Odisha Link
Bridging the Missing Links in Odisha

ଭିତରକନିକାରେ ବିଦେଶାଗତ ପକ୍ଷୀ ସଂଖ୍ୟା ବୃଦ୍ଧି

ରାଜନଗର: ଭିତରକନିକା ଜାତୀୟ ଉଦ୍ୟାନରେ ଚଳିତବର୍ଷ ବିଦେଶାଗତ ପକ୍ଷୀଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଗତ ୬ ତାରିଖ ଦିନ ବନ ବିଭାଗ ପକ୍ଷରୁ ହୋଇଥିବା ଗଣନାରୁ ଏହା ଜଣାପଡିଛି। ଗତବର୍ଷ ଭିତରକନିକାରେ ୧ ଲକ୍ଷ ୯ ହଜାର ୦୫୯ ପକ୍ଷୀଙ୍କ ଆମନ ହୋଇଥିବା ବେଳେ ଚଳିତବର୍ଷ ୧ ଲକ୍ଷ ୧୮ ହଜାର ୩୨୬ ପକ୍ଷୀଙ୍କ ଆଗମନ ହୋଇଛି। ଗତବର୍ଷ ଭିତରକନିକାକୁ ୭୪ ପ୍ରଜାତିର ପକ୍ଷୀ ଆସିଥିବା ବେଳେ ଚଳିତବର୍ଷ ୧୧୫ ପ୍ରଜାତିର ପକ୍ଷୀ ଆସିଛନ୍ତି। ଚଳିତବର୍ଷ ଭିତରକନିକାରେ କମନପୋଚାର୍ଡ ପକ୍ଷୀ ଦେଖିବାକୁ ମିଳିଛି। ଗତ ୫ ବର୍ଷ ଧରି ଏହି ପକ୍ଷୀଙ୍କୁ ଦେଖିବାକୁ ମିଳୁ ନଥିଲା। ଚଳିତବର୍ଷ ଏହି ଜାତୀୟ ୧୧ଟି ପକ୍ଷୀଙ୍କୁ ଗଣନା ବେଳେ ଚିହ୍ନଟ କରାଯାଇଛି। ଗତବର୍ଷ ଠାରୁ ଚଳିତବର୍ଷ ଭିତରକନିକାକୁ ୯୨୬୭ ଅଧିକ ପକ୍ଷୀ ଆସିଥିବା ଜଣାପଡିଛି।

୧୬ଟି ଟିମ୍‌ ଭିତରକନିକା ଅଭୟାରଣ୍ୟ ଓ ମହାନଦୀ ଡେଲଟା ଅଂଚଳରେ ବିଦେଶାଗତ ପକ୍ଷୀଙ୍କ ଗଣନା କରିଥିଳା। ଭିତରକନିକା ଅଭୟାରଣ୍ୟ ଅଂଚଳରେ ୯ଟି ଟିମ ଓ ମହାନଦୀ ଡେଲ୍‌ଟା ଅଂଚଳରେ ୭ଟି ଟିମ ପକ୍ଷୀଗଣନା କରିଥିଲେ। ଚଳିତବର୍ଷ ଗ୍ରେବ୍ସ ଜାତୀୟ ପକ୍ଷୀ ଦୁଇ ପ୍ରକାରର ୧୫ଟି, ୪ ପ୍ରକାରର କର୍ମୋରାଂଟସ ଓ ଡାର୍ଟର ଜାତୀୟ ପକ୍ଷୀ ୨୩୮୪ଟି, ୧୦ ପ୍ରକାରର ହେରୋନ, ଇଗ୍ରେଟ୍ସ ଓ ବିଟନର୍ସ ଜାତୀୟ ପକ୍ଷୀ ୮୦୬୪ଟି, ୩ ପ୍ରକାର ଷ୍ଟ୍ରେ୍ରାର୍କସ ଜାତୀୟ ପକ୍ଷୀ ୫୦୯୨ଟି, ୨ ପ୍ରକାରର ଇବିଲ୍ସ ଓ ସ୍ପୁନବିଲ ଜାତୀୟ ପକ୍ଷୀ ୭୯୨ଟି, ୧୪ ପ୍ରକାରର ଗିଜ ଓ ଡକ ଜାତୀୟ ପକ୍ଷୀ ୭୮,୩୧୨ଟି, ରେଲସ, ଗ୍ୟାଲିନର୍ସ ଓ କୁଟ ଜାତୀୟ ପକ୍ଷୀ ୪ ପ୍ରକାରର ୪,୬୮୩ଟି, ୨ପ୍ରକାରର ଫିନପୁଟସ ଓ ଜାକାନାସ ଜାତୀୟ ପକ୍ଷୀ ୩୪୯ଟି, ୨୮ ପ୍ରକାରର ସୋରବାର୍ଡସ ଓ ୱାର୍ଡସ ଜାତୀୟ ପକ୍ଷୀ ୯୮୩୭ଟି, ୫ ପ୍ରକାରର ଗୁଲସ, ଟେନର୍ସ, ସ୍କିମର ଜାତୀୟ ପକ୍ଷୀ ୭,୭୯୯ଟି ଓ ୩୧ ପ୍ରକାରର ୱାଟର୍ସ ଜାତୀୟ ପକ୍ଷୀ ୯୯୪ଟି ଆସିଛନ୍ତି। ଏହି ସବୁ ପକ୍ଷୀ ସୁଦୂର ମାଲେସିଆ, ଶ୍ରୀଲଙ୍କା, ପାକିସ୍ତାନ, ଜାପାନ ଆଫଗାନିସ୍ତାନ ଆଦି ଦେଶରୁ ଆସିଛନ୍ତି।

Comments are closed.