Odisha Link
Bridging the Missing Links in Odisha

ଉହାନରୁ ୨୫୦ ଭାରତୀୟଙ୍କୁ ଉଦ୍ଧାର ପାଇଁ ସ୍ବତନ୍ତ୍ର ବିମାନ

ନୂଆଦିଲ୍ଲୀ: କରୋନା ଭାଇରସ୍‌ର ଅନ୍ତୁଡ଼ିଶାଳ ଉହାନ୍ ସହରରେ ଫସି ରହିିଛନ୍ତି ୨୫୦ ଭାରତୀୟ। ଉହାନରେ କରୋନା ଭାଇରସ ଦିନକୁ ଦିନ ଅତି ଭୟଙ୍କର ରୂପ ନେଉଥିବାରୁ ଚୀନ୍‌ ସରକାର ଉହାନକୁ ସିଲ୍‌ କରିଦେଇଛନ୍ତି। ଉହାନରେ ପ୍ରବେଶ ଓ ପ୍ରସ୍ଥାନ ଉପରେ ରୋକ ଲଗାଯାଇଛି। ତେବେ ଉହାନରେ ଥିବା ଭାରତୀୟଙ୍କୁ ଉଦ୍ଧାର ପାଇଁ ପୂର୍ବରୁ ଭାରତ ସରକାର ଚୀନକୁ ଅନୁରୋଧ କରି ସାରିଛନ୍ତି। ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଭାରତୀୟଙ୍କୁ ସେଠାରୁ ଆଣିବା ପାଇଁ ବିମାନ ପଠାଇବ ଓ ସ୍ବାସ୍ଥ୍ୟ ମନ୍ତ୍ରାଳୟ ଉହାନରେ ଫସିଥିବା ଭାରତୀୟଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଇବ। ଏଥିପାଇଁ ସ୍ବତନ୍ତ୍ର ମେଡିକାଲ୍ ଟିମ୍ ଗଠନ କରାଯାଇଛି। କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ପରେ ଉହାନରେ ଥିବା ଭାରତୀୟଙ୍କୁ ଫେରାଇ ଆଣିବ ଏୟାର୍‌ ଇଣ୍ଡିଆର ବୋଇଂ ୭୪୭ ବିମାନ।

ଉହାନ ସହରରେ ଶତାଧିକ ଭାରତୀୟ ବସବାସ କରୁଛନ୍ତି। ବିଶେଷ କରି ଉହାନ ପ୍ରଦେଶରେ ଭାରତର ବହୁ ଛାତ୍ରଛାତ୍ରୀ ଡାକ୍ତରୀ ପାଠ ପଢିବାକୁ ଯାଆନ୍ତି। ଭାରତର ଏୟାର ଇଣ୍ଡିଆ ବିମାନ ଜରିଆରେ ସେମାନଙ୍କୁ ଉଦ୍ଧାର କରାଯିବ। ୪୨୩ ବିଶିଷ୍ଠ ଏୟାର ଇଣ୍ଡିଆ ବିମାନଟି ଯାତ୍ରୀମାନଙ୍କୁ ଚୀନର ଉହାନରୁ ଭାରତ ଆଣିବ। ବର୍ତ୍ତମାନ ପର୍ଯ୍ୟନ୍ତ ଚୀନରେ ୧୦୬ଜଣଙ୍କ ମୃତ୍ୟୁ ହୋଇସାରିଥିବା ବେଳେ ୪ହଜାରରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି।

ଜଣେ ବିମାନ ଅଧିକାରୀଙ୍କ କହିବାନୁଯାୟୀ, ବିଦେଶ ମନ୍ତ୍ରାଳୟ ଓ ସ୍ବାସ୍ଥ୍ୟ ମନ୍ତ୍ରାଳୟର ମଞ୍ଜୁରୀକୁ ଆମେ ଅପେକ୍ଷା କରିଛୁ । ବିମାନ ଉହାନ ପ୍ରାନ୍ତକୁ ଯିବ ,ତେଣୁ ଏହାର ପ୍ରତିଷୋଧକ ପାଇଁ ସ୍ବାସ୍ଥ୍ୟ ବିଭାଗର ଅନୁମତି ନିହାତି ଦରକାର। ଉପଯୁକ୍ତ ପଦକ୍ଷେପ ଗ୍ରହଣ ବିନା ଚୀନର ଉହାନ ପ୍ରଦେଶରେ ପ୍ରବେଶ କରିବା ଉଚିତ୍ ହେବନାହିଁ। ଉହାନ ପ୍ରଦେଶରେ ଗମନାଗମନ ଉପରେ ରୋକ ଲଗାଇଛନ୍ତି ଚୀନ ସରକାର । ଉହାନ ପ୍ରଦେଶରେ ବାହାରକୁ ବାହାରିବାକୁ ହେଲେ ସରକାରଙ୍କ ଅନୁମତି ଦରକାର।

Comments are closed.