Odisha Link
Bridging the Missing Links in Odisha

ଶସ୍ତା ହେବ କେବୁଲ ସେବା

ନୂଆଦିଲ୍ଲୀ: ଏବେ ଟିଭି ଦେଖିବା ହେବ ଶସ୍ତା। ଗ୍ରାହକମାନେ କମ୍ ଟଙ୍କାରେ ଅଧିକ ଚ୍ୟାନେଲ୍‌ ଦେଖି ପାରିବେ। ଭାରତୀୟ ଟେଲିକମ୍ ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ପକ୍ଷରୁ ଟିଭି ଶୁଳ୍କ ନିୟମରେ ସଂଶୋଧନ କରାଯାଇଛି। ନୂଆ ନିୟମ ଅନୁସାରେ, ଯେକୌଣସି ପ୍ୟାକ୍ ବା ବୁକେରେ ରହୁଥିବା କୌଣସି ଚ୍ୟାନେଲ୍‌ର ଦାମ୍‌ ଏକ ନିର୍ଦ୍ଧିଷ୍ଟ ପରିମାଣ ଠାରୁ ଅଧିକ ହୋଇପାରିବ ନାହିଁ। ବର୍ତ୍ତମାନ ଯେଉଁ ଚ୍ୟାନେଲ୍‌ର ସର୍ବାଧିକ ମୂଲ୍ୟ ୧୯ ଟଙ୍କା ରହିଛି ତାହାର ମୂଲ୍ୟ ପାଖାପାଖି ୧୨ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ବର୍ତ୍ତମାନ ନିୟମ ଅନୁସାରେ ୧୩୦ ଟଙ୍କା ଉପରେ ଜିଏସ୍‌ଟି ଲାଗୁ କରି ୧୦୦ଟି ଚ୍ୟାନେଲ୍‌କୁ ଏନ୍‌ସିଏଫ୍‌ ଅଧୀନରେ ପ୍ରଦାନ କରାଯାଉଛି। ଟ୍ରାଇର ନୂଆ ନିୟମ ଅନୁସାରେ ସେହି ୧୩୦ ଟଙ୍କାରେ ଜିଏସ୍‌ଟିକୁ ସାମିଲ କରିବା ପରେ ଯେଉଁ ମୂଲ୍ୟ ହେବ ସେଥିରେ ୨୦୦ ଚ୍ୟାନେଲ୍‌ ଉପଲବ୍ଧ ହେବ। ଯଦି କୌଣସି ସଂସ୍ଥା ଏନ୍‌ସିଏଫ୍‌ ଅଧୀନରେ ୨୦୦ରୁ‌ ଯେତେ ଅଧିକ ଚ୍ୟାନେଲ୍‌ ଦିଅନ୍ତୁ ନା କାହିଁକି ଗ୍ରାହକଙ୍କ ଠାରୁ ସର୍ବାଧିକ ୧୬୦ ଟଙ୍କା ସହ ଜିଏସ୍‌ଟି ଆଦାୟ କରିପାରିବେ। ଏହା ଠାରୁ ଅଧିକ ଟଙ୍କା ନେଇପାରିବେ ନାହିଁ। ଏହି ନୂଆ ନିୟମ ମାର୍ଚ୍ଚ ମାସ ଠାରୁ ଆରମ୍ଭ ହେବ।

