିତରେ ଥିବା ଶକ୍ତି ଓ ସାମର୍ଥ୍ୟକୁ ଚିହ୍ନି ତା’ର ଉପଯୋଗ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ଆଜିର ଏହି କାର୍ଯ୍ୟକ୍ରମରେ ଉଚ୍ଚଶିକ୍ଷା ବିଭାଗର ଯୁଗ୍ମ ସଚିବ ସୁରେନ୍ଦ୍ର କୁମାର ପଣ୍ଡା ପରିଚାଳନା କରିଥିଲେ।

ଏହି ନିଯୁକ୍ତି କାର୍ଯ୍ୟକ୍ରମରେ ଯୋଗଦେଇଥିବା ୧୬ ଜଣ ଯୋଗ୍ୟ ବିବେଚିତ ହୋଇଥିବା ଅଧ୍ୟାପକ ଅଧ୍ୟାପିକାମାନଙ୍କୁ ଅନୁଦାନ ପ୍ରାପ୍ତ ବେସରକାରୀ ମହାବିଦ୍ୟାଳୟରେ ନିଯୁକ୍ତି ଦିଆଯିବ। ଏମାନଙ୍କ ମଧ୍ୟରେ ୧୪ ଜଣ ଦିବ୍ୟାଙ୍ଗ ଅଧ୍ୟାପକ ଅଧ୍ୟାପିକା ଥିବାବେଳେ ଜଣେ ଖେଳାଳୀ, ଜଣେ ଅବସର ପ୍ରାପ୍ତ ଆର୍ମି ଅଧିକାରୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି। ଏମାନଙ୍କ ମଧ୍ୟରୁ ବୋଟାନିରେ ୨ ଜଣ, ବାଣିଜ୍ୟରେ ଜଣେ, ରସାୟନରେ ଜଣେ, ଇଂରାଜୀରେ ୪ ଜଣ, ଲଜିକ୍‌ ଓ ଫିଲୋସଫିରେ ୨ ଜଣ, ପଦାର୍ଥ ବିଜ୍ଞାନରେ ଜଣେ, ରାଜନୀତି ବିଜ୍ଞାନରେ ୩ ଜଣ, ଗଣିତରେ ଜଣେ, ଜୁଲୋଜିରେ ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଥିଲା।

ସୂଚନାଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଉଚ୍ଚଶିକ୍ଷା ବିଭାଗ ରାଜ୍ୟର ଅନୁଦାନ ପ୍ରାପ୍ତ ବେସରକାରୀ ମହାବିଦ୍ୟାଳୟଗୁଡ଼ିକରେ ଖାଲିଥିବା ଅଧ୍ୟାପକ ପଦବୀ ପୂରଣ ଲାଗି ପଦକ୍ଷେପ ନିଆଯାଇଛି। ଏଥି ନିମନ୍ତେ ଉଚ୍ଚଶିକ୍ଷା ବିଭାଗ ଦ୍ୱାରା ରାଜ୍ୟ ସିଲେକ୍‌ସନ୍‌ ବୋର୍ଡକୁ ୮୩୩ଟି ଅଧ୍ୟାପକ ପଦବୀ ନିମନ୍ତେ ପଦକ୍ଷେପ ନେବା ପାଇଁ ଅନୁରୋଧ କରାଯାଇଥିଲା। ଏ ପର୍ଯ୍ୟନ୍ତ ବିଭିନ୍ନ ପର୍ଯ୍ୟାୟକ୍ରମେ ୨୯୯, ୨୮୯ ପଦବୀ ପୂରଣ ହୋଇଥିଲା ଏବଂ ଏହି କାାର୍ଯ୍ୟକ୍ରମ ଆଗକୁ ଜାରି ରହିବ।

Comments are closed.