Odisha Link
Bridging the Missing Links in Odisha

ଯୌତୁକ ପାଇଁ ବଧୂ ହତ୍ୟା

ଯାଜପୁର: ଯାଜପୁର ଜିଲ୍ଲା ଶଙ୍କରାକୂଳ ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା। ‌ଯୌତୁକ ପାଇଁ ବୋହୂକୁ ହତ୍ୟା କରିଛନ୍ତି ଶାଶୁଘର ଲୋକେ। ଦେଢ଼ବର୍ଷ ତଳେ ବିଭା ହୋଇ ଘରକୁ ଆସିଥିବା ବୋହୂଙ୍କୁ ଶଶୁରଘର ଲୋକେ ମାଡ଼ ମାରି ହତ୍ୟା କରିଥିବା ଝିଅର ବାପଘର ଲୋକେ ଅଭିଯୋଗ ଆଣିଛନ୍ତି। ସୂଚନା ଅନୁସାରେ, ବରୁହାଁ ଗ୍ରାମର ବ୍ରଜ କିଶୋର ଦାସଙ୍କ ଝିଅ ତୁଳସୀ ଶଙ୍କାରାକୂଳ ଗ୍ରାମର ଭିକାରି ମଲ୍ଳିକଙ୍କ ପୁଅ ରାମ ମଲ୍ଳିକଙ୍କୁ ୨୦୧୮ ମସିହା ଏପ୍ରିଲ ମାସ‌ରେ ବିବାହ କରିଥିଲେ। ବିବାହ ସମୟରେ ଦାବି ମୁତାବକ ସମସ୍ତ ଯୌତୁକ ଦିଆ ଯାଇଥିଲେ ମଧ୍ୟ ଶଶୁରଘର ଲୋକ ଅଧିକ ଯୌତୁକ ଦାବି କରି ଆସୁଥିଲେ। ଏନେଇ ଶଶୁରଘର ଲୋକେ ବୋହୂକୁ ଶାରୀରିକ ଓ ମାନସିକ ନିର୍ଯାତନ ଦେଇ ଆସୁଥିଲେ।

ପୂର୍ବରୁ ଦୁଇ ପକ୍ଷ ଲୋକ ଏହାକୁ ନେଇ ଆଲୋଚନା କରିବା ପରେ ସୁବିଧା ହେଲେ ଶଶୁରଘର ଲୋକଙ୍କୁ ବାପଘର ଲୋକ ଟଙ୍କା ଦେବେ ବୋଲି କଥା ହୋଇଥିଲା। ଏହା ସତ୍ତ୍ବେ ବି ଘରେ ସ୍ବାମୀ ନଥିବା ଅବସ୍ଥାରେ ନଣନ୍ଦମାନେ ତୁଳସୀଙ୍କୁ ବହୁ ନିର୍ଯ୍ୟାତନା ଦେଉଥିଲେ। ଗତକାଲି ଶଶୁରଘର ଲୋକ ତୁଳସୀଙ୍କୁ ମାଡ଼ ମାରିବା ସହ ପେଜ ଢାଳି ପୋଡ଼ି ମାରି ଦେଇଥିବା ଖବର ପାଇ ବାପଘର ଲୋକ ସେଠାରେ ପହଞ୍ଚି ‌ଯୌତୁକ ପାଇଁ ତାଙ୍କ ଝିଅର ହତ୍ୟା ହୋଇଛି ବୋଲି ଅଭିଯୋଗ ଆଣିଛନ୍ତି।

Comments are closed.