ଚ୍ୟାନେଲ୍‌ଗୁଡ଼ିକୁ ନେଇ କେବୁଲ୍ ଅପରେଟର କିମ୍ବା ଡିଟିଏଚ୍‌ ସେବା ପ୍ରଦାନକାରୀ ସଂସ୍ଥାଗୁଡ଼ିକ ପ୍ରସ୍ତୁତ କରୁଥିବା ପ୍ୟାକ୍ କିମ୍ବା ବୁକେ ଲାଗି ଟ୍ରାଇ ଦୁଇଟି ସର୍ତ୍ତ ରଖିଛି। ପ୍ରଥମ ସର୍ତ୍ତ ହେଉଛି ଏକ ପ୍ୟାକ୍ ଭିତରେ ଥିବା ଆ-ଲା-କାର୍ଟ ଚ୍ୟାନେଲ୍‌ଗୁଡ଼ିକର ଏମ୍‌ଆର୍‌ପିକୁ ଯଦି ଯୋଗ କରାଯିବ ତାହା ସମ୍ପୂର୍ଣ୍ଣ ପ୍ୟାକ୍‌ ମୂଲ୍ୟର ଦେଢ଼ ଗୁଣାରୁ ଅଧିକ ହୋଇପାରିବ ନାହିଁ। ଫଳରେ କଂପାନିଗୁଡ଼ିକ ପ୍ୟାକ୍‌ ପ୍ରସ୍ତୁତ କରିବା ବେଳେ ଆ-ଲା-କାର୍ଟ ଚ୍ୟାନେଲ୍‌ଗୁଡ଼ିକର ଦାମ୍ କମାଇବେ। ଉଦାହରଣ ସ୍ବରୂପ, ଯଦି କୌଣସି ଏକ ସଂସ୍ଥା ୧୦ଟି ଚ୍ୟାନେଲ୍‌କୁ ନେଇ ଏକ ପ୍ୟାକ୍ ପ୍ରସ୍ତୁତ କରି ମାସିକ ୧୦୦ ଟଙ୍କାରେ ତାହାକୁ ପ୍ରଦାନ କରୁଥାଏ ତେବେ ସେହି ପ୍ୟାକ୍ ଭିତରେ ଥିବା ସବୁ ଚ୍ୟାନେଲ୍‌ର ଦାମ୍‌କୁ ମିଶାଇ ଦେଲେ ୧୫୦ ଟଙ୍କାରୁ ଅଧିକ ହୋଇପାରିବ ନାହିଁ। ତେଣୁ, ନୂଆ ହିସାବ ଅନୁସାରେ କଂପାନିଗୁଡ଼ିକ ଚ୍ୟାନେଲ୍ ଓ ପ୍ୟାକ୍ ଉଭୟର ଦାମ୍ କମ୍ କରିବାକୁ ପଡ଼ିବ।

ଦ୍ବିତୀୟ ସର୍ତ୍ତଟି ହେଉଛି ଏକ ପ୍ୟାକ୍‌ ଭିତରେ ଥିବା କୌଣସି ଚ୍ୟାନେଲ୍‌ର ମୂଲ୍ୟ ଉକ୍ତ ପ୍ୟାକ୍‌ର ହାରାହାରି ଚ୍ୟାନେଲ୍‌ ଦାମ୍‌ର ତିନି ଗୁଣାରୁ ଅଧିକ ହୋଇପାରିବ ନାହିଁ। ଉଦାହରଣ ସ୍ବରୂପ, ଯଦି ଗୋଟିଏ ପ୍ୟାକ୍‌ରେ ଥିବା ଚ୍ୟାନେଲ୍‌ଗୁଡ଼ିକର ହାରାହାରି ମୂଲ୍ୟ ୩ ଟଙ୍କା ତେବେ ସେଥିରେ ଥିବା କୌଣସି ଗୋଟିଏ ଚ୍ୟାନେଲ୍‌ର ଦାମ୍ ୯ ଟଙ୍କାରୁ ଅଧିକ ହୋଇପାରିବ ନାହିଁ। ଟ୍ରାଇ ଏହା ମଧ୍ୟ ସ୍ପଷ୍ଟ କରିଦେଇଛି ଯେ ଯଦି କୌଣସି ପ୍ରସାରଣକାରୀ ପାଖରେ ମୋଟ୍ ୧୨ଟି ଚ୍ୟାନେଲ୍ ରହିଛି ତେବେ ତାହା ପ୍ୟାକ୍ ପ୍ରସ୍ତୁତ କରିବା ବେଳେ ସେହି ୧୨ରୁ ଅଧିକ ଚ୍ୟାନେଲ୍‌କୁ ବ୍ୟବହାର କରିପାରିବ ନାହିଁ। ନେଟ୍‌ୱର୍କ କାପାସିଟି ଫି’ (ଏନ୍‌ସିଏଫ୍‌)ରେ ମଧ୍ୟ ଦୁଇଟି ସ୍ଲାବ୍ ଧାର୍ଯ୍ୟ କରାଯାଇଛି। ଏଥିସହ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଯେଉଁ ଚ୍ୟାନେଲ୍‌ଗୁଡ଼ିକୁ ବାଧ୍ୟତାମୂଳକ ଘୋଷଣା କରିଛି ତାହାକୁ କୌଣସି ସଂସ୍ଥା ଏନ୍‌ସିଏଫ୍‌ରେ ଦିଆଯିବାକୁ ଥିବା ୨୦୦ ଚ୍ୟାନେଲ୍‌ ଭିତରେ ଯୋଡ଼ିପାରିବେ ନାହିଁ।

Comments are closed.