ଜାନୁଆରୀ ୨୨ରେ ଫାଶୀରେ ଝୁଲିବେ ୪ ନିର୍ଭୟା ବଳତ୍କାରୀ

ନୂଆଦିଲ୍ଲୀ: ଫାଶୀରେ ଝୁଲିବେ ନିର୍ଭୟା ବଳତ୍କାରୀ । ଜାନୁଆରୀ ୨୨ ସକାଳ ୭ଟାରେ ନିର୍ଭୟା ଦୋଷୀଙ୍କୁ ଫାଶି ଦିଆଯିବ । କୋର୍ଟ ୪ ଦୋଷୀଙ୍କ ନାଁରେ ଡେଥ୍ ୱାରେଣ୍ଟ ଜାରି କଲା । ପଟିୟାଲା ହାଉସ୍ କୋର୍ଟ ଏହି ୱାରେଣ୍ଟି ଜାରି କରିଥିଲେ । ୪ଜଣ ଦୁଷ୍କର୍ମକାରୀଙ୍କୁ ଫାଶୀ ଦିଆଯିବା ପାଇଁ ତିିହାର ଜେଲରେ ସମସ୍ତ ପ୍ରସ୍ତୁତି ଶେଷ ହୋଇସାରିଛି। ଗଣଦୁଷ୍କର୍ମ ମାମଲାରେ ଫାଶୀ ଦଣ୍ଡାଦେଶ ହୋଇଥିବା ୪ଜଣ ଦୁଷ୍କର୍ମକାରୀଙ୍କ ମଧ୍ୟରୁ ପବନ କୁମାରର ପିତା ଏହି ଫାଶୀ ଦଣ୍ଡାଦେଶକୁ ଅଟକାଇବା ପାଇଁ କୋର୍ଟରେ ଆବେଦନ କରିଥିଲେ। ଗତ ସୋମବାର କୋର୍ଟ ଏହାକୁ ଖାରଜ କରି ଦେଇଛନ୍ତି।
୨୦୧୨ ମସିହା ଡିସେମ୍ବର ୧୬ ତାରିଖରେ ପାରାମେଡ଼ିକାଲ ଛାତ୍ରୀ ନିର୍ଭୟାଙ୍କୁ ଏକ ଚଳନ୍ତା ବସରେ ଗଣ-ଦୁଷ୍କର୍ମ କରାଯିବା ସହ ଅମାନୁଷିକ ନିର୍ଯାତନା ଦିଆଯାଇଥିଲା । ୬ ଜଣ ବ୍ୟକ୍ତି ଏହି କାଣ୍ଡ ଘଟାଇବା ପରେ ତାଙ୍କୁ ମୁମୁର୍ଷୁ ଅବସ୍ଥାରେ ଚଳନ୍ତା ବସରୁ ଫିଙ୍ଗି ଦେଇଥିଲେ। ଡିସେମ୍ବର ୨୯ରେ ନିର୍ଭୟା ସିଙ୍ଗାପୁରର ମାଉଣ୍ଟ ଏଲିଜାବେଥ ହସପିଟାଲରେ ମୃତ୍ୟୁବରଣ କରିଥିଲେ। ଏହି ଘଟଣାରେ ଗିରଫ ହୋଇଥିବା ୬ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ରାମ ସିଂ ତିହାର ଜେଲରେ ଆତ୍ମହତ୍ୟା କରିଥିଲା ।
ଆଉ ଜଣେ ଅଭିଯୁକ୍ତ ନାବାଳକ ହୋଇଥିବାରୁ ତାକୁ ଏକ ବାଳ ସୁଧାର ଗୃହକୁ ପଠାଇ ଦିଆଯାଇଥିଲା। ୨୦୧୩, ସେପ୍ଟେଟର ୧୩ରେ ଦିଲ୍ଲୀର ଏକ ଫାଷ୍ଟଟ୍ରାକ୍ କୋର୍ଟ ଏହି ୪ ଅଭିଯୁକ୍ତ ପବନ ଗୁପ୍ତା, ଅକ୍ଷୟ ସିଂହ, ମୁକେଶ ଓ ବିନୟ ଶର୍ମାଙ୍କୁ ଦୋଷୀ ଘୋଷଣା କରିବା ସହ ମୃତ୍ୟୁଦଣ୍ଡ ଦେଇଥିଲେ।