Odisha Link
Bridging the Missing Links in Odisha

ଜେଏନୟୁ ହିଂସା: ମାମଲା ରୁଜୁ କଲା ପୁଲିସ୍, ଉପ ରାଜ୍ୟପାଳଙ୍କ ସହ କଥା ହେଲେ ଶାହ

ନୂଆଦିଲ୍ଲୀ: ଗତକାଲି ସନ୍ଧ୍ୟାରେ ଜେଏନୟୁରେ ହୋଇଥିବା ହିଂସାକୁ ନେଇ ସାରା ଦେଶରେ ହଇଚଇ ସୃଷ୍ଟି ହୋଇଛି। ଅନ୍ୟପଟେ ମୁଖା ପିନ୍ଧା ଦୁର୍ବୃତ୍ତଙ୍କ ଆତଙ୍କରାଜ ଘଟଣାକୁ ନେଇ ଏବେ ଚର୍ଚ୍ଚା। ମୁଖା ପିନ୍ଧିଥିବା ଦୁର୍ବୃତ୍ତମାନେ କ୍ୟାମ୍ପସରେ ଆତଙ୍କରାଜ କରିବା ପରେ ସେଠାରୁ ଫେରାର ହୋଇଯାଇଛନ୍ତି। ଦୁର୍ବୃତ୍ତମାନଙ୍କୁ ପୁଲିସ୍‌ ଚିହ୍ନଟ କରିଥିଲେ ହେଁ ଏଯାଏ ଗିରଫ କରିପାରି ନାହିଁ।

ଅପରପକ୍ଷେ ପୁଲିସ୍‌ ଦୁର୍ବୃତ୍ତଙ୍କୁ ଚିହ୍ନଟ କରିବା ପରେ ନିଜ ଆଡ଼ୁ ମାମଲା ରୁଜୁ କରିଛି। ସୂଚନାଥାଉକି, ଆଜି ସକାଳୁ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଦିଲ୍ଲୀ ଉପରାଜ୍ୟପାଳ ଅନୀଲ ବୈଜଲଙ୍କ ସହ କଥା ହୋଇଛନ୍ତି। ସେ ଶ୍ରୀ ବୈଜଲଙ୍କୁ ଜେଏନୟୁର ପ୍ରତିନିଧିଙ୍କ ସହ ବୈଠକ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି।

ଦିଲ୍ଲୀ ପୁଲିସ୍‌ ପକ୍ଷରୁ କୁହାଯାଇଛି ଯେ “ଜେଏନ୍‌ୟୁରେ ଗତକାଲି ଘଟିଥିବା ହିଂସା ଘଟଣାରେ ଆମେ ଏକାଧିକ ଅଭିଯୋଗ ପାଇଛୁ। ଆମେ ମୁଖା ପିନ୍ଧା ଦୁର୍ବୃତ୍ତଙ୍କ ମଧ୍ୟରୁ କିଛି ଜଣଙ୍କୁ ଚିହ୍ନଟ କରିଛୁ। ଖୁବଶୀଘ୍ର ସେମାନଙ୍କୁ ଗିରଫ କରିବୁ। ଛାତ୍ରଛାତ୍ରୀମାନେ ଭୟଭୀତ ହୁଅନ୍ତୁ ନାହିଁ ଏବଂ ଶାନ୍ତି ଶୃଙ୍ଖଳା ବଜାୟ ରଖନ୍ତୁ।”

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ୫୦ରୁ ଅଧିକ ମୁଖାପିନ୍ଧା ଦୁର୍ବୃତ୍ତ ସନ୍ଧ୍ୟା ପ୍ରାୟ ୬.୩୦ରେ କ୍ୟାମ୍ପସରେ ପ୍ରବେଶ କରିଥିଲେ। ଏହାପରେ ସେମାନେ କ୍ୟାମ୍ପସରେ ଥିବା ହଷ୍ଟେଲକୁ ଯାଇ ଛାତ୍ରଛାତ୍ରୀଙ୍କୁ ଆକ୍ରମଣ କରିଥିଲେ। ପୁଲିସ୍‌ କ୍ୟାମ୍ପସ ବାହାରେ ଥିଲେ ମଧ୍ୟ ଏହାକୁ ରୋକିବା ପାଇଁ ଚେଷ୍ଟା କରି ନଥିଲା।

Comments are closed.