ନିର୍ଭୟା ମାମଲା: ରାଜକ୍ଷମା ଆବେଦନ କଲା ଅକ୍ଷୟ

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ମାମଲାର ଦୋଷୀ ଅକ୍ଷୟ ଠାକୁର ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ରାଜକ୍ଷମା ଆବେଦନ କରିଛି। ପୂର୍ବରୁ ଅନ୍ୟତମ ଦୋଷୀ ବିନୟ ଶର୍ମାର ରାଜକ୍ଷମା ଆବେଦନକୁ ଆଜି ହିଁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଖାରଜ କରିଛନ୍ତି।
ସୂଚନାଯୋଗ୍ୟ,ଆଜି ହିଁ ନିର୍ଭୟା ମାମଲାର ୪ ଦୋଷୀ ଫାଶୀ ପାଇବାର ଥିଲା କିନ୍ତୁ ଦୋଷୀଙ୍କ ପାଖରେ ନ୍ୟାୟିକ ବିକଳ୍ପ ସୁଯୋଗ ରହିଥିବାରୁ ଫାଶୀ ଦଣ୍ଡାଦେଶ ଉପରେ ଗତକାଲି ରହିତାଦେଶ ଲଗାଇଛନ୍ତି ପଟିଆଲା ହାଉସ୍ କୋର୍ଟ। ତେବେ ପରବର୍ତ୍ତୀ କେଉଁ ତାରିଖରେ ୪ ଦୋଷୀଙ୍କୁ ଫାଶୀ ଦିଆଯିବ ତାହା କୋର୍ଟ ସ୍ପଷ୍ଟ କରିନଥିଲେ। ଅଦାଲତର ଫାଶୀ ଦଣ୍ଡାଦେଶ ଉପରେ ରହିତାଦେଶ ଫଇସଲା ପରେ ନିର୍ଭୟାଙ୍କ ମା’ଙ୍କ ପକ୍ଷରୁ ଯୁକ୍ତି ଉପସ୍ଥାପନ କରିଥିବା ଓକିଲ କହିଥିଲେ ଯେ ଫାଶୀକୁ ବିଳମ୍ବ କରିବା ପାଇଁ ଦୋଷୀଙ୍କ ପକ୍ଷରୁ ବିଭିନ୍ନ କୂଟକୌଶଳ ଅବଲମ୍ବନ କରାଯାଉଛି। ସେହିପରି ନିର୍ଭୟାଙ୍କ ମା’ ଫାଶୀ ବିଳମ୍ବିତ ହେଉଥିବା ନେଇ ତାଙ୍କର ନିରାଶା ବ୍ୟକ୍ତ କରିଥିଲେ ହେଁ, ଆଇନ ଉପରେ ତାଙ୍କର ଭରସା ରହିଛି ବୋଲି ଗଣମାଧ୍ୟମକୁ କହିଥିଲେ।