ମହାନଦୀରେ ବୁଡ଼ିଗଲା ଡଙ୍ଗା, ଜଣେ ନିଖୋଜ

ଆଠଗଡ଼: ଆଠଗଡ଼ ବଡ଼ମ୍ବା ବ୍ଲକ୍ ଭଟ୍ଟାରିକା ମନ୍ଦିର ନିକଟ ମହାନଦୀରେ ଡଙ୍ଗା ବୁଡି ଜଣେ ବ୍ୟକ୍ତି ନିଖୋଜ ହୋଇ ଯାଇଛନ୍ତି। ନିଖୋଜ ବ୍ୟକ୍ତି ବ୍ରହ୍ମପୁର ଅଞ୍ଚଳର ସୁନୀଲ କୁମାର ସାହୁ ବୋଲି ଜଣାପଡିଛି। ନିଖୋଜ ବ୍ୟକ୍ତି ଜଣଙ୍କ ଜଗତସିଂହପୁର ଜିଲ୍ଲାରେ ଏକ ଘରୋଇ ବିଦ୍ୟୁତ୍ କମ୍ପାନୀର ଅଧିକାରୀ। ଖବର ପାଇ ବଡ଼ମ୍ବା ଅଗ୍ନିଶମ ବିଭାଗ କର୍ମଚାରୀମାନେ ବହୁ ଖୋଜାଖୋଜି କରିବା ପରେ ବି ସୁନୀଲଙ୍କ କୌଣସି ଖବର ମିଳିପାରିନାହିଁ। ଗତକାଲି ସୁନୀଲ ତାଙ୍କ ସାଙ୍ଗସାଥୀମାନଙ୍କ ସହ ଭଟ୍ଟାରିକା ପୀଠରେ ବଣଭୋଜି କରିବା ପାଇଁ ଆସି ମହାନଦୀରେ ନିଖୋଜ ଅଛନ୍ତି।
ମିଳିଥିବା ସୂଚନା ଅନୁସାରେ ଜଗତସିଂହପୁର ଜିଲ୍ଲା ଏନଜେନ ଗ୍ଲୋବାଲ ସଲ୍ୟୁସେନ ପ୍ରାଇଭେଟ୍ ଲିମିଟେଡ୍ କମ୍ପାନୀର ୩୫ରୁ ଅଧିକ କର୍ମଚାରୀ କଟକ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ଭଟ୍ଟାରିକାଙ୍କ ପୀଠକୁ ଭୋଜି କରିବାକୁ ଆସିଥିଲେ। ସମସ୍ତ କର୍ମଚାରୀ ମଜାମସ୍ତି କରୁଥିବା ସମୟରେ କମ୍ପାନୀର ଡେପୁଟି ପ୍ରୋଜେକ୍ଟ ମ୍ୟାନେଜର ସୁନୀଲ କୁମାର ସାହୁ ଏବଂ ଅନ୍ୟ ଦୁଇଜଣ ନବ କିଶୋର ମହାନ୍ତି ଓ ଅନଜନ କୁମାର ନାୟକ ଏକ ହୁଲି ଡଙ୍ଗାରେ ନଦୀ ଭିତରକୁ ବୁଲିବାକୁ ଯାଇଥିଲେ। ଡଙ୍ଗାର ନାଉରିଆ ନଥିବାରୁ କୂଳରେ ଥିବା ହୁଲି ଡଙ୍ଗା ଖୋଲି ନିଜେ ନିଜେ ମହାନଦୀ ମଧ୍ୟକୁ ଯାଇଥିଲେ।
ମହାନଦୀରେ କିଛିବାଟ ହୁଲି ଡଙ୍ଗାରେ ଯିବାପରେ ସୁନୀଲ ସାହୁ ସେଲଫି ନେବା ସମୟରେ ହୁଲି ଡଙ୍ଗା ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଫଳରେ ଡଙ୍ଗାଟି ବୁଡିଯିବାରୁ ନବକିଶୋର ମହାନ୍ତି ଓ ଅନଜନ କୁମାର ନାୟକ ପହଁରି ପହଁରି କୂଳକୁ ଚାଲି ଆସିଥିଲ। ହେଲେ ସୁନୀଲ କୁମାର ସାହୁ ନିଖୋଜ ହୋଇଯାଇଥିଲେ। ଏପର୍ଯ୍ୟନ୍ତ ତାଙ୍କର କୌଣସି ସନ୍ଧାନ ମିଳିନଥିବା ଜଣାପଡିଛି।