Odisha Link
Bridging the Missing Links in Odisha

ପ୍ରାର୍ଥୀପତ୍ର ଦାଖଲ କଲେ କେଜ୍ରିଓ୍ୱାଲ, ସତ୍ୟପାଠରେ କଣ ଦର୍ଶାଇଲେ

ନୂଆଦିଲ୍ଲୀ: ଆଜି ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ। ସେ ଆଜି ନୂଆଦିଲ୍ଲୀ ବିଧାନସଭା ଆସନ ପାଇଁ ଜାମନଗର ହାଉସ ପହଞ୍ଚି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ହେଲେ ଏହାକୁ ବିରୋଧ କରି କିଛି ସ୍ୱାଧୀନ ବିଧାୟକ ପ୍ରାର୍ଥୀ ନାରାବାଜି କରିଛନ୍ତି। କାରଣ କେଜ୍ରିଓ୍ୱାଲ ଧାଡ଼ିରେ ନଆସି ସିଧା ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ସ୍ୱାଧୀନ ବିଧାୟକ ପ୍ରାର୍ଥୀମାନେ ଧାଡ଼ିରେ ଛିଡ଼ା ହୋଇଥିଲେ। ହେଲେ ସେମାନଙ୍କୁ ଅପେକ୍ଷା କରିବାକୁ କହି କେଜ୍ରିଓ୍ୱାଲଙ୍କ ପ୍ରାର୍ଥୀପତ୍ର ଦାଖଲ କରାଯାଇଥିଲା। ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ସ୍ୱାଧୀନ ବିଧାୟକ ପ୍ରାର୍ଥୀ।

ହେଲେ ନାମାଙ୍କନର କିଛି ସମୟ ପୂର୍ବରୁ ସେ ଟ୍ୱିଟ୍ କରି କହିଥିଲେ , ମୁଁ ମୋ ନାମାଙ୍କନ ଦାଖଲ କରିବା ପାଇଁ ଅପେକ୍ଷା କରିଛି। ମୋ ନମ୍ବର ୪୫ ରହିଛି। ଏଠାରେ ଅନେକ ପ୍ରାର୍ଥୀ ନାମାଙ୍କନ ଦାଖଲ କରିବା ପାଇଁ ଅପେକ୍ଷା କରିଛନ୍ତି । ମୋତେ ଖୁବ୍ ଖୁସି ଲାଗୁଛି ଯେ ଏତେ ସଂଖ୍ୟକ ଲୋକ ଗଣତାନ୍ତ୍ରୀକ ପ୍ରକ୍ରିୟାରେ ଅଂଶ ଗ୍ରହଣ କରୁଛନ୍ତି।

ମୁଖ୍ୟମନ୍ତ୍ରୀ କେଜ୍ରିଓ୍ୱାଲ ସୋମବାର ପ୍ରାର୍ଥୀପତ୍ର ଦାଖଲ କରିବାର ଥିଲା। ହେଲେ ରୋଡ୍ ଶୋ’ ପାଇଁ ନିର୍ଦ୍ଧାରିତ ସମୟରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀପତ୍ର ଦାଖଲ କରିପାରିନଥିଲେ। ତେଣୁ ଆଜି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଏହି ଅବସରରେ କେଜ୍ରିଓ୍ୱାଲଙ୍କ ପରିବାର ଲୋକେ ଉପସ୍ଥିତ ଥିଲେ।

ପ୍ରାର୍ଥୀପତ୍ର ଦାଖଲ ବେଳେ କେଜ୍ରିଓ୍ୱାଲ ନିର୍ବାଚନୀ ସତ୍ୟପାଠରେ ମୋଟ୍ ୨ କୋଟି ୯ ଲକ୍ଷ ଟଙ୍କାର ସମ୍ପତ୍ତି ଦର୍ଶାଇଛନ୍ତି। ୨ ଲକ୍ଷ ୨୬ ହଜାର ନଗଦ ଟଙ୍କା ସହିତ ତାଙ୍କ ସ୍ତ୍ରୀ ସୁନୀତାଙ୍କ ପାଖରେ ୩୦୦ ଗ୍ରାମର ସୁନା, ୨୪ ଗ୍ରାମ ରୁପା, କୋଶାମ୍ୱିରେ ୫୬ ଲକ୍ଷ ଟଙ୍କାର ଫ୍ଲାଟ୍, ଗୁରୁଗ୍ରାମରେ ସ୍ତ୍ରୀ ସୁନୀତାଙ୍କ ନାମରେ ଗୋଟିଏ ଫ୍ଲାଟ୍, ଉତ୍ତରାଧିକାରୀ ଭାବରେ ୩୭ ଲକ୍ଷ ଟଙ୍କାର ସମ୍ପତ୍ତି, ଉପହାର ସ୍ୱରୂପ ଓ୍ୱାଗନର କାର ତାଙ୍କ ପାଖରେ ରହିଛି ବୋଲି ଦର୍ଶାଇଛନ୍ତି। ବିଧାୟକ ଭାବରେ ତାଙ୍କୁ ମାସିକ ୩୫ ହଜାର ଟଙ୍କା ମିଳୁଥିବା ବେଳେ ସ୍ତ୍ରୀ ସୁନୀତାଙ୍କ ନାମରେ ୪୧ ଲକ୍ଷ ଟଙ୍କାର ଋଣ ରହିଛି ବୋଲି କେଜ୍ରିଓ୍ୱାଲ ସତ୍ୟପାଠରେ ଦର୍ଶାଇଛନ୍ତି।

Comments are closed.