Odisha Link
Bridging the Missing Links in Odisha

୩ ଦୋଷୀଙ୍କ ଫାଶି ପାଇଁ ଅନୁମତି ମାଗିଲା ତିହାର ଜେଲ

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ମାମଲାର ୪ ଦୋଷୀଙ୍କୁ ଆସନ୍ତାକାଲି ଫାଶୀ ଦଣ୍ଡାଦେଶରେ ଦଣ୍ଡିତ କରିବା ପାଇଁ ଦିଲ୍ଲୀର ପାଟିଆଲା ହାଉସ କୋର୍ଟ ସାନି ‘ମୃତ୍ୟୁ ପରଓ୍ଵାନା’ ଜାରି କରିଛନ୍ତି। ଚାରି ଦୁଷ୍କର୍ମକାରୀଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇବା ପାଇଁ ତିହାର ଜେଲରେ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହେବା ସହ ଘାତକ ମଧ୍ୟ ପହଞ୍ଚି ସାରିଲେଣି। ଏହି ପରିସ୍ଥିତିରେ ଆଜି ମାମଲା ପୁଣି ଥରେ ନୂଆମୋଡ଼ ଦେଖିବାକୁ ମିଳିଛି। ପୁଣି ଫାଶୀକୁ ଘୁଞ୍ଚାଇବାକୁ ଉଦ୍ୟମ କରିଛନ୍ତି ଦୋଷୀଙ୍କ ଓକିଲ। ଫାଶୀ ଦଣ୍ଡାଦେଶରେ ଦଣ୍ଡିତ ଚାରି ନିର୍ଭୟ ଗଣଦୁଷ୍କର୍ମକାରୀଙ୍କ ମଧ୍ୟରୁ ଜଣଙ୍କ ରାଜକ୍ଷମା ଆବେଦନ ବିଚାର ଅପେକ୍ଷାରେ ରହିଥିବାରୁ ଅନ୍ୟ ତିନି ଦୋଷୀ ସେମାନଙ୍କର ଫାଶୀ ଦଣ୍ଡାଦେଶର କାର୍ଯ୍ୟକାରୀତା ଅନିର୍ଦ୍ଦିଷ୍ଟ କାଳ ପାଇଁ ଘୁଞ୍ଚାଇ ଦେବାକୁ ଦିଲ୍ଲୀର ଏକ ଅଦାଲତରେ ଆବେଦନ କରିଛନ୍ତି।

ଏନେଇ ଆଜି ତିହାର ଜେଲ କର୍ତ୍ତୃପକ୍ଷ ଏହି ମାମଲାରେ ପକ୍ଷଭୁକ୍ତ ହୋଇ ଅଦାଲତଙ୍କୁ କହିଛନ୍ତି ଯେ ଫାଶୀ ଦଣ୍ଡାଦେଶରେ ଦଣ୍ଡିତ ଚାରି ଦୋଷୀଙ୍କ ମଧ୍ୟରୁ ଜଣଙ୍କର ମାମଲା ବିଚାର ଅପେକ୍ଷାରେ ରହିଛି କିନ୍ତୁ, ଅନ୍ୟ ତିନି ଦୋଷୀଙ୍କର ସବୁ ମାମଲାର ବିଚାର ବିଭିନ୍ନ ଅଦାଲତରେ ବିଭିନ୍ନ ପର୍ଯ୍ୟାୟରେ ଶେଷ ହୋଇ ସାରିଛି। ଏହି ତିନି ଦୋଷୀଙ୍କ ନିକଟରେ ଏବେ ଆଉ ଅନ୍ୟ ବିକଳ୍ପ ନାହିଁ। ତେଣୁ, ଏହି ତିନି ଦୋଷୀଙ୍କ ଫାଶୀ ଦଣ୍ଡାଦେଶକୁ ଆସନ୍ତା କାଲି କାର୍ଯ୍ୟକାରୀ କରିବାକୁ ଅଦାଲତଙ୍କୁ ଅନୁମତି ମାଗିଛନ୍ତି ତିହାର ଜେଲ କର୍ତ୍ତୃପକ୍ଷ। ଅଦାଲତ ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ଦିଲ୍ଲୀ ଅଦାଲତର ଅତିରିକ୍ତ ଦୌରାଜଜ୍‌ ଧର୍ମେନ୍ଦ୍ର ରାଣା ଏହି ମାମଲାର ଶୁଣାଣି ଶେଷ କରି ରାୟକୁ ସଂରକ୍ଷିତ ରଖିଛନ୍ତି।

Comments are closed.