ନିର୍ଭୟା ମାମଲା: ତିହାର ଜେଲରେ ପରୀକ୍ଷାମୂଳକ ଫାଶୀ

ନୂଆଦିଲ୍ଲୀ: ଆସନ୍ତା ୨୨ ତାରିଖରେ ନିର୍ଭୟା ମାମଲାର ଅଭିଯୁକ୍ତଙ୍କୁ ଫାଶୀ ଦିଆଯିବ। ୪ ଦୋଷୀଙ୍କୁ ଫାଶୀ ଦେବା ଲାଗି ତିହାର ଜେଲ୍ କର୍ତ୍ତୃପକ୍ଷ ସମସ୍ତ ପ୍ରକାର ପ୍ରସ୍ତୁତି ଚଳାଇଛନ୍ତି। ଫାଶୀ ପାଇଁ ଦଉଡି, ଫାଶ ଇତ୍ୟାଦିର ମାପ ପ୍ରସ୍ତୁତ ହୋଇସାରିଥିବାବେଳେ ପରୀକ୍ଷାମୂଳକ ଫାଶୀ ଦିଆଯାଇଛି। ଦୋଷୀଙ୍କ ଓଜନ ଆଧାରରେ ସେମାନଙ୍କ ନକଲ (ଡମି) ପ୍ରସ୍ତୁତ ପୂର୍ବକ ପରୀକ୍ଷାମୂଳକ ଫାଶୀ ଦିଆଯାଇଛି।
ବଡ ଅଖାରେ କାଦୁଆ ମାଟି ଭର୍ତ୍ତି କରି ପ୍ରତ୍ୟେକ ଦୋଷୀଙ୍କର ଡମି ତିଆରି କରାଯାଇ ଫାଶୀ ଦିଆଯାଇଛି। ଜେଲ୍ କର୍ମଚାରୀମାନେ ଏହି ଅଭ୍ୟାସରେ ସାମିଲ ହୋଇଥିଲେ। ଉତ୍ତରପ୍ରଦେଶର ମିରଟ ଜେଲ୍ରୁ ଘାତକ ପବନ ଜହ୍ଲାଦଙ୍କୁ ଏଥିପାଇଁ ଡକାଯାଇଥିଲେ ମଧ୍ୟ ଏହି ଅଭ୍ୟାସବେଳେ ସେ ଉପସ୍ଥିତ ନ ଥିଲେ। ଆଗକୁ ପୁନର୍ବାର ଏଭଳି ରିହର୍ସଲ ହେବ ଓ ଏଥିରେ ପବନ ଜହ୍ଲାଦ ଅଂଶଗ୍ରହଣ କରିବେ ବୋଲି ସୂଚନା ମିଳିଛି।