ମୁମ୍ବଇ-ଭୁବନେଶ୍ବର ଏଲଟିଟି ଏକ୍ସପ୍ରେସ ଲାଇନଚ୍ୟୁତ ; ୫ ଗୁରୁତର

କଟକ: କଟକ ଟାଙ୍ଗୀ ଅଞ୍ଚଳର ନିର୍ଗୁଣ୍ଡି ଷ୍ଟେସନ୍ ପୂର୍ବରୁ ମୁମ୍ବାଇରୁ ଭୁବନେଶ୍ୱର ଆସୁଥିବା ଲୋକମାନ୍ୟ ତିଳକ ଏକ୍ସ୍ପ୍ରେସ୍ (ଟ୍ରେନ୍ ନମ୍ବର ୧୨୮୭୯) ଲାଇନ୍ଚ୍ୟୁତ ହୋଇଛି।
ଦୁର୍ଘଟଣାରେ ଟ୍ରେନ୍ର ୮ଟି ବଗି କ୍ଷତିଗ୍ରସ୍ତ ହୋଇଛି। ସେଥିରୁ ୫ଟି ବଗି ଧାରଣାରୁ ବାହାରି ଯାଇଛି ଏବଂ ଅନ୍ୟ ୩ଟି ବଗି ଧାରଣାରୁ ସାମାନ୍ୟ ହଟି ଯାଇଛି। ଅନ୍ୟୂନ ୩୦ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଅଧିକ ଆହତ ୫ ଜଣ ଯାତ୍ରୀଙ୍କୁ ଚିକିତ୍ସା ନିମନ୍ତେ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏଥିରେ କୌଣସି ଯାତ୍ରୀଙ୍କର ମୃତ୍ୟୁ ଘଟି ନ ଥିବା କଥା ବରିଷ୍ଠ ରେଳ ଅଧିକାରୀ, ଟ୍ରେନ୍ ଚାଳକ ଏବଂ ଟିଟିଇ କହିଛନ୍ତି।
ସୂଚନା ଅନୁସାରେ, କପିଳାସ ରୋଡ୍ ପାରି ହେବା ପରେ ଏବଂ ନିର୍ଗୁଣ୍ଡି ଷ୍ଟେସନ୍ର ପ୍ରାୟ ୧ କିଲୋମିଟର ପୂର୍ବରୁ ଥିବା ସର୍ଦଳା ଗାଁ ନିକଟରେ ଦୁର୍ଘଟଣା ଘଟିଛି। ସେହି ଲାଇନ୍ରେ ଠିଆ ହୋଇଥିବା ଗୋଟାଏ ମାଲ୍ଗାଡ଼ିକୁ ଧକ୍କା ଦେବାରୁ ଯାତ୍ରୀବାହୀ ଟ୍ରେନ୍ଟି ଧାରଣାଚ୍ୟୁତ ହୋଇଛି। ଆଜି ସକାଳୁ ସମ୍ପୃକ୍ତ ଅଞ୍ଚଳରେ ଘନ କୁହୁଡ଼ି ଘୋଟିଥିବାରୁ ଦୁର୍ଘଟଣା ଘଟିଥିବା କୁହାଯାଉଛି। ଘଟଣାର ତଦନ୍ତ କରାଯିବ ବୋଲି ରେଳ କର୍ତ୍ତୃପକ୍ଷ କହିଛନ୍ତି।