Odisha Link
Bridging the Missing Links in Odisha

ସାଧ୍ୱୀ ପ୍ରଜ୍ଞାଙ୍କୁ ମିଳିଲା ଅଜଣା ଚିଠି

ଭୋପାଳ: ଭୋପାଳର ଭାରତୀୟ ଜନତା ପାର୍ଟି ସାଂସଦ ସାଧ୍ୱୀ ପ୍ରଜ୍ଞା ସିଂହ ଠାକୁରଙ୍କୁ ମିଳିଛି ଏକ ସନ୍ଦିଗ୍ଧଙ୍କ ଚିଠି। ଏହି ଚିଠିଟି ଉର୍ଦ୍ଦୁ ଭାଷାରେ ଲେଖା ହୋଇଛି। ଏହି ଚିଠିରେ ପାଉଡର୍ ମଧ୍ୟ ମିଳିଛି। ଫରେନ୍ସିକ୍ ଟିମ୍ ସାଧ୍ୱୀ ପ୍ରଜ୍ଞାଙ୍କ ବାସଭବନରେ ଉପସ୍ଥିତ ରହି ଏହି ଘଟଣାର ତଦନ୍ତ କରୁଛି। ଉର୍ଦ୍ଦୁରେ ଲିଖିତ ପାଉଡର୍ ଲଗା ଏହି ଚିଠିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା, ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ୍ ଏବଂ ପ୍ରଜ୍ଞା ସିଂହ ଠାକୁରଙ୍କ ଫଟୋ ଉପରେ ଛକି ଚିହ୍ନ ରହିଛି। ସାଧ୍ୱୀ ପ୍ରଜ୍ଞାଙ୍କ ଜଣେ ଷ୍ଟାଫ୍ ଏହି ପତ୍ରକୁ ଦେଖିବା କ୍ଷଣି ଏନେଇ ପୁଲିସକୁ ସୂଚନା ଦେଇଥିଲେ। ପରେ ସାଂସଦଙ୍କ ଘରେ ପୁଲିସ୍ ଅଧିକାରୀ ପହଞ୍ଚିଥି ଚିଠିକୁ ତନଖି କରିବା ପାଇଁ ଏଫଏସଏଲ୍ ଟିମକୁ ହସ୍ତାନ୍ତର କରିଛନ୍ତି।

ଏହି ଅଜଣା ଚିଠି ମିଳିବା ପରେ ସାଂସଦ ସାଧ୍ୱୀ ପ୍ରଜ୍ଞା ସିଂହ ଠାକୁର କହିଛନ୍ତି ଯେ ଏହା କୌଣସି ଆତଙ୍କବାଦୀଙ୍କ କାର୍ଯ୍ୟକଳାପ ହୋଇପାରେ କିନ୍ତୁ ସେ ଏଥିରେ ଭୟଭୀତ ନୁହନ୍ତି। ଏହି ପତ୍ର ଉର୍ଦ୍ଦୁରେ ଲେଖାଯାଇଥିବା ବେଳେ ଏହା ସହ ଆଉ କିଛି ପତ୍ର ମଧ୍ୟ ସଂଲଗ୍ନ ହୋଇ ରହିଛି। ତାଙ୍କୁ ପୂର୍ବରୁ ମଧ୍ୟ ଏଭଳି ଚିଠି ମିଳିଛି ଏବଂ ପୁଲିସ୍ ମଧ୍ୟ ଏହି ଚିଠି ବିଷୟରେ ଅବଗତ ଅଛି। ଏନେଇ କେବେ କିଛି ତଦନ୍ତ ହୋଇ ନ ଥିବାର ସେ ଅଭିଯୋଗ କରିଛନ୍ତି। ଏହା ଦେଶର ଶତ୍ରୁଙ୍କ ଏକ ବହୁତ ବଡ଼ ଷଡ଼ଯନ୍ତ୍ର ବୋଲି ସାଂସଦ ସାଧ୍ୱୀ ପ୍ରଜ୍ଞା ସିଂହ ଠାକୁର କହିଛନ୍ତି। ସିଏସପି ଭୂପେନ୍ଦ୍ର ସିଂହଙ୍କ କହିବା ଅନୁଯାୟୀ , ଆଇପିସିର ଧାରା ୩୨୬ ଏବଂ ୫୦୭ ଅନୁସାରେ ମାମଲା ରୁଜୁ ହୋଇଛି।

Comments are closed.