Odisha Link
Bridging the Missing Links in Odisha

ହୋମଗାର୍ଡଙ୍କ ଉପରେ ଟ୍ରାକ୍ଟର ଚଢ଼ାଇ ଦେଲେ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଗଞ୍ଜେଇ ମାଫିଆଙ୍କ ଆତଙ୍କରାଜ ଦେଖିବାକୁ ମିଳିଛି। ଗଞ୍ଜେଇ ଚାଲାଣ ରୋକିବାକୁ ପଦକ୍ଷେପ ନେବାରୁ ସେମାନେ ପୁଲିସ କର୍ମଚାରୀଙ୍କୁ ବି ହତ୍ୟା କରିବା ଲାଗି ଉଦ୍ୟମ କରିବାକୁ ବି ପଛାଉ ନାହାନ୍ତି। ଏଭଳି ଏକ ଘଟଣା ମାଲକାନଗିରି ଜିଲାରେ ଆଲୋଡ଼ନ ସୃଷ୍ଟି କରିଛି। ଗଞ୍ଜେଇ ଚାଲାଣ ରୋକିବାକୁ ଚେଷ୍ଟା କରୁଥିବା ଜଣେ ହୋମ୍‌ଗାର୍ଡଙ୍କୁ ଗଞ୍ଜେଇ ମାଫିଆ ଟ୍ରାକ୍ଟର ଚଢ଼ାଉ ହତ୍ୟା ଉଦ୍ୟମ କରିଛନ୍ତି। ହୋମ୍‌ଗାର୍ଡ ଜଣକ ଗୁରୁତର ଆହତ ହୋଇ ଏବେ ଚିକିତ୍ସିତ ହେଉଛନ୍ତି।
ସୂଚନାଯୋଗ୍ୟ ଯେ, ମାଲକାନଗିରି ଜିଲା ଚିତ୍ରକୋଣ୍ଡା ଅଞ୍ଚଳରେ ଗଞ୍ଜେଇ ଚାଲାଣ ହେଉଥିବା ସୂଚନା ପାଇ ଗତକାଲି ରାତିରେ ସ୍ଥାନୀୟ ପୁଲିସ ପକ୍ଷରୁ ପାଟ୍ରୋଲିଂ କରାଯାଉଥିଲା। କାଙ୍କରପଡ଼ା ଛକରେ ପୁଲିସ ପକ୍ଷରୁ ଗାଡ଼ିମୋଟର ଅଟକାଯାଇ ଯାଞ୍ଚ କରାଯାଉଥିଲା। ଏହି ସମୟରେ ଏକ ଟ୍ରାକ୍ଟରରେ ଗଞ୍ଜେଇ ଚାଲାଣ ହେଉଥିବାବେଳେ ହୋମ୍‌ଗାର୍ଡ ଟୁନା ବୈରାଗୀ ରାସ୍ତା ଉପରକୁ ଆସି ଗାଡ଼ିକୁ ଅଟକାଇବାକୁ ଉଦ୍ୟମ କରୁଥିଲେ। କିନ୍ତୁ ଡ୍ରାଇଭର ଟ୍ରାକ୍ଟର ନ ଅଟକାଇ ଟୁନାଙ୍କ ଉପରେ ଚଢ଼ାଇ ଦେଇଥିଲା। ଟୁନା ତଳେ ପଡ଼ିଯିବା ପରେ ଡ୍ରାଇଭର ତାଙ୍କ ଅଣ୍ଟା ଉପରେ ଟ୍ରାକ୍ଟର ଚଢ଼ାଇ ଫେରାର ହେବାକୁ ଉଦ୍ୟମ କରୁଥିଲା। ସେଠାରେ ଉପସ୍ଥିତ ଅନ୍ୟ ପୁଲିସ କର୍ମଚାରୀ ଟ୍ରାକ୍ଟରକୁ ଜବତ କରିବା ସହିତ ଟୁନାଙ୍କୁ ଉଦ୍ଧାର କରି ହସ୍ପିଟାଲ ନେଇଥିଲେ।

Comments are closed.